୫୧ତମ ଆନ୍ତର୍ଜାତୀୟ ଗୁଣବତ୍ତା ସମ୍ମିଳନୀରେ ଟିପିଡବ୍ଲ୍ୟୁଓଡିଏଲ୍କୁ ୧୦ଟି ସ୍ୱର୍ଣ୍ଣ ପୁରସ୍କାର

10

କମ୍ପାନୀର ସମସ୍ତ ୧୦ଟି ମନୋନୀତ ଟିମ୍‌କୁ ସ୍ୱର୍ଣ୍ଣ ପୁରସ୍କାର; କର୍ମଚାରୀଙ୍କ ଉଦ୍ୟମ, ନୂତନ ଚିନ୍ତାଧାରା ଓ ଗୁଣବତ୍ତାରେ ନିରନ୍ତର ଉନ୍ନତି ପ୍ରତି ପ୍ରତିବଦ୍ଧତାକୁ ଆନ୍ତର୍ଜାତିକ ସ୍ୱୀକୃତି

ବୁର୍ଲା, ୨୫ ନଭେମ୍ବର ୨୦୨୬: ଗୁଣବତ୍ତା, ନବସୃଜନ ଓ ନିରନ୍ତର ଉନ୍ନତି କ୍ଷେତ୍ରରେ ନିଜର ଉଲ୍ଲେଖନୀୟ ସଫଳତା ପ୍ରତିପାଦନ କରି ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍‌ (ଟିପିଡବ୍ଲ୍ୟୁଓଡିଏଲ୍) ୫୧ତମ ଆନ୍ତର୍ଜାତୀୟ ଗୁଣବତ୍ତା ସମ୍ମିଳନୀ {ଇଣ୍ଟରନ୍ୟାସନାଲ୍ କନଭେନସନ୍ ଅନ୍ କ୍ୱାଲିଟି କଣ୍ଟ୍ରୋଲ୍ ସର୍କଲ୍ସ (ଆଇସିକ୍ୟୁସିସି) ୨୦୨୬}ରେ ୧୦ଟି ସ୍ୱର୍ଣ୍ଣ ପୁରସ୍କାର ହାସଲ କରିଛି । କମ୍ପାନୀ ପକ୍ଷରୁ ମନୋନୀତ ସମସ୍ତ ୧୦ଟି ଟିମ୍‌ ନିଜ ନିଜର ଗୁଣବତ୍ତା ଉନ୍ନତିମୂଳକ ପ୍ରକଳ୍ପ ପାଇଁ ସ୍ୱର୍ଣ୍ଣ ପୁରସ୍କାର ହାସଲ କରିଛନ୍ତି । ନଭେମ୍ବର ୧୯ ଓ ୨୦ ତାରିଖରେ ବାଂଲାଦେଶରେ ଆୟୋଜିତ ଏହି ସମ୍ମିଳନୀରେ ୧୪ଟି ସଦସ୍ୟ ଦେଶର ପ୍ରତିନିଧିମାନେ ଯୋଗଦେଇ ଦଳଗତ କାର୍ଯ୍ୟ, ନବସୃଜନ ଓ କାର୍ଯ୍ୟକ୍ଷେତ୍ରରେ ନିରନ୍ତର ଉନ୍ନତି ସମ୍ପର୍କିତ ଅଭିଜ୍ଞତା ଓ ଶ୍ରେଷ୍ଠ ପଦ୍ଧତି ଆଦାନପ୍ରଦାନ କରିଥିଲେ ।

ଏହି ସଫଳତା ଟିପିଡବ୍ଲ୍ୟୁଓଡିଏଲର ବିଭିନ୍ନ ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କ ଦକ୍ଷତା ଓ ସାମୂହିକ ଉଦ୍ୟମକୁ ପ୍ରତିଫଳିତ କରୁଛି । କାର୍ଯ୍ୟକ୍ଷେତ୍ରରେ ଥିବା ସମସ୍ୟାଗୁଡ଼ିକୁ ଚିହ୍ନଟ କରିବା ସହ ତାହାର ସରଳ ଓ ବ୍ୟବହାରିକ ସମାଧାନ ବାହାର କରିବା ଦିଗରେ ଏହି ଟିମ୍‌ଗୁଡ଼ିକ ଉଲ୍ଲେଖନୀୟ ପ୍ରୟାସ କରିଛନ୍ତି । କର୍ମଚାରୀଙ୍କ ନୂତନ ଚିନ୍ତାଧାରାକୁ ଉତ୍ସାହିତ କରିବା, କାର୍ଯ୍ୟପ୍ରଣାଳୀରେ ଉନ୍ନତି ଆଣିବା ଏବଂ ଗ୍ରାହକ ସେବାକୁ ଅଧିକ ଦକ୍ଷ ଓ ସୁଦୃଢ଼ କରିବା ଦିଗରେ କମ୍ପାନୀର ପ୍ରତିବଦ୍ଧତାକୁ ଏହା ଦର୍ଶାଉଛି ।

ସର୍କଲ୍ କନଭେନ୍ସନ୍ ଅନ୍ କ୍ୱାଲିଟି ସର୍କଲ୍ସ (CCQC) ଏବଂ ନ୍ୟାସନାଲ୍ କନଭେନ୍ସନ୍ ଅନ୍ କ୍ୱାଲିଟି ସର୍କଲ୍ସ (NCQC)ରେ ପ୍ରକଳ୍ପଗୁଡ଼ିକର ମୂଲ୍ୟାୟନ ପରେ ଏହି ୧୦ଟି ଟିମ୍‌କୁ ଆନ୍ତର୍ଜାତିକ ସମ୍ମିଳନୀରେ ଟିପିଡବ୍ଲ୍ୟୁଓଡିଏଲର ପ୍ରତିନିଧିତ୍ୱ କରିବା ପାଇଁ ମନୋନୀତ କରାଯାଇଥିଲା । ଆଇସିକ୍ୟୁସିସି ୨୦୨୬ରେ ଟିମ୍‌ଗୁଡ଼ିକ ଗୁଣବତ୍ତା ନିୟନ୍ତ୍ରଣ (QC) ଏବଂ କାଇଜେନ୍ (Kaizen) – ଏହି ଦୁଇଟି ବର୍ଗରେ ନିଜର ପ୍ରକଳ୍ପ ଉପସ୍ଥାପନ କରିଥିଲେ।

କ୍ୟୁସି ବର୍ଗରେ ପୁରସ୍କାର ପାଇଥିବା ଚାରୋଟି ଦଳ ହେଲେ- ‘ଟେକ୍ନୋଲୋଜି ଆଣ୍ଡ ଆରଇ’ ବିଭାଗରୁ ‘ଅନ୍ୱୀକ୍ଷଣ’, ‘କମର୍ସିଆଲ୍’ ବିଭାଗରୁ ‘ମିଟର ମନ୍ଥନ’ ଓ ‘ପ୍ରୋଜେକ୍ଟ ଗ୍ରୀନ୍ ବିଲ୍’ ଏବଂ ‘ଅପରେସନ୍ ସର୍ଭିସେସ୍’ ବିଭାଗରୁ ‘ଆଇଡିଆଭା’ । ସେହିପରି, ‘କାଇଜେନ୍’ ବର୍ଗରେ ଥିବା ଛଅଟି ଦଳ ହେଲେ – ଡିଏସ୍ଏସ୍ ବିଭାଗରୁ ‘ସମ୍ବର୍ଦ୍ଧ’ ଓ ‘ଧ୍ରୁବ’, ‘ଟେକ୍ନିକାଲ୍ ସର୍ଭିସେସ୍ ଆଣ୍ଡ ଅପରେସନ୍ସ’ ବିଭାଗରୁ ‘ବ୍ରେନ୍‌ୱେଭ୍’, ‘ଟେକ୍ନୋଲୋଜି ଆଣ୍ଡ ଆରଇ’ ବିଭାଗରୁ ‘ଟିମ୍ ରିଭାଇଭର୍ସ’ ଓ ‘ଇନ୍‌ଭିନ୍‌ସିବଲ୍ସ’, ଏବଂ ‘କମର୍ସିଆଲ୍’ ବିଭାଗରୁ ‘ରେଭିନ୍ୟୁ ରାଡାର୍’ ।

ଏହି ସଫଳତା ସମ୍ପର୍କରେ ଟିପିଡବ୍ଲ୍ୟୁଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରବୀଣ ବର୍ମା କହିଛନ୍ତି, “ଆନ୍ତର୍ଜାତିକ ସ୍ତରରେ ୧୦ଟି ସ୍ୱର୍ଣ୍ଣ ପୁରସ୍କାର ହାସଲ କରିବା ଟିପିଡବ୍ଲ୍ୟୁଓଡିଏଲ ପାଇଁ ଏକ ଗର୍ବର ମୁହୂର୍ତ୍ତ । ଏହି ସ୍ୱୀକୃତି ଆମ କର୍ମଚାରୀଙ୍କ ଉଦ୍ୟମ, ସୃଜନଶୀଳତା ଓ ସମସ୍ୟାର ସମାଧାନ ପାଇଁ ଥିବା ଦୃଷ୍ଟିକୋଣକୁ ପ୍ରତିଫଳିତ କରୁଛି । କାର୍ଯ୍ୟପ୍ରଣାଳୀରେ ନିରନ୍ତର ଉନ୍ନତି ଆଣିବା ପାଇଁ ସେମାନେ ସବୁବେଳେ ଉଦ୍ୟମ କରୁଛନ୍ତି। ଆମର ବିଶ୍ୱାସ ଯେ, ସଂଗଠନର ପ୍ରତ୍ୟେକ ସ୍ତରରେ କର୍ମଚାରୀଙ୍କ ସକ୍ରିୟ ଅଂଶଗ୍ରହଣ ଓ ଛୋଟ ଛୋଟ ଉନ୍ନତିମୂଳକ ପଦକ୍ଷେପ ହିଁ ଗୁଣବତ୍ତାର ଏକ ସୁଦୃଢ଼ ସଂସ୍କୃତି ଗଢ଼ିତୋଳେ। ଏହି ଉଲ୍ଲେଖନୀୟ ସଫଳତା ପାଇଁ ସମସ୍ତ ୧୦ଟି ଟିମ୍‌କୁ ମୁଁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି ।”

ଏହା ପୂର୍ବରୁ ୨୦୨୬ରେ ଆୟୋଜିତ ସର୍କଲ୍ କନଭେନ୍ସନ୍ ଅନ୍ କ୍ୱାଲିଟି ସର୍କଲ୍ସରେ ମଧ୍ୟ ଟିପିଡବ୍ଲ୍ୟୁଓଡିଏଲ ଉଲ୍ଲେଖନୀୟ ସଫଳତା ହାସଲ କରିଥିଲା । ସେଠାରେ କମ୍ପାନୀର ସମସ୍ତ ୨୬ଟି ଅଂଶଗ୍ରହଣକାରୀ ଟିମ୍ ପୁରସ୍କୃତ ହୋଇଥିବାବେଳେ ୨୧ଟି ସ୍ୱର୍ଣ୍ଣ ଓ ୫ଟି ରୌପ୍ୟ ପୁରସ୍କାର ମିଳିଥିଲା । ଏହା ସହିତ ରାଉରକେଲାରେ ଆୟୋଜିତ ସିସିକ୍ୟୁସିର କାଇଜେନ୍ ବର୍ଗରେ ‘ଟିମ୍ ଅର୍ଥସିଦ୍ଧି’ ପ୍ରତିଷ୍ଠିତ ‘ଜେ.କେ. ଦାଶ ରୋଲିଂ ଟ୍ରଫି – ସ୍ୱର୍ଣ୍ଣ ପୁରସ୍କାର’ ଜିତିବା ସହ ମୋଟ ୨୨୮ଟି ଦଳ ମଧ୍ୟରୁ ଦ୍ୱିତୀୟ ସର୍ବୋଚ୍ଚ ସ୍ଥାନ ଅଧିକାର କରିଥିଲା ।

ବାଂଲାଦେଶ ସୋସାଇଟି ଫର୍ ଟୋଟାଲ୍ କ୍ୱାଲିଟି ମ୍ୟାନେଜମେଣ୍ଟ ପକ୍ଷରୁ ଆୟୋଜିତ ୫୧ତମ ଆଇସିକ୍ୟୁସିସିରେ ୧୪ଟି ସଦସ୍ୟ ଦେଶର ବିଭିନ୍ନ ସଂଗଠନ ଯୋଗଦେଇ ଗୁଣବତ୍ତା ପରିଚାଳନା ଓ ନିରନ୍ତର ଉନ୍ନତି କ୍ଷେତ୍ରରେ ନିଜ ନିଜର ଅଭିଜ୍ଞତା ଓ ଶ୍ରେଷ୍ଠ ପଦ୍ଧତି ଆଦାନପ୍ରଦାନ କରିଥିଲେ ।

Leave A Reply

Your email address will not be published.