- ଛାତରୁ ଖସୁଛି କଂକ୍ରିଟ୍, ଦିଶୁଛି ଲୁହାରଡ୍;
- ଦୂଷିତ ପାଣି ବ୍ୟବହାର କରୁଛନ୍ତି ଛାତ୍ରଛାତ୍ରୀ,
- ଶିଶୁଙ୍କ ସୁରକ୍ଷା ନେଇ ଚିନ୍ତା,
ଓଡ଼ଗାଁ, ୦୪।୧୧ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ମଗରବନ୍ଧ ପଞ୍ଚାୟତ ଅନ୍ତର୍ଗତ ଗୁଣ୍ଡୁରିବାରୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଦିନକୁ ଦିନ ଭିତ୍ତିଭୂମିଗତ ଅବ୍ୟବସ୍ଥା ବଢ଼ିବାରେ ଲାଗିଛି। ହେଲେ ଏହାର ସମାଧାନ ଦିଗରେ ପ୍ରଶାସନିକ ପଦକ୍ଷେପ ଦେଖିବାକୁ ମିଳୁନାହିଁ। ଫଳରେ ବିଦ୍ୟାଳୟରେ ଅଧ୍ୟୟନରତ କୋମଳମତି ଶିଶୁଙ୍କ ସୁରକ୍ଷାକୁ ନେଇ ଅଭିଭାବକ ମାନେ ଚିନ୍ତା ପ୍ରକଟ କରିଛନ୍ତି। ବିଦ୍ୟାଳୟରେ ଥିବା ଦୁଇଟି ଶ୍ରେଣୀଗୃହ ମଧ୍ୟରୁ ଗୋଟିଏ ଛାତରୁ କଂକ୍ରିଟ୍ ଖସି ପଡ଼ିବା ସହ ଲୁହାରଡ୍ ବାହାରକୁ ଦେଖାଯାଉଛି। ଛାତର ରଙ୍ଗ ମଧ୍ୟ ଛାଡ଼ିଯାଇଛି। ଏଭଳି ବିପଦସଙ୍କୁଳ ଅବସ୍ଥାରେ ଶ୍ରେଣୀଗୃହଟି ଥିବାରୁ ଶିଶୁ ବାଟିକାଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀ ଗୋଟିଏ କକ୍ଷରେ ବସି ପାଠ ପଢ଼ୁଛନ୍ତି। ମାତ୍ର ଦୁଇଜଣ ଶିକ୍ଷୟିତ୍ରୀଙ୍କ ଦ୍ୱାରା ଶିକ୍ଷାଦାନ ଚାଲିଥିବା ବେଳେ ଶ୍ରେଣୀଗୃହ ଅଭାବ ଶିକ୍ଷାଦାନରେ ମଧ୍ୟ ବାଧକ ସାଜିଛି।
ଅନ୍ୟପକ୍ଷରେ ବିଦ୍ୟାଳୟରେ ପାନୀୟ ଜଳ ସମସ୍ୟା ମଧ୍ୟ ଗମ୍ଭୀର ରୂପ ଧାରଣ କରିଛି। ନଳକୂପରୁ ବାହାରୁଥିବା ଦୂଷିତ ପାଣି ଛାତ୍ରଛାତ୍ରୀ ମାନେ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି।ଏହାଦ୍ୱାରା ଭବିଷ୍ୟତରେ ଶିଶୁମାନଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବାର ଆଶଙ୍କା ରହିଛି। ବିଦ୍ୟାଳୟର ପ୍ରାଚୀର ମଧ୍ୟ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଲୁହାରେ ନିର୍ମିତ କବାଟ ଓ ଝରକାରେ କଳଙ୍କି ଲାଗି ନଷ୍ଟ ହେବାକୁ ବସିଲାଣି।
ବିଦ୍ୟାଳୟର ଏଭଳି ଦୟନୀୟ ସ୍ଥିତି ଶିଶୁଙ୍କ ସୁରକ୍ଷା ଓ ଶିକ୍ଷାଦାନର ମାନକୁ ପ୍ରଭାବିତ କରୁଥିବାରୁ ତୁରନ୍ତ ଏହାର ସମାଧାନ ଜରୁରୀ ହୋଇପଡ଼ିଛି। ଏଣୁ ବ୍ଲକ ପ୍ରଶାସନ ଓ ସମଗ୍ର ଶିକ୍ଷା ବିଭାଗ ଏହି ସମସ୍ୟା ପ୍ରତି ଗୁରୁତ୍ୱ ଦେଇ ବିପଦସଙ୍କୁଳ ଶ୍ରେଣୀଗୃହର ମରାମତି, ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଏବଂ ବିଦ୍ୟାଳୟର ଅନ୍ୟାନ୍ୟ ଭିତ୍ତିଭୂମିର ଉନ୍ନତି ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଅଭିଭାବକ ମହଲରୁ ଦାବି ହେଉଛି।