ବାଲିଯାତ୍ରାରେ ପୁଣି ସ୍ୱାଭାବିକ ହେଲା ଦୋଳି ଚଳାଚଳ

32

  • ଯାଞ୍ଚ ପରେ ମିଳିଲା ସୁରକ୍ଷା ପ୍ରମାଣପତ୍ର
  • ଜନସାଧାରଣ ଦୁଃସାହାସିକ କାର୍ଯ୍ୟରୁ ନିବୃତ୍ତ ରହିବାକୁ ପରାମର୍ଶ

କଟକ ତା ୨୭. ୧୧. ୨୦୨୬:ଐତିହାସିକ ବାଲିଯାତ୍ରା କଟକ-୨୦୨୬ରେ ଦୋଳି ଚଳାଚଳକୁ ନେଇ ଦେଖାଦେଇଥିବା ଅନିଶ୍ଚିତତାର ଅନ୍ତ ଘଟିଛି। ଜନସାଧାରଣଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ସମସ୍ତ ଦୋଳି ଓ ବିଭିନ୍ନ ରାଇଡ୍‌ର ଯାଞ୍ଚ କରାଯିବା ପରେ ସେଗୁଡ଼ିକୁ ସୁରକ୍ଷା ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଏହାପରେ ଦୋଳି ଚଳାଚଳ ସ୍ୱାଭାବିକ ହୋଇଛି। ଆଜି ସକାଳୁ ସୁରକ୍ଷା ଦୃଷ୍ଟିରୁ ବାଲିଯାତ୍ରା ପଡ଼ିଆରେ ସମସ୍ତ ଦୋଳି ଚଳାଚଳକୁ ସ୍ଥଗିତ ରଖାଯାଇଥିଲା। ପରେ ଅପରାହ୍ନରେ ଦୋଳି ଆସୋସିଏସନ୍‌ର ସଦସ୍ୟଙ୍କ ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ କମଲଜିତ ଦାସ ଆଲୋଚନା କରିଥିଲେ। ଏହି ଆଲୋଚନାରେ ସମସ୍ତ ଦୋଳି ଓ ରାଇଡ୍‌ରେ ମାନକ ଚଳାଚଳ ପଦ୍ଧତି (SOP) କଡ଼ାକଡ଼ି ପାଳନ କରିବାକୁ ସୁନିଶ୍ଚିତ କରାଯାଇଥିଲା। ଅନ୍ୟପକ୍ଷରେ, ଦୋଳିରେ ବସି ରିଲ୍ସ କରିବା, ସେଲ୍ଫି ନେବା, ଗୋଟିଏ କ୍ୟାବିନ୍‌ରେ ନିର୍ଦ୍ଧାରିତ କ୍ଷମତାଠାରୁ ଅଧିକ ଲୋକ ବସିବା, ଗୋଟିଏ କ୍ୟାବିନ୍‌ରୁ ଅନ୍ୟ କ୍ୟାବିନ୍‌କୁ ଡେଇଁବା ଏବଂ ନିଶା ସେବନ କରି ଦୋଳିରେ ଚଢ଼ିବା ଭଳି ବିପଜ୍ଜନକ କାର୍ଯ୍ୟରୁ ଦୂରେଇ ରହିବାକୁ ଜନସାଧାରଣଙ୍କୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

ବାଲିଯାତ୍ରାର ଆନନ୍ଦ ନେବା ସହ ନିଜ ସୁରକ୍ଷା ପ୍ରତି ମଧ୍ୟ ସଚେତନ ରହିବାକୁ ପ୍ରଶାସନ ପରାମର୍ଶ ଦେଇଛି। ସୁରକ୍ଷିତ ଓ ଶୃଙ୍ଖଳିତ ଭାବେ ବାଲିଯାତ୍ରା ଉପଭୋଗ କରିବା ପାଇଁ ଜନସାଧାରଣଙ୍କ ସହଯୋଗ କାମନା କରାଯାଇଛି।

Leave A Reply

Your email address will not be published.