ବାରିପଦା(ଦିଲ୍ଲୀପ ମହାନ୍ତି) -ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଘୋଷ ଯାତ୍ରା ସର୍ବ ଶ୍ରେଷ୍ଠ ଯାତ୍ରାର ମାନ୍ୟତା ଲାଭ କରିଛି । ହେରାପଞ୍ଚମୀ ରଥ ଯାତ୍ରାର ଏକ ଉପଯାତ୍ରା ଭାବରେ ଗୃହୀତ ହୋଇଛି । ହେରାପଞ୍ଚମୀରେ ମହାପ୍ରଭୂଙ୍କ ଲୌକିକ ଲୀଳାର ରମ୍ୟ ପ୍ରକାଶ ପରିଲକ୍ଷିତ ହୋଇଥାଏ । ଶ୍ରୀଜୀଉମାନଙ୍କ ଗୁଣ୍ଡିଚା ମନ୍ଦିରରେ ରହଣି ସମୟର ମୁଖ୍ୟ ଆକର୍ଷଣ ହେରାପଞ୍ଚମୀ ।
ଘୋଷ ଯାତ୍ରା ସମୟରେ ବଡ଼ ଭାଇ ବଳଭଦ୍ରଙ୍କ ସହିତ ଶ୍ରୀଜଗନ୍ନାଥ ମାଉସୀ ମା ଘରକୁ ଯାଉଥିବାର ଶୁଣି ସାନ ଭଉଣୀ ସୁଭଦ୍ରା ମଧ୍ୟ ସାଙ୍ଗରେ ଯିବାକୁ ଅଡ଼ି ବସିଥିଲେ । ବଡ଼ ଠାକୁର ସବୁ ଶୁଣି ନୀରବ ରହିଥିବା ସମୟରେ ଶ୍ରୀଜଗନ୍ନାଥ ଭଗିନୀଙ୍କ କଥାକୁ ଏଡ଼ାଇ ପାରି ନଥିଲେ । ମାତ୍ର ବଡଠାକୁର ଜାଣିଛନ୍ତି ମହାଲକ୍ଷ୍ମୀ ଖୁବ ଅଭିମାନୀ । ସମସ୍ତେ ଚାଲି ଗଲେ ମହାଲକ୍ଷ୍ମୀ ଏକାକୀ ହୋଇଯିବେ । ତାଙ୍କୁ ନ ଜଣାଇ ସୁଭଦ୍ରାଙ୍କୁ ସଙ୍ଗରେ ଧରି ଚାଲିଗଲେ ନିଶ୍ଚୟ ମନରେ କଷ୍ଟ ହେବ । ତେଣୁ ସବୁ ବିଷୟ ଅବଗତ କରାଇବାକୁ ପରାମର୍ଶ ଦେଇଥିଲେ । ମାତ୍ର ଶ୍ରୀଜଗନ୍ନାଥ ବଡ ଭାଇଙ୍କ ପରାମର୍ଶକୁ ଗ୍ରହଣ ନକରି ମହାଲକ୍ଷ୍ମୀଙ୍କୁ କିଛି ନଜଣାଇ ବଡ଼ ଭାଇ ସହିତ ଭଉଣୀ ସୁଭଦ୍ରାଙ୍କୁ ଧରି ଶ୍ରୀମନ୍ଦିରରୁ ବାହାରି ଗଲେ । ମହାଲକ୍ଷ୍ମୀ ପରବର୍ତି ସମୟରେ ଏକ ପରିଚାରିକାଠାରୁ ମହାପ୍ରଭୂଙ୍କର ଶ୍ରୀମନ୍ଦିରରେ ଅନୁପସ୍ଥିତ ରହିଥିବାର ଜାଣିବାକୁ ପାଇ ଦୁଃଖରେ ଭାଙ୍ଗି ପଡ଼ିଥିଲେ ।
ପରସ୍ପର ପ୍ରତି ଅଖଣ୍ଡ ବିଶ୍ୱାସ ହିଁ ଦାମ୍ପତ୍ୟ ଜୀବନକୁ ଶାଶ୍ୱତ କରି ଗଢ଼ି ତୋଳିଥାଏ । ମାତ୍ର ମନରେ ଥରେ ସନେ୍ଦହ ସ୍ଥାନ ପାଇଲେ ବିଶ୍ୱାସର ମୂଳଦୁଆ ଦୋହଲି ଯାଇଥାଏ । ମହାପ୍ରଭୂ ଶ୍ରୀଜଗନ୍ନାଥ ଭଉଣୀଙ୍କୁ ସଂଗରେ ଧରି ଯାଉଥିବା ଖବର ଜଣାଇବା ଦୂରର କଥା ମହାଲକ୍ଷ୍ମୀଙ୍କ ଅଗୋଚରରେ ଶ୍ରୀମନ୍ଦିରରୁ ବାହାରି ଯାଇଥିଲେ । ମନରେ ଅଭିମାନ ଆସିଥିଲା ଓ ଏହି ଅଭିମାନ କ୍ରୋଧକୁ ରୂପାନ୍ତରିତ ହୋଇଥିଲା । ମହାଲକ୍ଷ୍ମୀ ନିଜର ମନ କଥା ପ୍ରିୟ ସଖି ସରସ୍ୱତୀ ଓ ବିମଳାଙ୍କୁ ଜଣାଇଥିଲେ । ସଖିଙ୍କ ପରାମର୍ଶ କ୍ରମେ ମହାଲକ୍ଷ୍ମୀ ଶ୍ରୀଜଗନ୍ନାଥଙ୍କୁ ସମସ୍ତ ବିଷୟରେ ସୂଚନା ଦେବା ନିମନ୍ତେ ଜଣେ ଦାସୀଙ୍କୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ପଠାଇଥିଲେ । ଦାସୀଠାରୁ ସନେ୍ଦଶ ପାଇ ଶ୍ରୀଜଗନ୍ନାଥ ଦାସୀ ହାତରେ ସଫେଇ ଦେବାକୁ ଯାଇ ସାଥୀରେ ବଡ଼ ଭାଇ ଆସୁଥିବାରୁ ଛୁଆଁ ଛୁଇଁ ଆଶଙ୍କା ରହିଥିବା ହେତୁ ମହାଲକ୍ଷ୍ମୀଙ୍କୁ ସଙ୍ଗରେ ଆଣିବାକୁ ସମୁଚୀନ ମନେ କରି ନଥିଲେ ଓ ଖୁବ ଶୀଘ୍ର ଶ୍ରମନ୍ଦିର ଲେଉଟି ଯିବେ ବୋଲି ଦାସୀ ହାତରେ ସନେ୍ଦଶ ପଠାଇଦେଇଥିଲେ ।
କିନ୍ତୁ, ମହାଲକ୍ଷ୍ମୀ ଭାରି ଏକ ଜିଦିଆ । ଶ୍ରୀଜଗନ୍ନାଥଙ୍କ ପ୍ରତିଶ୍ରୁତି ତାଙ୍କର କ୍ରୋଧକୁ ଶାନ୍ତ କରାଇ ପାରି ନଥିଲା । ତେଣୁ ଆଷାଢ଼ ମାସ ଶୋକ୍ଳ ଷଷ୍ଠୀ ତିଥିରେ ମହାଲକ୍ଷ୍ମୀ ପାଲିଙ୍କିରେ ବସି ସାଥୀରେ ପୁଷ୍ପାଳକ, ସିଂହାରି, ପତି ମହାପାତ୍ର ଆଦି ସେବକମାନଙ୍କ ସହିତ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରାରେ ଆସୁଥିବା ସମୟରେ ରାସ୍ତାରେ ପନ୍ତି ଭୋଗ ଲାଗି ହୋଇଥିଲା । ଶ୍ରୀଗୁଣ୍ଡିଚା ମନ୍ଦିରର ପାଟ ଅଗଣାରେ ରହିଥିବା ନନ୍ଦିଘୋଷ ରଥ ନିକଟରେ ପହଁଚିବା ପରେ ମହାପ୍ରଭୂଙ୍କ ସେବକ ଓ ମହାଲକ୍ଷ୍ମୀଙ୍କ ସେବକଙ୍କ ମଧ୍ୟରେ ଉକ୍ତି ପ୍ରତୁ୍ୟକ୍ତି ଆରମ୍ଭ ହୋଇଥିଲା । ସଂଧ୍ୟା ଧୂପ ପରେ ମହାଲକ୍ଷ୍ମୀ ଗୁଣ୍ଡିଚା ମନ୍ଦିର ମଧ୍ୟକୁ ପ୍ରବେଶ କରିଥିଲେ । ମହାପ୍ରଭୂଙ୍କ ସମ୍ମୁଖରେ ରଖାଯାଇଥିବା ଶ୍ରୀଅଙ୍ଗଲାଗି ମାଳା ଓ ପ୍ରସାଦ ମହାଲକ୍ଷ୍ମୀଙ୍କୁ ଅର୍ପଣ କରାଯାଇଥିଲା । ମହାଲକ୍ଷ୍ମୀ ମଧ୍ୟ ସାଙ୍ଗରେ ଆଣି ଥିବା କର୍ପୂର, ଚନ୍ଦନ, ମୋହନ ଚୂର୍ଣ୍ଣକୁ ଶ୍ରୀଜଗନ୍ନାଥଙ୍କ ଉପରେ ପ୍ରକ୍ଷେପ କରାଯାଇଥିଲା ।
ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାଲକ୍ଷ୍ମୀ ପହଁଞ୍ଚି ଶ୍ରୀଜଗନ୍ନାଥଙ୍କ ସାକ୍ଷାତ ପାଇ ପାରି ନଥିଲେ । ଫଳରେ ତାଙ୍କ କ୍ରୋଧ ଦ୍ୱିଗୁଣିତ ହୋଇ ଯାଇଥିଲା ଓ ବିଜୟ ଦ୍ୱାର ଦେଇ ଶ୍ରୀଗୁଣ୍ଡିଚା ମନ୍ଦିରରୁ ପ୍ରସ୍ଥାନ କରବା ସମୟରେ ମହାଲକ୍ଷ୍ମୀଙ୍କ ନାସାଳଙ୍କାର ପଡ଼ି ଯାଇଥିଲା । ମହାଲକ୍ଷ୍ମୀଙ୍କ ଆଗମନର ସ୍ମାରକୀ ସ୍ୱରୂପ ସେହି ଦ୍ୱାରଟି ନାକଚଣା ଦ୍ୱାର ଭାବରେ ପରିଚିତ ।
ମହାଲକ୍ଷ୍ମୀ ମନ୍ଦିରକୁ ଫେରିବା ସମୟରେ ମହାପ୍ରଭୂମାନଙ୍କର ସେବକମାନଙ୍କୁ ଦଣ୍ଡ ଦେବାକୁ ଯାଇ ସେମାନଙ୍କୁ ନନ୍ଦିଘୋଷ ରଥରେ ବାନ୍ଧି ଦେବା ସହିତ ତାଙ୍କର ବସ୍ତ୍ରକୁ ଛିଣ୍ଡାଇବା ପରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର କାଠକୁ ଭାଙ୍ଗି ଦେବାର ପରମ୍ପରା ରହିଆସିଛି ।
ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାଲକ୍ଷ୍ମୀଙ୍କର କର୍ପୁର ଚନ୍ଦନ ଓ ମୋହନ ଚୂର୍ଣ୍ଣ ସିଞ୍ଚନ କରାଯିବା ପରେ ଶ୍ରୀଜଗନ୍ନାଥଙ୍କ ମନ ଆନେ୍ଦାଳିତ ହୋଇ ଉଠିଥିଲା । ପରବର୍ତ୍ତି ଦିନ ସକାଳ ସମୟରେ ଶ୍ରୀମନ୍ଦିରକୁ ଫେରି ଆସିବା ନିମନ୍ତେ ରଥ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେବାର କାର୍ଯ୍ୟକ୍ରମ ରହିଛି ଏବଂ ସକାଳ ଧୂପ ପରେ ପରିଚ୍ଛା ଆଜ୍ଞାମାଳ ଧରି ଆସିବା ପରେ ତିନି ରଥର ଦକ୍ଷିଣ ମୋଡ଼ ପ୍ରକ୍ରିୟା ଆଷାଢ଼ ଶୋକ୍ଳ ନବମୀ ମଧ୍ୟରେ ସମ୍ପନ୍ନ ହେବ ।
Sign in
Sign in
Recover your password.
A password will be e-mailed to you.