ଓଡ଼ଗାଁ, ୪।୧୧ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ-୨୦୨୬ ଅବସରରେ କୃଷି ବିଭାଗ ପକ୍ଷରୁ ନଭେମ୍ବର ୩ ତାରିଖରେ ଆୟୋଜିତ ଇଂରାଜୀ ବକ୍ତୃତା ପ୍ରତିଯୋଗିତାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଆଖୁପଦର, ଓଡ଼ଗାଁର ଛାତ୍ରୀ ଓମ୍ ସ୍ୱସ୍ତି ତ୍ରିପାଠୀ ପ୍ରଥମ ସ୍ଥାନ ଅଧିକାର କରି ବିଦ୍ୟାଳୟ ସମେତ ସମଗ୍ର ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ଶ୍ରୀଅନ୍ନ ଅଭିଯାନର ସଫଳ ରୂପାୟନ ଏବଂ ଏହାର ପ୍ରଚାର ପ୍ରସାର ଦିଗରେ ଉଲ୍ଲେଖନୀୟ ପ୍ରୟାସ ଓ ପ୍ରତିବଦ୍ଧତାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ‘ସହନଶୀଳ ଖାଦ୍ୟ ବ୍ୟବସ୍ଥା ପାଇଁ ଗୋଷ୍ଠୀଭିତ୍ତିକ ବିହନ ବ୍ୟବସ୍ଥା ଓ କୃଷି ଜୈବବିବିଧତା’ ଶୀର୍ଷକ ବିଷୟବସ୍ତୁ ଉପରେ ଓମ୍ ସ୍ୱସ୍ତି ନିଜର ଉଚ୍ଚକୋଟୀର ବକ୍ତୃତା, ଯୁକ୍ତିପୂର୍ଣ୍ଣ ଉପସ୍ଥାପନା ଓ ଆତ୍ମବିଶ୍ୱାସପୂର୍ଣ୍ଣ ପ୍ରଦର୍ଶନ ମାଧ୍ୟମରେ ବିଚାରକ ମଣ୍ଡଳୀଙ୍କ ମନ ଜିଣି ଏହି ସଫଳତା ହାସଲ କରିଥିଲେ। ଏଥିପାଇଁ ଆୟୋଜକଙ୍କ ପକ୍ଷରୁ ତାଙ୍କୁ ପ୍ରଶଂସାପତ୍ର ପ୍ରଦାନ ସହ ସମ୍ମାନିତ କରାଯାଇଥିଲା। ଓମ୍ ସ୍ୱସ୍ତିଙ୍କ ଏହି ସଫଳତାରେ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ, ସହପାଠୀ ଓ ଅଭିଭାବକ ଆନନ୍ଦ ପ୍ରକାଶ କରିବା ସହ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ତାଙ୍କର ଏହି କୃତିତ୍ୱ ଅନ୍ୟ ଛାତ୍ରଛାତ୍ରୀଙ୍କୁ ଶିକ୍ଷା, ସାହିତ୍ୟ ଓ ବିଭିନ୍ନ ସହଶିକ୍ଷା କାର୍ଯ୍ୟକ୍ରମରେ ଉତ୍କର୍ଷ ପ୍ରଦର୍ଶନ ପାଇଁ ନିଶ୍ଚିତ ଭାବେ ପ୍ରେରଣା ଯୋଗାଇବ।