ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜାତୀୟ ଆଇନ ସେବା ଦିବସ ପାଳନ ଅବସରରେ ଗଜପତି ଜିଲ୍ଲାର ଉପଲଡ଼ାସ୍ଥିତ ଟାଗୋର ମେମୋରିଆଲ ଉଚ୍ଚ ବିଦ୍ୟାଳୟ ପରିସରରେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲା ଦୌରାଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଜଗଦୀଶ ପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଜାତୀୟ ଆଇନ ସେବା ଦିବସର ମହତ୍ତ୍ୱ , ମାଗଣା ଆଇନ ସହାୟତାର ଆବଶ୍ୟକତା ତଥା ଶିଶୁ ଶ୍ରମିକ ପ୍ରଥାର ନିରାକରଣ ସମ୍ପର୍କରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ କରାଯାଇ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଥିଲା।

ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଶିଶୁ ଶ୍ରମିକ ପ୍ରଥା ଉପରେ ଏକ ହୃଦୟସ୍ପର୍ଶୀ ସଚେତନତାମୂଳକ ନାଟକ ପରିବେଷଣ କରାଯାଇଥିଲା। ଏଥି ସହିତ ଏହି ଦିବସ ଉପଲକ୍ଷେ ପୂର୍ବରୁ ଆୟୋଜିତ ଚିତ୍ରାଙ୍କନ ଓ ପ୍ରବନ୍ଧ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଉପସ୍ଥିତ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ସର୍ବ ଶେଷରେ ସାଧାରଣ ଜନତାଙ୍କ ମଧ୍ୟରେ ଆଇନ ସେବା ଓ ଆଇନଗତ ଅଧିକାର ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଛାତ୍ରଛାତ୍ରୀ , ଶିକ୍ଷକ ଓ ସ୍ଥାନୀୟ ଜନସାଧାରଣଙ୍କ ଅଂଶଗ୍ରହଣରେ ଏକ ବିଶାଳ ସଚେତନତା ଶୋଭାଯାତ୍ରା ମଧ୍ୟ ଆୟୋଜିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ବିମଳ ରାଉଳ , ସିଭିଲ କୋର୍ଟ ରେଜିଷ୍ଟ୍ରାର ସତ୍ୟବ୍ରତ ରଣା , ଭାରପ୍ରାପ୍ତ କ୍ୟାଡର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର , ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ମଣ୍ଡଳା ଲୋକନାଦମ , ସମାଜସେବୀ ଲିଙ୍ଗରାଜ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ଉପସ୍ଥିତ ଜନସାଧାରଣ ଓ ଛାତ୍ରଛାତ୍ରୀମାନଙ୍କୁ ଆଇନ ସଚେତନତାମୂଳକ ବାର୍ତ୍ତା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ୱାଇ. ଧର୍ମା ରାଓ ସମସ୍ତଙ୍କୁ ସାହାଯ୍ୟ ସହଯୋଗ ନିମନ୍ତେ ଧନ୍ୟବାଦ ଅର୍ପଣ କରିଥିଲେ।