ବିଲେଇସର୍ଡା ଉଚ୍ଚ ବିଦ୍ୟାଳୟରେ ୭୦ତମ ବନ ମହୋତ୍ସବ ପାଳିତ
ବଲାଙ୍ଗିର/ପୁଇଁତଳା-(ନିରୋଜ ମିଶ୍ର) ପୁଇଁତଳା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ଉଚ୍ଚ ବିଦ୍ୟାଳୟର “ସବୁଜିମା” ଇକୋ କ୍ଲବ ତରଫରୁ ୭୦ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ପରିବେଶ ସଚେତନତା ସମ୍ବନ୍ଧୀୟ ବିଭିନ୍ନ ସଚେତନତା ମୂଳକ ପ୍ଲାକାର୍ଡ ଧରି ସ୍ଲୋଗାନ ଦେଇ ଗ୍ରାମ ପରିକ୍ରମା କରିଥିଲେ । ପରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ବିନୋଦ ବିହାରୀ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ରାଧାଶ୍ୟାମ ଆଞ୍ଚଳିକ ଜୁନିୟର ମହାବିଦ୍ୟାଳୟର ଅଧ୍ୟକ୍ଷ ପୁୁରୁଷୋତ୍ତମ ଭଞ୍ଜ ପରିବେଶ କୁ ସରସ ସୁନ୍ଦର କରି ଗଢି ତୋଳିବାରେ ବୃକ୍ଷର ମହତ୍ୱପୂର୍ଣ୍ଣ ଯୋଗଦାନ ରହିଛି ବୋଲି କହିଥିବା ବେଳେ ସମ୍ମାନୀତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟୀ ସଭାପତି ମଧୁସୂଦନ ପଧାନ ବିଶ୍ୱତାପନକୁ ସନ୍ତୁଳିତ କରି ଜନ ସମୁଦାୟକୁ ଅମ୍ଲଜାନ ଯୋଗାଉଥିବା ବୃକ୍ଷ ହିଁ ମଣିଷର ପ୍ରକୃତ ବନ୍ଧୁ ଅଟେ ବୋଲି ନିଜ ବକ୍ତବ୍ୟରେ କହିଥିଲେ । ବିଦ୍ୟାଳୟର ଶିକ୍ଷକ ତପନ ବୁଡେକ, ଅଶ୍ୱିନୀ ମହାଲିଙ୍ଗ, ଶିକ୍ଷୟିତ୍ରୀ ସୁବାସିନୀ ସେଠୀ, ନିରୋତ୍ତମା ବିଶ୍ୱାଳ, ସୁଷମା ମେହେର ପ୍ରମୁଖ ଯୋଗ ଦେଇ ବୃକ୍ଷର ଉପାଦେୟତା ସମ୍ପର୍କରେ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନା ତଥା ସଭା ସଂଯୋଜନା ଇକୋ କ୍ଲବ ଇନ-ଚାର୍ଜ ରଞ୍ଜିତ ମିଶ୍ର କରିଥିବା ବେଳେ ଧନ୍ୟବାଦ ଦେଇଥିଲେ ବରିଷ୍ଠ ଶିକ୍ଷକ ସୁଧାଂଶୁ ଶେଖର ପ୍ରଧାନ । ସଭା ପରେ ସମସ୍ତ ଅତିଥି ଓ ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିଥିଲେ । କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ବିଦ୍ୟାଳୟର ଶିକ୍ଷା କର୍ମଚାରୀ ଜଗନ୍ନାଥ ଯୋଶୀ ଓ ଅମୂଲ୍ୟ ଦୋରା ।