ଝାରସୁଗୁଡ଼ା ବିଶ୍ୱବିଦ୍ୟାଳୟ ପାଇଁ ଜମି କେବେ?
ଝାରସୁଗୁଡ଼ା, ୨୬/୧୧: ଝାରସୁଗୁଡ଼ାରେ ପ୍ରସ୍ତାବିତ ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ଜମି ଚିହ୍ନଟ ଓ ଯୋଗାଣ ପ୍ରକ୍ରିୟାରେ ବିଳମ୍ବକୁ ନେଇ ଓଡ଼ିଶା ବିଧାନସଭାରେ ସ୍ୱର ଉଠାଇଛନ୍ତି ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ। ପ୍ରଶ୍ନକାଳରେ ଏହି ଗୁରୁତ୍ୱପୂର୍ଣ୍ଣ ଜନସ୍ୱାର୍ଥ ପ୍ରସଙ୍ଗ ଉଠାଇ ସେ ବିଶ୍ୱବିଦ୍ୟାଳୟ ପାଇଁ କେବେ ସୁଦ୍ଧା ଜମି ଯୋଗାଇ ଦିଆଯିବ, ସେ ନେଇ ସରକାରଙ୍କଠାରୁ ସ୍ପଷ୍ଟ ଉତ୍ତର ଲୋଡ଼ିଥିଲେ।
ବିଧାୟକ ଶ୍ରୀ ତ୍ରିପାଠୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇ କହିଥିଲେ ଯେ, ଝାରସୁଗୁଡ଼ା ଜିଲ୍ଲାରେ ଏକ ସରକାରୀ କଲେଜର ଅଭାବ ରହିଥିବା ବେଳେ ଗତ ବଜେଟରେ ଜିଲ୍ଲା ପାଇଁ ଏକ ବିଶ୍ୱବିଦ୍ୟାଳୟ ଘୋଷଣା ହେବା ଜିଲ୍ଲାବାସୀଙ୍କ ପାଇଁ ଗୌରବର ବିଷୟ। ତେବେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରାୟ ଚାରି ମାସ ପୂର୍ବରୁ ଜମି ଯୋଗାଇଦେବା ପାଇଁ ଜିଲ୍ଲା ପ୍ରଶାସନକୁ ପତ୍ର ଦିଆଯାଇଥିଲେ ମଧ୍ୟ ଏଯାଏଁ ଜମି ଚିହ୍ନଟ କିମ୍ବା ଯୋଗାଣ ହୋଇନାହିଁ। ତେଣୁ ଏହି ପ୍ରକ୍ରିୟା କେବେ ସମ୍ପୂର୍ଣ୍ଣ ହେବ ବୋଲି ସେ ବାଚସ୍ପତିଙ୍କ ମାଧ୍ୟମରେ ରାଜସ୍ୱ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ।
ଏହାର ଉତ୍ତରରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ ଯେ, କେବଳ ଝାରସୁଗୁଡ଼ା ନୁହେଁ, ରାଜ୍ୟର ଅନ୍ୟ କେତେକ ଜିଲ୍ଲାରେ ମଧ୍ୟ ନୂତନ ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ବଜେଟରେ ବ୍ୟବସ୍ଥା ରହିଛି। ଏହି ସମସ୍ତ ବିଶ୍ୱବିଦ୍ୟାଳୟ ପାଇଁ ଉପଯୁକ୍ତ, ବୃହତ୍ ଓ ଉତ୍ତମ ଜମି ଚିହ୍ନଟ କରିବାରେ କିଛି ସମୟ ଲାଗୁଛି। ତେବେ ଅତି ନିକଟ ଭବିଷ୍ୟତରେ ସମସ୍ତ ପ୍ରସ୍ତାବିତ ସ୍ଥାନରେ ଉପଯୁକ୍ତ ଜମି ଯୋଗାଇ ଦିଆଯିବ ବୋଲି ସେ ଗୃହକୁ ଅବଗତ କରାଇଥିଲେ।
ଝାରସୁଗୁଡ଼ାର ଉଚ୍ଚଶିକ୍ଷା ଭିତ୍ତିଭୂମି ସହ ଜଡ଼ିତ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ବିଧାନସଭାରେ ଉଠାଇଥିବାରୁ ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ଜିଲ୍ଲାର ବୁଦ୍ଧିଜୀବୀ ଓ ଛାତ୍ର ସମାଜ ପକ୍ଷରୁ ସ୍ୱାଗତ କରାଯାଇଛି। ଏବେ ମନ୍ତ୍ରୀଙ୍କ ଆଶ୍ୱାସନା କେବେ ବାସ୍ତବ ରୂପ ନେଉଛି ଏବଂ ଝାରସୁଗୁଡ଼ାବାସୀଙ୍କ ବିଶ୍ୱବିଦ୍ୟାଳୟ ସ୍ୱପ୍ନ କେବେ ପୂରଣ ହେଉଛି, ତାହାକୁ ନେଇ ଜିଲ୍ଲାବାସୀଙ୍କ ଅପେକ୍ଷା ରହିଛି।