ପତ୍ରାପାଲି ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ପ୍ରଦର୍ଶନୀ ସହ ଶିଶୁ ଦିବସ ପାଳିତ

8


ବିଜ୍ଞାନଭିତ୍ତିକ ମଡେଲ୍‌ରେ ଛାତ୍ରଛାତ୍ରୀଙ୍କ ପ୍ରତିଭା ପ୍ରଦର୍ଶନ, କୃତୀ ପ୍ରତିଯୋଗୀ ପୁରସ୍କୃତ

ଝାରସୁଗୁଡା: ପତ୍ରାପାଲିସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବିଜ୍ଞାନ ପ୍ରଦର୍ଶନୀ ସହ ଶିଶୁ ଦିବସ ଉତ୍ସବ ଆନନ୍ଦ ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟ ପରିସର ଛାତ୍ରଛାତ୍ରୀଙ୍କ ସୃଜନଶୀଳତା, ଉତ୍ସାହ ଓ ପ୍ରତିଭାରେ ମୁଖରିତ ହୋଇଉଠିଥିଲା।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ପବିତ୍ର କୁମାର କର ଉପସ୍ଥିତ ଅତିଥିମାନଙ୍କୁ ସ୍ୱାଗତ ଜଣାଇ ଉତ୍ସବର ଶୁଭାରମ୍ଭ କରିଥିଲେ। ନିଜ ଅଭିଭାଷଣରେ ସେ ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳା, ନିଷ୍ଠା, ଆତ୍ମବିଶ୍ୱାସ ଓ ନିରନ୍ତର ଅଧ୍ୟବସାୟର ମହତ୍ତ୍ୱ ବୁଝାଇବା ସହ ଜୀବନରେ ଜଣେ ଉତ୍ତମ ମଣିଷ ହେବାକୁ ପ୍ରେରଣା ଦେଇଥିଲେ।

ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା ବିଜ୍ଞାନ ପ୍ରଦର୍ଶନୀ। ଏଥିରେ ଛାତ୍ରଛାତ୍ରୀମାନେ ବିଭିନ୍ନ ବିଜ୍ଞାନଭିତ୍ତିକ ମଡେଲ୍ ଓ ପ୍ରକଳ୍ପ ପ୍ରଦର୍ଶନ କରି ନିଜର ବୈଜ୍ଞାନିକ ଚିନ୍ତାଧାରା, ଜ୍ଞାନକୌଶଳ ଓ ସୃଜନଶୀଳତାର ପରିଚୟ ଦେଇଥିଲେ। ଏହାବ୍ୟତୀତ ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ନିମନ୍ତେ ରଚନା, ରଙ୍ଗୋଲି, ଚିତ୍ରାଙ୍କନ ଓ ରଙ୍ଗତୂଳୀ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ନୃତ୍ୟ ଓ ସଙ୍ଗୀତ ପରିବେଷଣ ଉତ୍ସବର ଆକର୍ଷଣକୁ ଦ୍ୱିଗୁଣିତ କରିଥିଲା।

ଏହି ଅବସରରେ ବିଦ୍ୟାଳୟର ଏସ୍‌ଏମ୍‌ସି ସଭାପତି ଅମିତ ନାଗଙ୍କ ସମେତ ଅନ୍ୟାନ୍ୟ ଅତିଥି ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ନିଜ ବକ୍ତବ୍ୟରେ ଅତିଥିମାନେ ବିଜ୍ଞାନମନସ୍କତା, ସୃଜନଶୀଳତା, ପରିବେଶ ସୁରକ୍ଷା ଓ ଶିଶୁମାନଙ୍କ ସର୍ବାଙ୍ଗୀଣ ବିକାଶ ଉପରେ ଗୁରୁତ୍ୱ ଦେଇଥିଲେ।କାର୍ଯ୍ୟକ୍ରମ ଶେଷରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସମୂହ ପ୍ରୟାସ ଓ ସହଯୋଗରେ ସମଗ୍ର ଉତ୍ସବ ସୁଚାରୁରୂପେ ସମ୍ପନ୍ନ ହୋଇଥିଲା। ଶେଷରେ ଏସ୍‌ଏମ୍‌ସି ସଭାପତି ଅମିତ ନାଗ ସମସ୍ତ ଅତିଥି, ଶିକ୍ଷକ-ଶିକ୍ଷୟିତ୍ରୀ, ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ।

ଏଭଳି କାର୍ଯ୍ୟକ୍ରମ ପାଠପଢ଼ା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ, ଦଳଗତ ମନୋଭାବ, ପ୍ରତିଯୋଗିତାମୂଳକ ଚିନ୍ତାଧାରା ଓ ସୃଜନଶୀଳତାର ବିକାଶରେ ବିଶେଷ ସହାୟକ ହେବ ବୋଲି ମତ ପ୍ରକାଶ ପାଇଥିଲା।

Leave A Reply

Your email address will not be published.