ବଲାଙ୍ଗୀରରୁ ଓଡ଼ିଶାରେ ଆବାସ ବଣ୍ଟନର ଶୁଭାରମ୍ଭ

2

  • ରାଜ୍ୟକୁ ମିଳିଲା ଆଉ ୧ ଲକ୍ଷ ପକ୍କା ଘର, ମୋଟ ମଞ୍ଜୁରି ସଂଖ୍ୟା ୫ ଲକ୍ଷକୁ ବୃଦ୍ଧି
  • ବଲାଙ୍ଗୀର ଜିଲ୍ଲା ପାଇଁ ୯୧୧ କୋଟି ଟଙ୍କାର ୨୪୮ଟି ପ୍ରକଳ୍ପର ଶୁଭାରମ୍ଭ
  • ବଲାଙ୍ଗୀର ମାଟିରୁ ଆରମ୍ଭ ହେବ ଦାରିଦ୍ର୍ୟ ଦୂରୀକରଣ ପାଇଲଟ୍ ପ୍ରକଳ୍ପ: ଶିବରାଜ ସିଂ ଚୌହାନ

ବଲାଙ୍ଗୀର, ୧୪/୧୧: ଗ୍ରାମାଞ୍ଚଳର ପ୍ରତ୍ୟେକ ଗରିବ ପରିବାରକୁ ପକ୍କା ଘର ଯୋଗାଇଦେବା ଲକ୍ଷ୍ୟରେ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଅଧୀନରେ ନୂତନ ଆବାସ ବଣ୍ଟନର ଶୁଭାରମ୍ଭ ବଲାଙ୍ଗୀରରୁ ହୋଇଛି। ଏହି ଅବସରରେ ରାଜ୍ୟକୁ ଅତିରିକ୍ତ ଏକ ଲକ୍ଷ ଘର ମଞ୍ଜୁର ହୋଇଥିବା ଘୋଷଣା କରାଯାଇଛି। ଫଳରେ ଓଡ଼ିଶା ପାଇଁ ମୋଟ ମଞ୍ଜୁରି ଆବାସ ସଂଖ୍ୟା ୫ ଲକ୍ଷରେ ପହଞ୍ଚିଛି। ଶନିବାର ବଲାଙ୍ଗୀରସ୍ଥିତ ମା’ ପାଟଣେଶ୍ୱରୀଙ୍କ ପୀଠରେ ଆୟୋଜିତ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଆବାସ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

କାର୍ଯ୍ୟକ୍ରମରେ କେନ୍ଦ୍ର ଗ୍ରାମୀଣ ବିକାଶ ଓ କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସମେତ ରାଜ୍ୟ ସରକାରଙ୍କ ଅନେକ ମନ୍ତ୍ରୀ ଓ ଜନପ୍ରତିନିଧି ଯୋଗ ଦେଇଥିଲେ।

ସମସ୍ତଙ୍କ ମୁଣ୍ଡ ଉପରେ ପକ୍କା ଛାତ ସର୍ବୋଚ୍ଚ ପ୍ରାଥମିକତା

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାର ଯେତେବେଳେ ଏକ ସୁରକ୍ଷିତ ପକ୍କା ଘରେ ନିଶ୍ଚିନ୍ତରେ ରହିପାରିବେ, ସେତେବେଳେ ରାଜ୍ୟର ବିକାଶ ଆହୁରି ତ୍ୱରାନ୍ୱିତ ହେବ। ପକ୍କା ଘର କେବଳ ଇଟା, ବାଲି ଓ ସିମେଣ୍ଟର ଏକ ନିର୍ମାଣ ନୁହେଁ, ଏହା ଗରିବ ପରିବାରର ସମ୍ମାନ, ସୁରକ୍ଷା ଓ ଉଜ୍ଜ୍ୱଳ ଭବିଷ୍ୟତର ପ୍ରତୀକ। ସମସ୍ତଙ୍କ ମୁଣ୍ଡ ଉପରେ ପକ୍କା ଛାତ ଯୋଗାଇଦେବା ଆମ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ବୋଲି ସେ ପ୍ରକାଶ କରିଥିଲେ।

ସେ ଆହୁରି କହିଥିଲେ ଯେ, ୨୦୧୪-୧୫ ଆର୍ଥିକ ବର୍ଷଠାରୁ ଓଡ଼ିଶାରେ ବିଭିନ୍ନ ଗ୍ରାମୀଣ ଆବାସ ଯୋଜନାରେ ୪୧ ଲକ୍ଷରୁ ଅଧିକ ପକ୍କା ଘର ନିର୍ମାଣ ହୋଇଛି। ସେହିପରି ଗତ ଦୁଇ ବର୍ଷ ମଧ୍ୟରେ ୫ ଲକ୍ଷ ୬୬ ହଜାରରୁ ଅଧିକ ଘର ନିର୍ମାଣ ଶେଷ ହୋଇଛି।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ ଅଧୀନରେ ଓଡ଼ିଶାକୁ ମୋଟ ୨୮ ଲକ୍ଷ ୬ ହଜାର ଘର ମଞ୍ଜୁର ହୋଇଥିବା ବେଳେ ୨୫ ଲକ୍ଷ ୫୮ ହଜାର ଘର ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି। ହିତାଧିକାରୀଙ୍କୁ ଘର ସହିତ ଶୌଚାଳୟ, ପାଇପ୍‌ ଯୋଗେ ପାନୀୟ ଜଳ, ରନ୍ଧନ ଗ୍ୟାସ୍‌ ଓ ବିଦ୍ୟୁତ୍‌ ଭଳି ମୌଳିକ ସୁବିଧା ଯୋଗାଇଦେବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି।

ଓଡ଼ିଶାକୁ ଆଉ ଏକ ଲକ୍ଷ ଆବାସ ମଞ୍ଜୁର

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୨୦୨୫ ଜାନୁଆରୀରୁ ମେ’ ମାସ ମଧ୍ୟରେ ହୋଇଥିବା ‘ଆବାସ ପ୍ଲସ୍‌ ୨୦୨୪’ ସର୍ଭେ ଆଧାରରେ ରାଜ୍ୟକୁ ପୂର୍ବରୁ ୪ ଲକ୍ଷ ଘର ମଞ୍ଜୁର ହୋଇଥିଲା। ବର୍ତ୍ତମାନ ଆଉ ଏକ ଲକ୍ଷ ଘର ମଞ୍ଜୁର ହୋଇଥିବାରୁ ମୋଟ ସଂଖ୍ୟା ୫ ଲକ୍ଷରେ ପହଞ୍ଚିଛି। ଏଥିପାଇଁ ସେ କେନ୍ଦ୍ରମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ଆଉ ଏକ ଲକ୍ଷ ଘର ମଞ୍ଜୁର କରିବାକୁ ଅନୁରୋଧ କରିଥିଲେ।

ଏହାସହ ପିଏମ୍‌-ଜନମନ୍‌ ଯୋଜନା ଅଧୀନରେ ବିଶେଷ ଭାବେ ଦୁର୍ବଳ ଜନଜାତି ଗୋଷ୍ଠୀଙ୍କ ପାଇଁ ମଞ୍ଜୁର ହୋଇଥିବା ୪୧ ହଜାର ୭୫ଟି ଘର ମଧ୍ୟରୁ ୩୫ ହଜାର ୬୩୫ଟି ଘର ନିର୍ମାଣ ଶେଷ ହୋଇଛି। ରାଜ୍ୟର ନିଜସ୍ୱ ଅନ୍ତ୍ୟୋଦୟ ଗୃହ ଯୋଜନାରେ ମଞ୍ଜୁର ହୋଇଥିବା ୨ ଲକ୍ଷ ୨୫ ହଜାର ଘର ମଧ୍ୟରୁ ୧ ଲକ୍ଷ ୪୭ ହଜାର ଘର ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି। ଅଧିକ ହିତାଧିକାରୀଙ୍କୁ ସାମିଲ କରିବା ଲକ୍ଷ୍ୟରେ ଏହି ଯୋଜନାର ଅବଧି ୨୦୨୯ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ଘର ନିର୍ମାଣ ଶୀଘ୍ର ଶେଷ କରୁଥିବା ହିତାଧିକାରୀଙ୍କୁ ମଧ୍ୟ ପ୍ରୋତ୍ସାହନ ରାଶି ଦିଆଯାଉଛି। ୫ ମାସ ମଧ୍ୟରେ ଘର ନିର୍ମାଣ ଶେଷ କଲେ ୩୫ ହଜାର ଟଙ୍କା ଏବଂ ୭ ମାସ ମଧ୍ୟରେ ଶେଷ କଲେ ୨୦ ହଜାର ଟଙ୍କା ପ୍ରଦାନ କରାଯାଉଛି। ଏହି ବ୍ୟବସ୍ଥାରେ ଏପର୍ଯ୍ୟନ୍ତ ୧୧ ଲକ୍ଷ ୩୫ ହଜାର ହିତାଧିକାରୀ ଉପକୃତ ହୋଇଥିବା ସୂଚନା ଦିଆଯାଇଛି।

ବଲାଙ୍ଗୀରରୁ ଆରମ୍ଭ ହେବ ଦାରିଦ୍ର୍ୟ ଦୂରୀକରଣ ପାଇଲଟ୍ ପ୍ରକଳ୍ପ

କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଥିଲେ ଯେ, ସେ ଓଡ଼ିଶାକୁ ଜଣେ ଅତିଥି ଭାବେ ନୁହେଁ, ବରଂ ଜଣେ ସେବକ ଭାବେ ଆସିଛନ୍ତି। ପାରମ୍ପରିକ କୃଷି ସହ ଆଧୁନିକ ଜ୍ଞାନକୌଶଳକୁ ଯୋଡ଼ିବା ଆବଶ୍ୟକ। ବଲାଙ୍ଗୀରରେ ପ୍ରତିଷ୍ଠା ହେବାକୁ ଥିବା ନୂତନ କୃଷି ବିଶ୍ୱବିଦ୍ୟାଳୟ ଦେଶର ଅନ୍ୟତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରି ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଦାରିଦ୍ର୍ୟ ଦୂରୀକରଣ ପାଇଁ ଆରମ୍ଭ ହୋଇଥିବା ପାଇଲଟ୍ ପ୍ରକଳ୍ପ ଓଡ଼ିଶାରେ ବଲାଙ୍ଗୀର ମାଟିରୁ ଆରମ୍ଭ କରାଯିବ। ଏହାସହ ରାଜ୍ୟର ପ୍ରତ୍ୟେକ ଗାଁକୁ ପକ୍କା ସଡ଼କରେ ଯୋଡ଼ିବା ସହ ଭବିଷ୍ୟତରେ ଆହୁରି ଅଧିକ ଆବାସ ଯୋଗାଇଦିଆଯିବ ବୋଲି ସେ କହିଥିଲେ।

କୃଷି କ୍ଷେତ୍ରରେ ଆଧୁନିକୀକରଣ ଓ ସୌରଶକ୍ତିକୁ ଗୁରୁତ୍ୱ

ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କୃଷି ପର୍ଯ୍ୟଟନ ଓ କୃଷି କ୍ଷେତ୍ରରେ ଆଗ୍ରୋ ପ୍ୟାନେଲ୍‌ ସ୍ଥାପନ ଉପରେ ଗୁରୁତ୍ୱ ଦେଇଥିଲେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହ ପିଏମ୍‌ ସୂର୍ଯ୍ୟଘର ଯୋଜନାକୁ ଯୋଡ଼ି ଘରର ଛାତ ଉପରେ ସୋଲାର ପ୍ୟାନେଲ୍‌ ସ୍ଥାପନ କରିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ।

ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ କହିଥିଲେ ଯେ, ଘର ଜଣେ ବ୍ୟକ୍ତିଙ୍କ ପାଇଁ ସ୍ୱପ୍ନ, ପରିଚୟ ଓ ସୁରକ୍ଷାର ପ୍ରତୀକ। ସମସ୍ତ ଯୋଗ୍ୟ ପରିବାରକୁ ପକ୍କା ଘର ଯୋଗାଇଦେବା ସରକାରଙ୍କ ଲକ୍ଷ୍ୟ। ପ୍ରତ୍ୟେକ ପଞ୍ଚାୟତରେ କଲ୍ୟାଣ ମଣ୍ଡପ, ଖେଳପଡ଼ିଆ ଓ ପୋଖରୀ ନିର୍ମାଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ କହିଥିଲେ ଯେ, ପକ୍କା ଘର ଜଣେ ମହିଳାଙ୍କ ସମ୍ମାନ ଓ ପରିବାରର ସୁରକ୍ଷାର ପ୍ରତୀକ। ସରକାର ଘର ଯୋଗାଇବା ସହ ପ୍ରତ୍ୟେକ ଗାଁକୁ ବିଶୁଦ୍ଧ ପାନୀୟ ଜଳ ଓ ସଡ଼କ ସଂଯୋଗ ସୁବିଧା ଯୋଗାଇବା ଦିଗରେ କାର୍ଯ୍ୟ କରୁଛନ୍ତି। ବଲାଙ୍ଗୀର ମେଡିକାଲ କଲେଜରେ ଅଧିକ ପିଜି ସିଟ୍‌ ପ୍ରଦାନ କରାଯାଇଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ।

୯୧୧ କୋଟିର ୨୪୮ଟି ପ୍ରକଳ୍ପର ଶୁଭାରମ୍ଭ

ଏହି ଅବସରରେ ବଲାଙ୍ଗୀର ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାୟ ୯୧୧ କୋଟି ଟଙ୍କା ବ୍ୟୟରେ ୨୪୮ଟି ଉନ୍ନୟନମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏଥିରେ ୧୭୬ କୋଟି ଟଙ୍କା ବ୍ୟୟରେ ୧୬୦ଟି ପ୍ରକଳ୍ପର ଉଦ୍‌ଘାଟନ ଏବଂ ୭୩୫ କୋଟି ଟଙ୍କା ବ୍ୟୟରେ ୮୮ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଅନ୍ତର୍ଭୁକ୍ତ।

ସ୍ୱାସ୍ଥ୍ୟ ଭିତ୍ତିଭୂମି, ଜଳଯୋଗାଣ, ଜଳସେଚନ, ଅଙ୍ଗନବାଡ଼ି କେନ୍ଦ୍ର, ଅତିରିକ୍ତ ଶ୍ରେଣୀଗୃହ, ସଡ଼କ ଉନ୍ନତିକରଣ ଓ ହଷ୍ଟେଲ୍‌ ନିର୍ମାଣ ଭଳି ବିଭିନ୍ନ କ୍ଷେତ୍ରର ପ୍ରକଳ୍ପ ଏଥିରେ ସାମିଲ ରହିଛି।

କାର୍ଯ୍ୟକ୍ରମରେ ବଲାଙ୍ଗୀର ସାଂସଦ ସଂଗୀତା ସିଂହଦେଓ, ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ଟିଟିଲାଗଡ଼ ବିଧାୟକ ନବୀନ କୁମାର ଜୈନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର କମିସନର ତଥା ଶାସନ ସଚିବ ରୂପା ମିଶ୍ର ଏବଂ ବଲାଙ୍ଗୀର ଜିଲ୍ଲାପାଳ ଗୌରବ ଶିବାଜୀ ଇଶଲ୍‌ୱରଙ୍କ ସମେତ ବହୁ ଅଧିକାରୀ ଓ ଜନପ୍ରତିନିଧି ଉପସ୍ଥିତ ଥିଲେ।

Leave A Reply

Your email address will not be published.