ଭୁବନେଶ୍ୱର, (ଶାସକ ପ୍ରଶାସକ): ଜାତିର ଜନକ ମହାମାନବ ମହାତ୍ମାଗାନ୍ଧୀଙ୍କ ଜୀବନାଦର୍ଶ, ଚିନ୍ତାଧାରା, ରଚନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ଦେଶ ବିଦେଶରେ ଯୁବପିଢ଼ିଙ୍କୁ ଆକର୍ଷିତ କରିବା ପାଇଁ କେନ୍ଦ୍ର ସରକାର ‘ଗାନ୍ଧୀପିଡ଼ିଆ’ ପ୍ରସ୍ତୁତ କରିବାକୁ ଯେଉଁ ଘୋଷଣା କରିଛନ୍ତି ତାହାକୁ ଗାନ୍ଧୀ ବିଚାର ମଞ୍ଚର ସଭାପତି ପ୍ରହଲାଦ କୁମାର ସିଂହ ସ୍ୱାଗତ କରିବା ସହିତ ସୀମିତ ସମୟ ମଧ୍ୟରେ ଏହି କାର୍ଯ୍ୟ ଶେଷ କରିବା ଏବଂ ଏହି ସୂଚନାର ଯେପରି କୌଣସି ତ୍ରୁଟି ବିଚୁ୍ୟତି ନ ରୁହେ ତାହା ଉପରେ ଧ୍ୟାନ ଦେବାକୁ କହିଛନ୍ତି ।
ଏଠାରେ ଉଲ୍ଲେଖନୀୟ ଯେ ନ୍ୟାସନାଲ୍ କାଉନ୍ସିଲ୍ ଫର୍ ସାଇନ୍ସ ମ୍ୟୁଜିଅମ ଦ୍ୱାରା ଗାନ୍ଧୀପିଡ଼ିଆ ପ୍ରସ୍ତୁତ କରାଯିବ ବୋଲି କେନ୍ଦ୍ରୀୟ ବଜେଟ୍ ଆଗତ ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚାଇଛନ୍ତି । ଏନ୍ସାଇକ୍ଲୋପିଡ଼ିଆ ଭଳି ଗାନ୍ଧୀପଡ଼ିଆ ପ୍ରସ୍ତୁତ କରି ଇଣ୍ଟରନେଟ୍ ମାଧ୍ୟମରେ ସମଗ୍ର ବିଶ୍ୱକୁ ଗାନ୍ଧୀଦର୍ଶନ ସମ୍ପର୍କରେ ଅବହିତ କରାଇବା ଏବଂ ବିଶେଷ କରି ଯୁବ ଓ ଛାତ୍ର ସମାଜ ମଧ୍ୟରେ ଗାନ୍ଧୀଜୀଙ୍କ ଚିନ୍ତାଧାରାର ବିସ୍ତାର କରାଇବା ଲାଗି ଶ୍ରୀ ସିଂହ ପୂର୍ବରୁ ବାରମ୍ବାର କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଆସିଛନ୍ତି । ଏହାଛଡ଼ା ୧୦୦ ଖଣ୍ଡର ଗାନ୍ଧୀ ରଚନାବଳୀର ପୁନଃମୁଦ୍ରଣ ଓ ଏହାର ଡିଜିଟାଲ୍ ସଂସ୍କରଣ ପାଇଁ ମଧ୍ୟ ସେ ପ୍ରଧାନମନ୍ତ୍ରୀ, ସଂସ୍କୃତି ମନ୍ତ୍ରୀ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀଙ୍କୁ ଲଗାତର ଭାବେ ଚିଠି ଲେଖି ଆସୁଛନ୍ତି । ଇତିମଧ୍ୟରେ କଲେକ୍ଟେଟ୍ ୱାର୍କସ୍ ଅଫ୍ ମହାତ୍ମାଗାନ୍ଧୀ ୧୦୦ ଖଣ୍ଡର ଡିଜିଟାଲ୍ ସଂସ୍କରଣ ଇଣ୍ଟରନେଟ୍ରେ ଛଡ଼ା ଯାଇଥିବା ବେଳେ ପୁସ୍ତକ ଛପେଇ କାମ ମଧ୍ୟ ସରିଛି ଏବଂ ଗାନ୍ଧୀପିଡ଼ିଆ କାମ କେନ୍ଦ୍ର ସରକାର ହାତକୁ ନେଇଛନ୍ତି । ଆଗାମୀ ଅକ୍ଟୋବର ୨ ତାରିଖ ଆନ୍ତର୍ଜାତିକ ଅହିଂସା ଦିବସ ସୁଦ୍ଧା ଗାନ୍ଧୀପିଡ଼ିଆ ଇଣ୍ଟରନେଟ୍ ମାଧ୍ୟମରେ ମାଗଣାରେ ଯେଭଳି ବିଶ୍ୱବାସୀଙ୍କୁ ଉପଲବ୍ଧ ହେବ ସେ ଦିଗରେ କେନ୍ଦ୍ର ସରକାର କାର୍ଯ୍ୟ କରିବାକୁ ସେ କହିଛନ୍ତି । ଭାରତ ତଥା ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ମହାତ୍ମାଗାନ୍ଧୀ ଓ କସ୍ତୁରବାଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳିତ ହେଉଥିବା ପରିପ୍ରେକ୍ଷୀରେ ଆମ ଦେଶର ସମସ୍ତ ଶିକ୍ଷାନୁଷ୍ଠାନ, ପାଠାଗାର ଏବଂ ବିଦେଶରେ ଗୁରୁତ୍ୱପୂର୍ଣ୍ଣ ପାଠାଗାର ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ କଲେକ୍ଟେଟ୍ ୱାର୍କସ୍ ଅଫ୍ ମହାତ୍ମାଗାନ୍ଧୀ ପୁସ୍ତକର ୧୦୦ଟି ଯାକ ଖଣ୍ଡ ସହିତ ଏହାର ଡିଟିଟାଲ୍ ସଂସ୍କରଣ ଏବଂ ଗାନ୍ଧୀପିଡ଼ିଆ ଯେପରି ସ୍ଥାନ ପାଏ ତାହା ଉପରେ ସେ ଦିଗରେ ଦୃଷ୍ଟି ଦେବା ସହିତ ଦେଶ ଓ ବିଶ୍ୱ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ଲାଗି ଗାନ୍ଧୀ ଦର୍ଶନରେ ଥିବା ମାର୍ଗର ସଫଳ ପ୍ରୟୋଗ ଉପରେ ସକରାତ୍ମକ ଗବେଷଣା ଲାଗି ମଧ୍ୟ ଶ୍ରୀ ସିଂହ ପ୍ରସ୍ତାବ ଦେଇଛନ୍ତି ।
Sign in
Sign in
Recover your password.
A password will be e-mailed to you.
Next Post