ବାରିପଦା ପୌରପରିଷଦ : ଆଉଟ ସୋର୍ସିଙ୍ଗ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ

0

ସର୍ବନିମ୍ନ ମାସିକ ୭ ହଜାର ଟଙ୍କା ପାଉଣା ଦେବାକୁ ଠିକାଦାରଙ୍କ ପ୍ରତିଶ୍ରୁତି ପରେ କାର୍ଯ୍ୟରେ ଯୋଗଦେଲେ

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପୌରପରିଷଦରେ ଆଉଟ ସୋର୍ସିଙ୍ଗ ମାଧ୍ୟମରେ କାର୍ଯ୍ୟକରୁଥିବା ୨୪୦ ସଫେଇ କର୍ମଚାରୀମାନଙ୍କୁ ଠିକାଦାର ନରେନ୍ଦ୍ର ଜେନା ସାଢେ଼ ୩ ହଜାର ଟଙ୍କା ମଜୁରୀ ଦେଇ ଠକେଇ ଆସୁଥିବାର ଅଭିଯୋଗ ଆଣିଛନ୍ତି କାଳିକାପୁର ଅଞ୍ଚଳର  ସଫେଇ କର୍ମଚାରୀ ସବିତା ମୁଖି । ସେହିପରି କାଳିକାପୁରସାହିର ଜଗୁ ବଇଠା ସମାନ ଅଭିଯୋଗ ଆଣିଛନ୍ତି । ବାରମ୍ବାର ଆନେ୍ଦାଳନ କରିବା ପରେ ମଧ୍ୟ ଠିକାଦାର ନରେନ୍ଦ୍ର ଜେନା ସର୍ବନିମ୍ନ ମଜୁରୀ ଦେବାର ପ୍ରତିଶ୍ରୁତି ଦେଇ ତାହା କାର୍ଯ୍ୟକାରୀ କରୁନାହିଁ । ସଫେଇ କର୍ମଚାରୀମାନଙ୍କ ଏକତାକୁ ଭାଙ୍ଗିବା ନିମନ୍ତେ ଚକ୍ରାନ୍ତ କରି ମିଛରେ ଲକ୍ଷେ ଟଙ୍କା ସଂଗଠନର କର୍ମକର୍ତ୍ତାମାନଙ୍କୁ ଲାଞ୍ଚ ଦେଇଥିବାର କହୁଛି ବୋଲି ଅଭିଯୋଗ ଆଣିଛନ୍ତି । ଏଥି ସହିତ ସେମାନଙ୍କୁ ସଫେଇ କାର୍ଯ୍ୟ ନିମନ୍ତେ ମାସ୍କ, ଗ୍ଲୋଭସ, ସଫେଇ ବୋଟ ଆଦି ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦେବାର ନିୟମ ରହିଥିବା ବେଳେ ଠିକାଦାର ଏହି ସମସ୍ତ ସଫେଇ କର୍ମଚାରୀମାନଙ୍କୁ ଯୋଗାଇ ଦେଇପାରିନଥିବାର କୁହାଯାଇଛି । ଫଳରେ ଜୁଲାଇ ୮ ସୋମବାର ପ୍ରାତଃ ସମୟରେ କର୍ମଚାରୀମାନେ ସଫେଇ କାର୍ଯ୍ୟରେ ଯୋଗ ନଦେଇ ପୌରପରିଷଦରେ ସର୍ବନିମ୍ନ ମାସିକ ୭ ହଜାର ଟଙ୍କା ଦରମା ଦାବି କରି କାର୍ଯ୍ୟବନ୍ଦ ଆନେ୍ଦାଳନରେ ବସିଥିଲେ । ବିଭିନ୍ନ ଆଳ ଦେଖାଇ ଠିକାଦାର ଶ୍ରୀଜେନା ସଫେଇ କର୍ମଚାରୀ ଭୂଲାଇବା ନିମନ୍ତେ ଉଦ୍ୟମ କରି ବିଫଳ ହେବା ପରେ ସେମାନଙ୍କ ଦାବିକୁ ମାନି ନେବାକୁ ଏକପ୍ରକାରର ବାଧ୍ୟ ହୋଇଥିଲା ଏବଂ ଚଳିତ ମାସଠାରୁ ୭ ହଜାର ଟଙ୍କା ସର୍ବନିମ୍ନ ଦରମା ପ୍ରଦାନ କରିବାର ନିର୍ଭର ପ୍ରତିଶ୍ରୁତି ଦେବା ପରେ ସଫେଇ କର୍ମଚାରୀମାନେ କାର୍ଯ୍ୟରେ ଯୋଗ ଦେଇଥିଲେ । ତେବେ, ରଥଯାତ୍ରା ସମୟରେ ପୌରପରିଷଦରେ ସଫେଇ କାର୍ଯ୍ୟ ବାଧାପ୍ରାପ୍ତ ନହେଉ ସେଥି ନିମନ୍ତେ କର୍ମଚାରୀମାନଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ପ୍ରତାରିତ କରାଇଛନ୍ତି ଅଥବା ଠିକାଦାର ସଫେଇ କର୍ମଚାରୀମାନଙ୍କୁ ଦେଇଥିବା ପ୍ରତିଶ୍ରୁତୁକୁ ପ୍ରକୃତରେ ପାଳନ କରୁଛି ତାହା ପରବର୍ତ୍ତି ସମୟ ହିଁ କେବଳ କହିପାରିବ  । ତେବେ ସରକାରଙ୍କ ଶ୍ରମ ନିୟମ ଅନୁସାରେ ଠିକାଦାର ସଫେଇ କର୍ମଚାରୀମାନଙ୍କୁ ସେମାନଙ୍କ ଉପଯୁକ୍ତ ମଜୁରୀ ଦେଉନଥିବାରୁ ଜିଲ୍ଲା ଶ୍ରମକାର୍ଯ୍ୟାଳୟ ଅଥବା ଜିଲ୍ଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରନ୍ତୁ ବୋଲି ଅଧିକାଂଶ ସଫେଇ କର୍ମଚାରୀ ଦାବି କରିଛନ୍ତି ।
 

Leave A Reply

Your email address will not be published.