ବଡ଼ବିଲ (ଶାସକ ପ୍ରଶାସକ) ଡେଙ୍ଗୁ, ମ୍ୟାଲେରିଆ, ଡାଇରିଆ ଓ ଜଣ୍ଡିସ ପରି ବ୍ୟାଧି ସମ୍ପର୍କରେ ଜନସଚେତନା ଅଭିଯାନକୁ ବ୍ୟାପକ କରିବାକୁ ଅଣ୍ଟା ଭିଡ଼ିଛି ଜିଲ୍ଲା ପ୍ରଶାସନ। ଏହି ମର୍ମରେ ଆଜି ବଡ଼ବିଲ ସ୍ଥିତ ମ୍ୟୁନିସିପାଲିଟି ଟାଉନ ହଲଠାରେ ଏକ ଜନସଚେତନା ସଭା ଅନୁଷ୍ଠିତ ହୋଇଯାଇଛି। କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ବଡ଼ବିଲ ତହସିଲଦାର କ୍ଷୀରୋଦ କୁମାର ବେହେରା, ପୌର ଅଧିକାରୀ ଅଭିଷେକ ପଣ୍ଡା, ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମୁଖ୍ୟ ସୌଭାଗ୍ୟ ରଶ୍ମି ରଞ୍ଜନ ସାମଲ ପ୍ରମୁଖ ଯୋଗ ଦେଇଥିଲେ। ବଡ଼ବିଲର ପୂର୍ବତନ ନଗରପାଳ ଦିଲୀପ ମିଶ୍ର ୨୦୧୬ ମସିହା ଡେଙ୍ଗୁ ବିଭୀଷିକା ଅଭିଜ୍ଞତା ବର୍ଣ୍ଣନା କରିବା ସହ ସମସ୍ତଙ୍କୁ ମଶାରି ବ୍ୟବହାର କରିବା ଉପରେ ଗୁରୁତ୍ୱ ଦେଇଥିଲେ। ଆଜିର ଏହି ଶିବିରରେ ଅଙ୍ଗନବାଡି କର୍ମୀ, ସ୍ଥାନୀୟ ଏନ ଜି ଓ, ସାମାଜିକ କର୍ମୀ, ମହିଳା ସଂଗଠନ ସଦସ୍ୟା ଯୋଗ ଦେଇଥିଲେ।