ବହୁ ଦିନ ପରେ ପୁଣି ଖୋଲିଲା ବିଜେପୁରର ଅମୃତଧାରା ନର୍ସିଂହୋମ୍

13

ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗର ଉପସ୍ଥିତିରେ ପୁନଃ କାର୍ଯ୍ୟକ୍ଷମ, ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇବାକୁ ମାଲିକଙ୍କ ପ୍ରତିଶ୍ରୁତି

ବିଜେପୁର: ଦୀର୍ଘଦିନର ଅନିଶ୍ଚିତତା ପରେ ବରଗଡ଼ ଜିଲ୍ଲା ବିଜେପୁରସ୍ଥିତ ଅମୃତଧାରା ନର୍ସିଂହୋମ୍ ପୁଣିଥରେ ଖୋଲିଛି। ନର୍ସିଂହୋମ୍‌ର ପୁନଃ ଖୋଲିବା ଦ୍ୱାରା ଅଞ୍ଚଳବାସୀଙ୍କ ମଧ୍ୟରେ ସ୍ୱାସ୍ଥ୍ୟସେବାକୁ ନେଇ ନୂଆ ଆଶା ସଞ୍ଚାର ହୋଇଛି।ଏହି ଅବସରରେ ବିଜେପୁର ତହସିଲଦାର ମୁକ୍ତେଶ୍ୱର ପାଣିଗ୍ରାହୀ, ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଅଶୋକ କୁମାର ଦାସ ଏବଂ ବିଜେପୁର ଥାନା ଅଧିକାରୀ (ଆଇଆଇସି) ସୁଶାନ୍ତମଣି ମହାନ୍ତି ଉପସ୍ଥିତ ରହିଥିଲେ। ସେମାନଙ୍କ ଉପସ୍ଥିତିରେ ନର୍ସିଂହୋମ୍‌ର ପୁନଃ କାର୍ଯ୍ୟାରମ୍ଭ ହୋଇଥିଲା।ବିଜେପୁର ଅଞ୍ଚଳରେ ଉନ୍ନତ ଚିକିତ୍ସା ସୁବିଧାର ଆବଶ୍ୟକତା ଦୀର୍ଘଦିନରୁ ଅନୁଭୂତ ହୋଇଆସୁଛି। ଏଭଳି ସ୍ଥିତିରେ ଅମୃତଧାରା ନର୍ସିଂହୋମ୍ ପୁନର୍ବାର ଖୋଲିବା ଫଳରେ ସ୍ଥାନୀୟ ରୋଗୀମାନେ ଉପକୃତ ହେବା ସହ ଚିକିତ୍ସା ପାଇଁ ଦୂରଦୂରାନ୍ତକୁ ଯିବାର ଅସୁବିଧା କିଛି ମାତ୍ରାରେ ହ୍ରାସ ପାଇବ ବୋଲି ଆଶା କରାଯାଉଛି।ଏହି ଅବସରରେ ନର୍ସିଂହୋମ୍‌ର ମାଲିକ ଯଶୋବନ୍ତ ମେହେର ଆଗାମୀ ଦିନରେ ରୋଗୀମାନଙ୍କୁ ଉନ୍ନତମାନର ଚିକିତ୍ସା ସେବା, ଆବଶ୍ୟକୀୟ ସୁବିଧା ଓ ଉତ୍ତମ ପରିବେଶ ଯୋଗାଇଦେବା ଦିଗରେ ଗୁରୁତ୍ୱ ଦିଆଯିବ ବୋଲି ଜଣାଇଛନ୍ତି। ନର୍ସିଂହୋମ୍‌ର ପୁନଃ କାର୍ଯ୍ୟାରମ୍ଭ ପରେ ଏହାର ସେବା ଓ ସୁବିଧାସୁଯୋଗ ଉପରେ ଏବେ ଅଞ୍ଚଳବାସୀଙ୍କ ନଜର ରହିଛି।

Leave A Reply

Your email address will not be published.