ଆମ୍ବୁଲାନ୍ସ ନ ଆସିବାରୁ ଡାକ୍ତରଖାନା ପରିସରରେ ପ୍ରବଳ ଉତ୍ତେଜନା
ପଦ୍ମପୁର/Neelaambar Deep – ଆଜି ଶ୍ରାବଣ ମାସର ଶେଷ ସୋମବାର ଅବସରରେ ବୋଲ ବମ ଭକ୍ତଙ୍କ ସେବା ପାଇଁ ଯାଇଥିବା ପଦ୍ମପୁର ସାହୁ ପଡାର କିଛି ଯୁବକ ନୃସିଂହନାଥ ପୀଠକୁ ଯାଇଥିଲେ । ଏମାନଙ୍କ ଭିତରେ ଥିବା ସୁରେଶ ସାହୁଙ୍କ ପୁଅ ଶମ୍ଭୁ ସାହୁ(22) ଦିନ ପ୍ରାୟ 3 ଟା ସମୟରେ ପଦ୍ମପୁରରୁ ପ୍ରାୟ 20 କିମି ଦୂର ଭୁଲିଅବନ୍ଧ ଛକ ନିକଟରେ ଏକ ଦୁର୍ଘଟଣାର ଶିକାର ହୋଇଥିଲେ । ଗୁରୁତର ଅବସ୍ଥାରେ ସମ୍ଭୁକୁ ଡାକ୍ତରଖାନାକୁ ଆଣିବା ପାଇଁ ସାହୁ ପଡାର ଯୁବକମାନେ 108 ଆମ୍ବୁଲାନ୍ସ କୁ ଫୋନ କରିଥିଲେ, କିନ୍ତୁ ପଦ୍ମପୁର ଡାକ୍ତରଖାନାରେ 4 ଗୋଟି ଆମ୍ବୁଲାନ୍ସ ରହିଥିଲେ ମଧ୍ୟ ଦୁଇ ଘଣ୍ଟା ସୁଦ୍ଧା ଗୋଟିଏ ମଧ୍ୟ ଆମ୍ବୁଲାନ୍ସ ଘଟଣାସ୍ଥଳକୁ ପହଂଚି ପରି ନ ଥିଲା । ଏହା ପରେ ପାଇକମାଲ ପଟୁ ଫେରୁଥିବା ଏକ 108 ଆମ୍ବୁଲାନ୍ସ ରେ ଆହତ ଯୁବକକୁ ପଦ୍ମପୁର ଡାକ୍ତରଖାନାକୁ ଆଣିଥିଲେ ଏବଂ ସେଠାରେ ଅବସ୍ଥା ଗୁରୁତର ହେବାରୁ ଆହତଙ୍କୁ ବୁର୍ଲା ଦତ୍କାରଖାନାକୁ ପଠାଇ ଦିଆଯାଇଥିଲା । କିନ୍ତୁ ଆମ୍ବୁଲାନ୍ସ ନ ପହଂଚି ବାରୁ ପଦ୍ମପୁର ଡାକ୍ତରଖାନା ପରିସରରେ ବେଶ କିଛି ସମୟ ପର୍ଯ୍ୟନ୍ତ ଉତ୍ତେଜନା ପ୍ରକାଶ ପାଇଥିଲା । ଏ ବିଷୟରେ ଏସ୍ଡ଼ିଏମଓ ଡା. ଗୀତାସିନ୍ଧୁ ପୀୟୂଷ ମିଶ୍ରଙ୍କ ମତାମତ ଲୋଡ଼ାଯିବାରୁ ସେ ଫୋନ ରିସିଭ କରି ନ ଥିଲେ । ଏହିଭଳି ଅବହେଳା ପ୍ରଦର୍ଶନ ହେଉଥିବା ଅନେକ ଥର ଅଭିଯୋଗ ହୋଇ ସାରିଥିଲେ ମଧ୍ୟ ଡାକ୍ତରଖାନା କତ୍ତୃପକ୍ଷ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନ ଥିବା ସାହୁ ପଡାର ଯୁବକମାନେ ଅଭିଯୋଗ କରିବା ସହିତ ପଦ୍ମପୁର ଡାକ୍ତରଖାନା କତ୍ତୃପକ୍ଷଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି ।