” ଶିଶୁ ଶ୍ରମିକ ବ୍ୟବସ୍ଥାର ମୁଳୋତ୍ପାଟନ ଜରୁରୀ “

0

ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଶିଶୁମାନଙ୍କ ନିମନ୍ତେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ନବ ଜୀବନ ନିରାଶ୍ରୟ ଓ ଦୃଷ୍ଟିହୀନ ଶିଶୁ ସେବା କେନ୍ଦ୍ର ଠାରେ ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ କାର୍ଯ୍ୟକ୍ରମ ପାଳନ ଅବସରରେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଶିଶୁ ମାନଙ୍କ ନିମନ୍ତେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
    ପ୍ରାଧିକରଣର ସମ୍ପାଦିକା ଦିପା ଦାସଙ୍କ ଅଧ୍ୟକ୍ଷତାରେ ଅତିରିକ୍ତ ଜିଲ୍ଲା ଦୌରା ଜଜ ଅରୁଣ କୁମାର ସାହୁ ଯୋଗ ଦେଇ ଶିଶୁ ମାନେ ହେଉଛନ୍ତି ଦେଶର ଭବିଷ୍ୟତ । ଏଣୁ ସେମାନଙ୍କୁ କୌଣସି ହେଲେ ଶ୍ରମ କାମରେ ଲଗାଇବା ଏକ ଅପରାଧ । ଶିଶୁ ମାନଙ୍କୁ କୌଣସି ହେଲେ ଶାରୀରିକ କି ମାନସିକ କାର୍ଯ୍ୟରେ ଲଗାଇବା ଦ୍ୱାରା ସେମାନଙ୍କ ଓ ଦେଶର ଭବିଷ୍ୟତ ନଷ୍ଟ ହୋଇଥାଏ କହିଲେ ଅତ୍ୟୁକ୍ତି ହେବ ନାହିଁ । ତେଣୁ ଏହି ଶିଶୁ ଶ୍ରମିକ ପ୍ରଥାକୁ ସବୁ ସ୍ଥରରେ ରୋକାଯାଇ ଏହାର ମୁଳୋତ୍ପାଟନ କରିବା ପାଇଁ ସବୁ ସ୍ତରରେ ଉଦ୍ୟମ ଦରକାର ।

କାର୍ଯ୍ୟକ୍ରମରେ ଶିଶୁ ମାନଙ୍କ ନିମନ୍ତେ ରହିଥିବା ବିଭିନ୍ନ ମୌଳିକ ଓ ଆଇନଗତ ଅଧିକାର ଉପରେ କହି ଯେଉଁ ମାନେ ଏହି ଅଧିକାର ଆଇନର ଖିଲାପ କରିବେ ସେମାନଙ୍କ ପ୍ରତି ରହିଥିବା ଆଇନଗତ ଦଣ୍ଡ ବିଧାନ ଓ ଜୋରିମାନା ଉପରେ କୁହାଯାଇଥିଲା ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ କୋର୍ଟ ରେଜିଷ୍ଟ୍ରାର ଶୁଭଶ୍ରୀ ପ୍ରଧାନ, ଜିଲ୍ଲା ଶିଶୁ କଲ୍ୟାଣ ସମିତି ଅଧ୍ୟକ୍ଷ ବିନୋଦ ଚନ୍ଦ୍ର ଜେନା ଏବଂ ନବଜୀବନ ଅନୁଷ୍ଠାନର ପରିଚାଳକ ଏସ. ଭେଙ୍କେଟ ରାବଣା ପ୍ରମୁଖ ଅତିଥି ମାନେ ଯୋଗ ଦେଇ ଶିଶୁ ମାନଙ୍କ ବିଭିନ୍ନ ମୌଳିକ ଓ ଆଇନଗତ ଅଧିକାର ଶିଶୁ ମାନଙ୍କୁ କିଭଳି କମ୍‍ ମଜୁରୀ ଦେଇ ଶାରୀରୀକ ଓ ମାନସିକ ଭାବେ ଅତ୍ୟାଧିକ ଶୋଷଣ କରାଯାଇଥାଏ ଏବଂ ଶିଶୁ ଶ୍ରମିକ ଭାବେ ଜଣେ ଉଦ୍ଧାର ହେବା ପରେ କିଭଳି ସେମାନଙ୍କ ଥଇଥାନ ବ୍ୟବସ୍ଥା କରାଯାଇଥାଏ ତାହା କହିଥିଲେ ।
    ଏଥି ଅବସରରେ ଶିଶୁ ଶ୍ରମିକ ପ୍ରଥା ଲୋପ ପାଇଁ ଉପସ୍ଥିତ ଶିଶୁ ମାନେ ଶପଥ ନେଇଥିଲେ । ଏଥି ସହିତ ଶିଶୁ ମାନେ ନୃତ୍ୟ ପରିବେଷଣ ସହିତ ଆତ୍ମ ସୁରକ୍ଷା କୌଶଳର ପ୍ରଦର୍ଶନ କରିଥିଲେ ।
    ଜିଲ୍ଲାର ବିଭିନ୍ନ ସ୍ଥାନରେ ଶିଶୁ ମାନେ ଶିଶୁ ଶ୍ରମିକ ଭାବେ ନିୟୋଜିତ ହୋଇ ଶୋଷଣ ହୋଇଥିବା ନଜିର ଅନେକ ରହିଛି । ବିଭିନ୍ନ କଷ୍ଟ କାମରେ ସେମାନଙ୍କୁ ଲଗାଯାଇ କାମ ମଜୁରୀ ଦେଇ ଅଧିକ କାମ ହାସଲ କରାଯାଇଥାଏ । ଏହାକୁ କୌଣସି ସ୍ତରରେ ହେଲେ ରୋକାଯାଇପାରୁନାହିଁ । ଯାହାକି ତାହା ଏକ ସାମାଜିକ ବ୍ୟାଧି ଭାବେ ହୋଇଗଲାଣି ।
    ସମସ୍ତ କାର୍ଯ୍ୟକ୍ରମକୁ ନବଜୀବନ ଅନୁଷ୍ଠାନର ବି.ଜୟଲକ୍ଷ୍ମୀ, ଏସ.ସ୍ୱର୍ଣ୍ଣଲତା ଓ ପ୍ରାଧିକରଣର କର୍ମଚାରୀ ମାନେ ପରିଚାଳନା କରିଥିଲେ ।

Leave A Reply

Your email address will not be published.