ଇବ ଥର୍ମାଲ ଠାରେ ଏଫଜିଡି ପ୍ରକଳ୍ପ ଓ ଫ୍ଲାଏ ଆସ୍ ପରିଚାଳନା ବ୍ୟବସ୍ଥାର ଉଦଘାଟନ
ଇବ ଥର୍ମାଲ : ଓଡ଼ିଶା ପାୱାର ଜେନେରେସନ କର୍ପୋରେସନ ଲିମିଟେଡ୍ (ଓପିଜିସି)ର ୪୩ତମ ପ୍ରତିଷ୍ଠା ଦିବସ ନଭେମ୍ବର ୧୪ ତାରିଖରେ ଇବ ଥର୍ମାଲ ପାୱାର ଷ୍ଟେସନ (ଆଇଟିପିଏସ)ଠାରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଓପିଜିସିର ୟୁନିଟ୍ ୧ ଓ ୨ ପାଇଁ ନିର୍ମିତ ଦୁଇଟି ପରିବେଶ ସୁରକ୍ଷା ପ୍ରକଳ୍ପ—Flue Gas Desulphurization System (ଏଫଜିଡି) ପ୍ରକଳ୍ପ ଏବଂ ଫ୍ଲାଏ ଆସ୍ ଅଗମେଣ୍ଟେସନ ବ୍ୟବସ୍ଥାର ଉଦଘାଟନ କରାଯାଇଥିଲା। ଏହି ପ୍ରକଳ୍ପଗୁଡ଼ିକ ଓପିଜିସିର ପରିବେଶ ସୁରକ୍ଷା ଓ ଦାୟିତ୍ୱପୂର୍ଣ୍ଣ ବିଦ୍ୟୁତ ଉତ୍ପାଦନ ପ୍ରତି ରହିଥିବା ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରିଛି।
ମୁଖ୍ୟ ଅତିଥି ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଓପିଜିସିର ଅଧ୍ୟକ୍ଷ ବିଶାଳ କୁମାର ଦେବ (ଭା.ପ୍ର.ସେ) ଏହି ଦୁଇଟି ପ୍ରକଳ୍ପର ଉଦଘାଟନ କରିଥିଲେ। ଏହି ଅବସରରେ ଓପିଜିସିର ପରିଚାଳନା ନିର୍ଦ୍ଦେଶକ କେଦାର ରଞ୍ଜନ ପାଣ୍ଡୁ ନିର୍ଦ୍ଦେଶକ (ଅପରେସନ୍ସ) ଅଞ୍ଜନI ରଞ୍ଜନ ଦାଶ, ନିର୍ଦ୍ଦେଶକ (ଅର୍ଥ) ଗଗନ ବିହାରୀ ସ୍ୱାଇଁ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ପ୍ରତିଷ୍ଠା ଦିବସର କାର୍ଯ୍ୟକ୍ରମ ଏକ ମିନି ମାରାଥନ୍ରୁ ଆରମ୍ଭ ହୋଇଥିଲା। ଓପିଜିସିର ପରିଚାଳନା ନିର୍ଦ୍ଦେଶକକେଦାର ରଞ୍ଜନ ପାଣ୍ଡୁ ମାରାଥନ୍କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ସମୟରେ ନିର୍ଦ୍ଦେଶକ (ଅପରେସନ୍ସ), ନିର୍ଦ୍ଦେଶକ (ଅର୍ଥ), ବରିଷ୍ଠ ଉପସଭାପତି (ଅପରେସନ୍ସ) ସୁକାନ୍ତ ମହାପାତ୍ର, ବରିଷ୍ଠ ମହାପ୍ରବନ୍ଧକ (ମାନବ ସମ୍ବଳ) ସୁଭାଶିଷ ମୁଖାର୍ଜୀ, ବିଭାଗୀୟ ମୁଖ୍ୟ, କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟ ଉପସ୍ଥିତ ଥିଲେ। କର୍ମଚାରୀ, ମହିଳା ଓ ଶିଶୁ—ଏହି ତିନୋଟି ବର୍ଗରେ ମାରାଥନ୍ ଆୟୋଜିତ ହୋଇଥିଲା। ଏଥିରେ ୫୦୦ରୁ ଅଧିକ ଲୋକ ଭାଗ ନେଇଥିଲେ।
ଏହାପରେ ହେଲିପ୍ୟାଡ୍ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ମୁଖ୍ୟ ଅତିଥି ବିଶାଳ କୁମାର ଦେବଙ୍କ(ଭା.ପ୍ର.ସେ) ନେତୃତ୍ୱରେ ପରିଚାଳନା ନିର୍ଦ୍ଦେଶକ, ନିର୍ଦ୍ଦେଶକ- ଅପେରସନ, ନିର୍ଦ୍ଦେଶକ- ବିତ୍ତ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଏଥିରେ ଯୋଗ ଦେଇଥିଲେ। ପରେ ମୁଖ୍ୟ ଅତିଥି ରକ୍ତଦାନ ଶିବିରର ଉଦଘାଟନ କରିଥିଲେ। ଇବ ଥର୍ମାଲ ହସ୍ପିଟାଲଠାରେ ରେଡ୍କ୍ରସ୍ ସହଯୋଗରେ ଆୟୋଜିତ ଏହି ଶିବିରରେ ଓପିଜିସିର କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ସମେତ ସ୍ୱେଚ୍ଛାକୃତ ରକ୍ତଦାତାମାନେ ଭାଗ ନେଇଥିଲେ। ଏଥିରୁ ମୋଟ ୪୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଏହା ସହିତ ଶିବ ମନ୍ଦିରରେ ପୂଜା ଓ ହୋମ ଆୟୋଜିତ ହୋଇଥିଲା।
ଏହି ଅବସରରେ ଓପିଜିସି ଅଡିଟୋରିୟମ୍ଠାରେ ମୁଖ୍ୟ ସମାରୋହ ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ବିଶାଳ କୁମାର ଦେବ, ସମ୍ମାନିତ ଅତିଥି ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ (ଆରଡିସି-ଏନଡି) ସଂଗ୍ରାମ କେଶରୀ ମହାପାତ୍ର- (ଭା.ପ୍ର.ସେ) ., ନିକଟସ୍ଥ ଶିଳ୍ପାନୁଷ୍ଠାନ ମାନଙ୍କର ପ୍ରତିନିଧି, ଜିଲ୍ଲା ପ୍ରଶାସନର ଅଧିକାରୀ, ନିକଟସ୍ଥ ପଞ୍ଚାୟତର ଜନପ୍ରତିନିଧି, ଓପିଜିସି କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟ ଯୋଗ ଦେଇଥିଲେ।
ନିଜ ଅଭିଭାଷଣରେ ମୁଖ୍ୟ ଅତିଥି ବିଶାଳ କୁମାର ଦେବ ରାଜ୍ୟର ବିଦ୍ୟୁତ ଆବଶ୍ୟକତା ପୂରଣରେ ଓପିଜିସିର ଗୁରୁତ୍ୱପୂର୍ଣ୍ଣ ଅବଦାନ ଉପରେ ଆଲୋକପାତ କରିଥିଲେ। ବୈଷୟିକ ଉନ୍ନତି ଓ ଆର୍ଥିକ କ୍ଷେତ୍ରରେ ଓପିଜିସି ହାସଲ କରିଥିବା ସଫଳତାକୁ ମଧ୍ୟ ସେ ପ୍ରଶଂସା କରିଥିଲେ।
ପରିଚାଳନା ନିର୍ଦ୍ଦେଶକ କେଦାର ରଞ୍ଜନ ପାଣ୍ଡୁ ନିଜ ଅଭିଭାଷଣରେ ଓପିଜିସିର ଭବିଷ୍ୟତ ଯୋଜନା, ବିଶେଷକରି ପ୍ରସ୍ତାବିତ ୫ମ ଓ ୬ଷ୍ଠ ୟୁନିଟ୍ ଏବଂ ୫୦ ମେଗାୱାଟ୍ ସୌର ବିଦ୍ୟୁତ ପ୍ରକଳ୍ପ ସମ୍ପର୍କରେ ଉଲ୍ଲେଖ କରିଥିଲେ। ମାନବ ସମ୍ବଳର ପୁନର୍ଗଠନ କ୍ଷେତ୍ରରେ ହୋଇଥିବା ସାମ୍ପ୍ରତିକ ପଦକ୍ଷେପ ବିଷୟରେ ମଧ୍ୟ ସେ କହିଥିଲେ। ଓପିଜିସିକୁ ଆଜିର ସ୍ଥିତିରେ ପହଞ୍ଚାଇବାରେ ଅତୀତ ଓ ବର୍ତ୍ତମାନର କର୍ମଚାରୀଙ୍କ ଅବଦାନକୁ ସ୍ୱୀକାର କରି ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।
ସମ୍ମାନିତ ଅତିଥି ଆରଡିସି-ଏନଡି ସଂଗ୍ରାମ କେଶରୀ ମହାପାତ୍ର କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗଙ୍କୁ ପ୍ରତିଷ୍ଠା ଦିବସର ଶୁଭେଚ୍ଛା ଜଣାଇଥିଲେ। ନିର୍ଦ୍ଦେଶକ (ଅପରେସନ୍ସ) ଅଞ୍ଜନI ରଞ୍ଜନ ଦାଶ ଓପିଜିସିର ଅପେରସନ କ୍ଷେତ୍ର ରେ ହାସଲ କରିଥିବା ସଫଳତା ବିଷୟରେ କହିବା ସହ ରାଜ୍ୟ ସରକାରୀ ବିଦ୍ୟୁତ ଉତ୍ପାଦନ କମ୍ପାନୀଗୁଡ଼ିକ ମଧ୍ୟରେ ଓପିଜିସି ପ୍ରଥମ ସ୍ଥାନ ହାସଲ କରିଥିବା ଉଲ୍ଲେଖ କରିଥିଲେ। ନିର୍ଦ୍ଦେଶକ (ବିତ୍ତ) ଗଗନ ବିହାରୀ ସ୍ୱାଇଁ ଓପିଜିସିର ଆର୍ଥିକ ସଫଳତା ଓ ଅଗ୍ରଗତି ସମ୍ପର୍କରେ ଆଲୋକପାତ କରିଥିଲେ।
ଏହି ଅବସରରେ ଓପିଜିସିର ଯାତ୍ରା, ରାଜ୍ୟର ଶକ୍ତି କ୍ଷେତ୍ରକୁ ଏହାର ଅବଦାନ ଏବଂ ସିଏସଆର କାର୍ଯ୍ୟକ୍ରମ ଉପରେ ଆଧାରିତ ଏକ ସ୍ୱତନ୍ତ୍ର ଭିଡିଓ ପ୍ରଦର୍ଶିତ ହୋଇଥିଲା। ଏଥି ସହ ଓପିଜିସି ପକ୍ଷରୁ ଦୁଇଟି ସିଏସଆର ପ୍ରକଳ୍ପ—‘ୱାଡ଼ି ଓ ପୋଷଣ ବାଟିକା ପ୍ରକଳ୍ପ ଏବଂ ‘ଶିକ୍ଷଣ ଦକ୍ଷତା ବୃଦ୍ଧି ଓ ପ୍ରତିକାରମୂଳକ ଶିକ୍ଷା ପ୍ରକଳ୍ପ ’ର ଶୁଭାରମ୍ଭ କରାଯାଇଥିଲା। ଏହି ପ୍ରକଳ୍ପଗୁଡ଼ିକର ସଂକ୍ଷିପ୍ତ ବିବରଣୀ ପୁସ୍ତିକାକୁ ମଞ୍ଚାସୀନ ଅତିଥିମାନେ ଉନ୍ମୋଚନ କରିଥିଲେ। ଏଥିସହ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କ ପିଜିଡିଏମ୍ (PGDM) ପାଠ୍ୟକ୍ରମ ପାଇଁ ଆର୍ଥିକ ସହାୟତା ପ୍ରଦାନ ଉଦ୍ଦେଶ୍ୟରେ ଓପିଜିସି ଓ ଭାରତୀୟ ବିଦ୍ୟା ଭବନ ମଧ୍ୟରେ ଅନ୍ୟ ଏକ ସିଏସଆର ପ୍ରକଳ୍ପ ସମ୍ପର୍କିତ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା। ଇବ ଥର୍ମାଲସ୍ଥିତ ଡିଏଭି ସ୍କୁଲଗୁଡ଼ିକର ଛାତ୍ରଛାତ୍ରୀମାନଙ୍କୁ ନିକଟରେ ଅନୁଷ୍ଠିତ ଜାତୀୟ ଡିଏଭି କ୍ରୀଡ଼ା ପ୍ରତିଯୋଗିତାରେ ସେମାନଙ୍କ ଉଲ୍ଲେଖନୀୟ ସଫଳତା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। ବରିଷ୍ଠ ଉପସଭାପତି (ଅପରେସନ୍ସ) ସୁକାନ୍ତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
ସନ୍ଧ୍ୟାରେ ହେଲିପ୍ୟାଡ୍ ପଡ଼ିଆରେ ଏକ ଆକର୍ଷଣୀୟ ଉତ୍ସବ ଆୟୋଜିତ ହୋଇଥିଲା। ବରିଷ୍ଠ ଅଧିକାରୀମାନଙ୍କ ଦ୍ୱାରା ଦୀପ ପ୍ରଜ୍ୱଳନ ସହ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହାପରେ ଆନନ୍ଦ ମେଳାର ଉଦଘାଟନ କରାଯାଇଥିଲା। ଏଥିରେ ଓପିଜିସି କର୍ମଚାରୀ ଓ ସେମାନଙ୍କ ପରିବାର, ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ଏବଂ ବିଭିନ୍ନ ସଂସ୍ଥା ପକ୍ଷରୁ ଷ୍ଟଲ୍ ଖୋଲାଯାଇଥିଲା। ଶେଷରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା କଣ୍ଠଶିଳ୍ପୀ ଓ ସଙ୍ଗୀତ ଦଳଙ୍କ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ସହ ପ୍ରତିଷ୍ଠା ଦିବସର ଉତ୍ସବ ଶେଷ ହୋଇଥିଲା।