ଆଠ ଦିନର ଧାରଣା ପରେ ବି ଟଳିଲାନି ସ୍ୱାସ୍ଥ୍ୟ ସମସ୍ୟା

1


କୋଲାବିରା ଡାକ୍ତରଖାନାରେ ୧୪ ଡାକ୍ତର ପଦ ଖାଲି, ୪ ବିଭାଗରେ ନାହାନ୍ତି ବିଶେଷଜ୍ଞ; ପ୍ରଶାସନ ଓ ବିଧାୟକଙ୍କ ନିରବତାକୁ ନେଇ ଅସନ୍ତୋଷ
: ଆଠ ଦିନ ଧରି ଚାଲିଲା ଗଣଧାରଣା। ମିଳିଲା ବିଭିନ୍ନ ସଂଗଠନ, ସାମାଜିକ କର୍ମୀ ଓ ବୁଦ୍ଧିଜୀବୀଙ୍କ ସମର୍ଥନ। ହେଲେ ଟଳିଲାନି ସ୍ୱାସ୍ଥ୍ୟସେବାର ଦୁରବସ୍ଥା। ଦାବି ଶୁଣିବାକୁ ଆନ୍ଦୋଳନସ୍ଥଳରେ ପହଞ୍ଚିଲେନି ଜିଲ୍ଲା ପ୍ରଶାସନର କୌଣସି ଅଧିକାରୀ କିମ୍ବା ସ୍ଥାନୀୟ ବିଧାୟକ। ଶେଷରେ କୌଣସି ସମାଧାନ ନ ହୋଇ ଶୁକ୍ରବାର ଶେଷ ହୋଇଛି ଆଞ୍ଚଳିକ ବିକାଶ ପରିଷଦର ଆଠ ଦିନିଆ ଗଣଧାରଣା। ତେବେ ଧାରଣା ଶେଷ ହୋଇଥିଲେ ମଧ୍ୟ ଦାବି ପୂରଣ ନ ହେବାରୁ ଅଞ୍ଚଳବାସୀଙ୍କ ଅସନ୍ତୋଷ ଥମିନାହିଁ।

କୋଲାବିରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର, ବିଶେଷଜ୍ଞ ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କ ଅଭାବ ଦୂର କରିବା ସହ ରୋଗୀସେବାରେ ସୁଧାର ଆଣିବା ଦାବିରେ ଆଞ୍ଚଳିକ ବିକାଶ ପରିଷଦ (ଲଇକେରା, କୋଲାବିରା ଓ କିର୍ମିରା) ପକ୍ଷରୁ ଗତ ୨୦ ତାରିଖରୁ ଏହି ଆନ୍ଦୋଳନ ଆରମ୍ଭ ହୋଇଥିଲା। ପ୍ରତିଦିନ ସକାଳ ୧୧ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଧାରଣା ଚାଲିଥିଲା।

ସରକାରୀ ମଞ୍ଜୁରିପ୍ରାପ୍ତ ପଦବୀ ଅନୁଯାୟୀ, କୋଲାବିରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୪ଟି ବିଶେଷଜ୍ଞ ଡାକ୍ତର, ଜଣେ ଦନ୍ତ ଚିକିତ୍ସକ, ୧୫ ଜଣ ଏମ୍‌ବିବିଏସ୍‌ ଡାକ୍ତର ଓ ୨ଟି ଆସିଷ୍ଟାଣ୍ଟ ସର୍ଜନ ପଦ ରହିଛି। ମାତ୍ର ଏଥିମଧ୍ୟରୁ ୧୪ଟି ଡାକ୍ତର ପଦ ଦୀର୍ଘଦିନ ହେଲା ଖାଲି ପଡ଼ିଛି। ଶିଶୁରୋଗ, ପ୍ରସୂତି ଓ ସ୍ତ୍ରୀରୋଗ, ଶଲ୍ୟ ଚିକିତ୍ସା ଏବଂ ଭେଷଜ ବିଭାଗରେ ଜଣେ ହେଲେ ବିଶେଷଜ୍ଞ ନାହାନ୍ତି। ଏଥିସହ ସ୍ୱାସ୍ଥ୍ୟକେନ୍ଦ୍ରର ଅଧୀକ୍ଷକ ଓ ବ୍ଲକ୍‌ ପ୍ରୋଗ୍ରାମ ମ୍ୟାନେଜର ପଦ ମଧ୍ୟ ଖାଲି ରହିଛି। ଫଳରେ ମୋଟ ୧୬ଟି ପଦବୀ ଖାଲି ପଡ଼ିଥିବାରୁ ସ୍ୱାସ୍ଥ୍ୟସେବା ସହ ପ୍ରଶାସନିକ କାର୍ଯ୍ୟ ମଧ୍ୟ ପ୍ରଭାବିତ ହେଉଛି।

ଡାକ୍ତର ଅଭାବ ଯୋଗୁଁ ସାଧାରଣ ଚିକିତ୍ସା ପାଇଁ ମଧ୍ୟ ରୋଗୀଙ୍କୁ ଅନ୍ୟତ୍ର ଯିବାକୁ ପଡ଼ୁଛି। ଗୁରୁତର ରୋଗୀ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ବୁର୍ଲା ଓ କୁଚିଣ୍ଡା ଭଳି ଦୂରସ୍ଥାନକୁ ଯିବାକୁ ବାଧ୍ୟ ହେଉଛନ୍ତି। ବିଶେଷକରି ଶିଶୁ, ଗର୍ଭବତୀ ମହିଳା ଓ ଜରୁରୀ ଚିକିତ୍ସା ଆବଶ୍ୟକ କରୁଥିବା ରୋଗୀମାନେ ଅଧିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଦୂର ଯାତ୍ରା ଓ ଚିକିତ୍ସାରେ ବିଳମ୍ବ ରୋଗୀଙ୍କ ଜୀବନ ପ୍ରତି ବିପଦ ବଢ଼ାଉଥିବା ନେଇ ଅଞ୍ଚଳବାସୀ ଚିନ୍ତା ପ୍ରକଟ କରିଛନ୍ତି।

ଏଭଳି ଅବ୍ୟବସ୍ଥାର ଅନ୍ତ ଘଟାଇବା ପାଇଁ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ତୁରନ୍ତ ନିଯୁକ୍ତି, ବିଶେଷଜ୍ଞ ଡାକ୍ତର ନିୟୋଜନ, ନିୟମିତ ଔଷଧ ଯୋଗାଣ, ଆବଶ୍ୟକ ଚିକିତ୍ସା ଉପକରଣ ଉପଲବ୍ଧତା ସମେତ ପାଞ୍ଚ ଦଫା ଦାବି ନେଇ ପରିଷଦ ଆନ୍ଦୋଳନ କରିଥିଲା। ଆଠ ଦିନ ଧରି ବିଭିନ୍ନ ସାମାଜିକ ସଂଗଠନ, ରାଜନୈତିକ ବ୍ୟକ୍ତିବିଶେଷ, ବୁଦ୍ଧିଜୀବୀ ଓ ସାମାଜିକ କର୍ମୀ ଧାରଣାସ୍ଥଳକୁ ଆସି ସମର୍ଥନ ଜଣାଇଥିଲେ। କିନ୍ତୁ ଜିଲ୍ଲା ପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗ କିମ୍ବା ସ୍ଥାନୀୟ ବିଧାୟକଙ୍କ ପକ୍ଷରୁ ଆନ୍ଦୋଳନକାରୀଙ୍କ ସହ ଆଲୋଚନା ପାଇଁ କୌଣସି ଉଦ୍ୟମ ହୋଇନଥିବା ପରିଷଦ ଅଭିଯୋଗ କରିଛି।

ଜନସାଧାରଣଙ୍କ ଜୀବନ ଓ ସ୍ୱାସ୍ଥ୍ୟ ସହ ଜଡ଼ିତ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଠ ଦିନ ଧରି ଆନ୍ଦୋଳନ ଚାଲିଥିଲେ ମଧ୍ୟ ପ୍ରଶାସନ ଓ ଜନପ୍ରତିନିଧିଙ୍କ ନିରବତାକୁ ନେଇ ପ୍ରଶ୍ନ ଉଠିଛି। ନିର୍ବାଚନ ସମୟରେ ଲୋକଙ୍କ ପାଖକୁ ଯାଉଥିବା ଜନପ୍ରତିନିଧିମାନେ ମୌଳିକ ସ୍ୱାସ୍ଥ୍ୟସେବା ଭଳି ଜନସ୍ୱାର୍ଥ ପ୍ରସଙ୍ଗରେ କାହିଁକି ନିରବ ରହିଲେ ବୋଲି ଆନ୍ଦୋଳନକାରୀ ପ୍ରଶ୍ନ କରିଛନ୍ତି।

ଧାରଣାରେ ପରିଷଦର ଉପଦେଷ୍ଟା ସୁମନ୍ତ ଶେଖର ବୋହିଦାର, ସଭାପତି ଜିତେନ୍ଦ୍ରିୟ ଧୁରୁଆ, ଉପସଭାପତି ସ୍ୱରୂପ କିସାନ, ସାଧାରଣ ସମ୍ପାଦକ ସମ୍ବିତ ନାଏକ, ସମ୍ପାଦକ ପ୍ରଶାନ୍ତ ମହାନନ୍ଦିଆ, ରୁକ୍ମଣ ମରେଇ, ଖଗେଶ୍ୱର ସେଠ, ଗଜେନ୍ଦ୍ର କୁଆ, ବେଣୁଧର ଡନସନା ଓ ମକରଧ୍ୱଜ କଣ୍ଟାଙ୍କ ସମେତ ବହୁ ସଦସ୍ୟ ସାମିଲ ହୋଇଥିଲେ।

ଅନ୍ୟପକ୍ଷରେ ଯୁବନେତା ବିଶାଳ ଦାସ, ବ୍ଲକ୍‌ ଅଧ୍ୟକ୍ଷ ଭୋଜରାଜ ପଟେଲ, ସଭାନେତ୍ରୀ ପଦ୍ମିନୀ ମୁଣ୍ଡା, ଉପସଭାପତି ନିଳେନ୍ଦ୍ରୀ କଲୋ, ଉପଦେଷ୍ଟା ପ୍ରେମସାଗର ଧୁରୁଆ, ପୂର୍ବତନ ବିଜେଡି ବ୍ଲକ୍‌ ସଭାପତି ସୁରେନ୍ଦ୍ର ନାଏକ, ପ୍ରଭାକର ଓରାମ ଓ ଯୁବନେତା ହେମନ୍ତ କୁମାର ସାହୁଙ୍କ ସମେତ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ଧାରଣାସ୍ଥଳରେ ପହଞ୍ଚି ଆନ୍ଦୋଳନକୁ ସମର୍ଥନ ଜଣାଇଥିଲେ।

ଧାରଣା ଶେଷ ହୋଇଥିଲେ ମଧ୍ୟ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ସଂଗ୍ରାମ ଜାରି ରହିବ ବୋଲି ପରିଷଦର ସଭାପତି ଜିତେନ୍ଦ୍ରିୟ ଧୁରୁଆ କହିଛନ୍ତି। ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ତୁରନ୍ତ ହସ୍ତକ୍ଷେପ କରି ଖାଲି ଡାକ୍ତର ପଦବୀ ପୂରଣ ସହ ପାଞ୍ଚ ଦଫା ଦାବି କାର୍ଯ୍ୟକାରୀ ନ କଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର ଓ ବ୍ୟାପକ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।

Leave A Reply

Your email address will not be published.