ବିଜେପୁର: ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଜାରିଙ୍ଗ ଗ୍ରାମରେ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଐତିହାସିକ ରାସଯାତ୍ରା ଓ ବାଲିଯାତ୍ରା ମହୋତ୍ସବ ମହାଆଡ଼ମ୍ବର ଓ ଉତ୍ସାହ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ଛଅ ଦିନ ଧରି ଚାଲୁଥିବା ଏହି ପାରମ୍ପରିକ ଯାତ୍ରାରେ ଅଞ୍ଚଳର ବହୁ ସଂଖ୍ୟକ ଶ୍ରଦ୍ଧାଳୁ, ଦର୍ଶକ ଓ ସାଧାରଣ ଜନତାଙ୍କ ସମାଗମ ହେଉଛି। ଏହି ଐତିହାସିକ ଉତ୍ସବରେ ବିଜେପୁର ବିଧାୟକ ସନତ କୁମାର ଗଡ଼ତିଆ ଯୋଗଦେଇ ଉତ୍ସବର ଶୋଭା ବର୍ଦ୍ଧନ କରିଥିଲେ।ଜାରିଙ୍ଗର ଏହି ପ୍ରସିଦ୍ଧ ଯାତ୍ରା ଦୀର୍ଘ ବର୍ଷର ପରମ୍ପରା, ଐତିହ୍ୟ ଓ ଲୋକସଂସ୍କୃତିକୁ ବହନ କରିଆସୁଛି। ଏହି ଛଅ ଦିନିଆ ମହୋତ୍ସବର ଏକ ପ୍ରମୁଖ ଆକର୍ଷଣ ହେଉଛି ଜଳନ୍ଧର ଦରବାର। ଏହା ମାଧ୍ୟମରେ ପୌରାଣିକ କଥାବସ୍ତୁ ଓ ପାରମ୍ପରିକ ନାଟ୍ୟକଳାକୁ ଜୀବନ୍ତ ଭାବେ ପରିବେଷଣ କରାଯାଇଥାଏ। ଜଳନ୍ଧର ଦରବାର ଦେଖିବା ପାଇଁ ଦୂରଦୂରାନ୍ତରୁ ଦର୍ଶକଙ୍କ ଭିଡ଼ ଜମିଥାଏ। ମହୋତ୍ସବର ଏକ କାର୍ଯ୍ୟକ୍ରମରେ ରାଜକୀୟ ଅତିଥି ଭାବେ ବିଜେପୁର ବ୍ଲକ ଅଧ୍ୟକ୍ଷ ଜୟକୃଷ୍ଣ ଦଣ୍ଡସେନା ଯୋଗଦେଇଥିଲେ। ପ୍ରତ୍ୟେକ ଦିନ ସନ୍ଧ୍ୟାରେ ବିଭିନ୍ନ ପ୍ରକାରର ସାଂସ୍କୃତିକ, ମନୋରଞ୍ଜନମୂଳକ ଓ ପାରମ୍ପରିକ କାର୍ଯ୍ୟକ୍ରମ ଆୟୋଜିତ ହେଉଥିବାରୁ ମହୋତ୍ସବ ପରିସର ଉତ୍ସବମୁଖର ହୋଇଉଠିଛି। ଏହି ଯାତ୍ରା ଗ୍ରାମୀଣ କଳା, ସଂସ୍କୃତି ଓ ପରମ୍ପରାର ସୁରକ୍ଷା ସହ ନୂତନ ପିଢ଼ିକୁ ନିଜ ଐତିହ୍ୟ ସହ ଯୋଡ଼ିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛି। ଜାରିଙ୍ଗର ଏହି ଐତିହାସିକ ରାସଯାତ୍ରା ଓ ବାଲିଯାତ୍ରାକୁ ଆହୁରି ବ୍ୟାପକ ଓ ଆକର୍ଷଣୀୟ କରିବା ସହ ଏହାର ପ୍ରଚାର ପ୍ରସାର ଏବଂ ଉନ୍ନତ ପରିଚାଳନା ଦିଗରେ ପଦକ୍ଷେପ ନେବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି। ଏହି ମହୋତ୍ସବକୁ ଆଗାମୀ ଦିନରେ ଏକ ବୃହତ୍ତର ଆଞ୍ଚଳିକ ସାଂସ୍କୃତିକ ମହୋତ୍ସବରେ ପରିଣତ କରିବା ପାଇଁ ଅଞ୍ଚଳବାସୀ ଆଶା ପ୍ରକାଶ କରିଛନ୍ତି।