ପାଟକୁରା ରୋଡ ଭୁଲିଯାଇଥିବା ପିସିସି ପାଟକୁରା ପାଇଁ କଲା ରୋଡମ୍ୟାପ
କେନ୍ଦ୍ରାପଡ଼ା/ ଭୁବନେଶ୍ୱର – ପାଟକୁରା ନିର୍ବାଚନ ଆଉ ମାତ୍ର କେଇଟା ଦିନ । ଆସନଟିକୁ ହାତେଇବା ପାଇଁ ବିଜୟ ମହାପାତ୍ର ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିବା ବିଜେପି ମଧ୍ୟ ଜୋର ଲଗାଇ ଦେଇଛି । ରାଜ୍ୟ-ଜାତୀୟ ରାଜନୀତିର ପରିବର୍ତ୍ତିତ ଦୃଶ୍ୟପଟ୍ଟ ସତ୍ତେ୍ୱ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବିଜୟଙ୍କୁ ଜିତାଇବା ପାଇଁ ପୂର୍ଣ୍ଣ ସହଯୋଗ କରୁଛନ୍ତି । ସେପଟେ ବିଜେଡିପାଇଁ ମର୍ଯ୍ୟାଦାର ପ୍ରଶ୍ନ ପାଲଟିଥିବା ପାଟକୁରା ଆସନ ପାଇଁ ଦଳ ଜି ଜାନ ଏକ କରିଦେଇଛି । ମଇଦାରରେ ପ୍ରଚାର ଜୋରଦାର । ଯାହାର ଆବାଜ ରାଜ୍ୟସାରା ସୁଭୁଛି । ହେଲେ ପ୍ରଦେଶ କଂଗ୍ରେସ କମିଟି କାନରେ ସେ ଗର୍ଜ୍ଜନ ଜମା ଶୁଭୁନଥିଲା କି ଶୁଣି ନଶୁଣିବାର ଅଭିନୟ କରୁଥିଲା । ହେଲେ ପାଟକୁରା ରାସ୍ତା ଭୁଲି ଚେଇଁ ଶୋଇଥିବା ପିସିସି ହଠାତ ନିଦରୁ ଉଠିି ବିଳିବିଳି ହେବା ପରି ପାଟକୁରା ନିର୍ବାଚନ କଥା ମନେ ପକାଇଛି । ଆଉ କୁଆଡେ ପ୍ରସ୍ତୁତ କରିଛି ପାଟକୁରା ପାଇଁ ଚୂଡାନ୍ତ ରୋଡମ୍ୟାପ୍ । ଏହା ପିସିସିର ଆନ୍ତରିକତା ନା ତାହାର ବାଧ୍ୟବାଧକତା ତାହା ସେମାନଙ୍କୁ ଜଣା, ହେଲେ ଭୋଟ ମାତ୍ର ୧୦ଦିନ ଥିବା ବା ପ୍ରଚାର ୮ଦିନ ବାକିଥିବା ବେଳେ କଂଗ୍ରେସର ରୋଡମ୍ୟାପ ଦଳୀୟ ପ୍ରାର୍ଥୀ ଜୟନ୍ତ ମହାନ୍ତି(କୁଲ୍ କୁଲ୍ )ଙ୍କୁ କେତେ ସହାୟକ ହେବ ତାହା ଆଗକୁ ଜଣାପଡିବ । ୯ମାସରୁ ଉର୍ଦ୍ଧ ସମୟ ଧରି କସରତ ଆଉ ସାରା ରାଜ୍ୟ ପାଇଁ ରୋଡମ୍ୟାପ କରି ସଂଖ୍ୟା ୯ରେ ସୀମିତ ରହିଲା । ଆସନ୍ତା ୧୩ ତାରିଖ ଦିନ ନରସିଂହ ମିଶ୍ର ଓ ନିରଞ୍ଜନ ପଟ୍ଟନାୟକ ଗୋଟିଏ ଦିନର ଗସ୍ତ ୩୦୯ଟି ବୁଥ ଥିବା ୫୧ ପଞ୍ଚାୟତ ଉପରେ କି ପ୍ରଭାବ ପକାଇବ ତାହା ଅନୁମାନ କରାଯାଉଛି । ମୋଟା ମୋଟି ଭାବେ ବିଜେପି ଓ ବିଜେଡିର ଦମଦାର ଫାଇଟ ଭିତରେ କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତିଙ୍କୁ ଦଳ କୌଣସି ପ୍ରକାର ସହଯୋଗ କରିନାହିଁ ବୋଲି ଜୟନ୍ତଙ୍କ ସମର୍ଥକ ମାନେ କହିଛନ୍ତି । ପାଟକୁରାରେ ଗାଁ ଗାଁ ବୁଲି ଏକାକୀ ଲଢୁଛନ୍ତି ଜୟନ୍ତ । ଏତେ ଦିନ ଫାଙ୍କା ମିଳିଲା କେହି ନେତା ଗଲେନି । ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି ପ୍ରକାଶ ପାଇବା ଏତେ ଦିନ ହେଲାଣି, ପିସିସିର ଜମା ମନେ ପଡିଲା ନାହିଁ ପାଟକୁରା ।ଯେତେେଳେ ସବୂଆଡୁ ଅପମାନ ହେଲା, ପାଟକୁରାରେ କଂଗ୍ରେସ ହାତ ଟେକିଦେଲା ବୋଲି ଅବବାଦ ଆସିଲା, ସେତେବେଳେ ଲୋକଲଜ୍ଜାରୁ ବଞ୍ଚିବା ପାଇଁ କଂଗ୍ରେସ ଏପରି ଅନିଚ୍ଛାକୃତ ଭାବେ ରୋଡମ୍ୟାପ କରିଥାଇପାରେ ବୋଲି ଶୁଣିବାକୁ ମିଳୁଛି ।
ସେ ଯାହାବି ହେଉ, ବିଳମ୍ବରେ ହେଲେ ବି ଆଉ ଲୋକଙ୍କୁ ଜଣାଇବା ପାଇଁ ବି ହେଉ ପାଟକୁରା ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳ ପକ୍ଷରୁ ରଣକୌଶଳ ବା ରୋଡମ୍ୟାପ ପ୍ରସ୍ତୁତ ହୋଇଛି, ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ । ପାଟକୁରା ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତୃମଣ୍ଡଳୀ ଦୃଢ଼ତା ଓ ସକ୍ରିୟତାର ସହ ଦଳୀୟ ପ୍ରାର୍ଥୀ ଜୟନ୍ତ ବାବୁଙ୍କୁ ବିଜୟୀ କରିବାପାଇଁ ଆପ୍ରାଣ ଉଦ୍ୟମ ଜାରିରଖିବାକୁ ଶ୍ରୀଯୁକ୍ତ ପଟ୍ଟନାୟକ ପରାମର୍ଶ ଦେଇଥିଲେ । ଦଳୀୟ ବିଧାୟକ ଓ ସାଂସଦମାନେ ଦୁଇରୁ ତିନିଦିନ ଧରି ପାଟକୁରାରେ କଂଗ୍ରେସର ମଙ୍ଗ ଧରିବାକୁ ଶ୍ରୀଯୁକ୍ତ ପଟ୍ଟନାୟକ ଆହ୍ୱାନ କରିଛନ୍ତି । ପାଟକୁରାର କଂଗ୍ରେସ ନେତୃମଣ୍ଡଳୀ ଓ କର୍ମୀ କଂଗ୍ରେସ ଦଳର ଏପରି କଠିନ ସମୟରେ ଅକ୍ଳାନ୍ତ ପରିଶ୍ରମ ଆଦୌ ବ୍ୟର୍ଥ ଯିବନାହିଁ ବୋଲି କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀଯୁକ୍ତ ନରସିଂହ ମିଶ୍ର ମଧ୍ୟ ମତବ୍ୟକ୍ତ କରିଥିଲେ । ବୈଠକରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଜୟନ୍ତ ମହାନ୍ତି, କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ସଭାପତି ଚିନ୍ମୟ ପ୍ରସାଦ ବେହୁରା, ବରିଷ୍ଠ ଆଇନଜୀବି ଧରଣୀଧର ନାୟକ, କେନ୍ଦ୍ରାପଡ଼ା କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ ଦାସ, ମାନସ ମଲ୍ଲିକ, ପିସିସି ସାଧାରଣ ସଂପାଦକ ଆକବର ଅଲ୍ଲୀ, ସଂଗ୍ରାମ କେଶରୀ ଜେନା, ପିସିସି ମିଡିଆ ସେଲ ଅଧ୍ୟକ୍ଷ ସତ୍ୟ ପ୍ରକାଶ ନାୟକ, ପିସିସି ମୁଖପାତ୍ର ସୁଦର୍ଶନ ଦାସ, ଜ୍ଞାନଦେବ ବେହୁରା, ମତ୍ସ୍ୟଜୀବୀ କଂଗ୍ରେସ ଅ୍ମକ୍ଷ ହଳଧର ସେଠୀ, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ଶ୍ରୀମତୀ ରଶ୍ମି ମହାପାତ୍ର, ପିିସିସି ସଂପାଦକ ଆକାଶ ଭୁୟାଁ, ବରିଷ୍ଠ କଂଗ୍ରେସ ନେତା ଶ୍ରୀ ବିସ୍ମୟ ମହାପାତ୍ର, ଦେବେନ୍ଦ୍ର ସାହୁ, ଉମେଶ ଜେନାଙ୍କ ସମେତ ପାଟକୁରା ନିର୍ବାଚନ ମଣ୍ଡଳୀ ଓ କେନ୍ଦ୍ରାପଡ଼ା ଜିଲ୍ଲାର କଂଗ୍ରେସ ନେତା ମାନେ ଉପସ୍ଥିତ ଥିଲେ |