ସୋହେଲାରେ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର

93

୨୩ଟି ଅଭିଯୋଗର ଶୁଣାଣି, ତ୍ୱରିତ ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ

ସୋହେଲା: ବରଗଡ଼ ଜିଲ୍ଲା ସୋହେଲା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଏବଂ ଆରକ୍ଷୀ ଅଧୀକ୍ଷକ ରବୀନ୍ଦ୍ର ନାଥ ଶତପଥୀଙ୍କ ମିଳିତ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ଜନସାଧାରଣ ନିଜ ନିଜର ସମସ୍ୟା ଓ ଅଭିଯୋଗ ଉପସ୍ଥାପନ କରିଥିଲେ।ଶିବିରରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଓ ଆରକ୍ଷୀ ଅଧୀକ୍ଷକ ରବୀନ୍ଦ୍ର ନାଥ ଶତପଥୀଙ୍କ ସମେତ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଲଲାଟ କୁମାର ଲୁହା, ପଦ୍ମପୁର ଉପଜିଲ୍ଲାପାଳ ହେମସାଗର ଭୋଇ, ପଦ୍ମପୁର ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ପାଣ୍ଡବ ଶବର ଏବଂ ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ ସରୋଜିନୀ ପ୍ରସନ୍ନ କୁଲୁଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ।
ଏହି ଜନ ଅଭିଯୋଗ ଶୁଣାଣି ଶିବିରରେ ମୁଖ୍ୟତଃ ଜଳସେଚନ, ବିଦ୍ୟୁତ୍ ଯୋଗାଣ, ପାନୀୟ ଜଳ ସମସ୍ୟା, ରାସନ କାର୍ଡ, ବାର୍ଦ୍ଧକ୍ୟ ଓ ଭିନ୍ନକ୍ଷମ ଭତ୍ତା, ରାସ୍ତା ନିର୍ମାଣ ଏବଂ କୃଷି ସମ୍ବନ୍ଧୀୟ ବିଭିନ୍ନ ସମସ୍ୟାକୁ ନେଇ ମୋଟ ୨୩ଟି ଅଭିଯୋଗ ଉପସ୍ଥାପିତ ହୋଇଥିଲା। ଅଭିଯୋଗଗୁଡ଼ିକର ଗୁରୁତ୍ୱକୁ ଅନୁଧ୍ୟାନ କରି ଜିଲ୍ଲାପାଳ ଶ୍ରୀ ଗୋୟଲ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ସମସ୍ୟାଗୁଡ଼ିକର ତୁରନ୍ତ ତଦନ୍ତ କରିବା ସହ ଆବଶ୍ୟକ ପଦକ୍ଷେପ ନେଇ ଶୀଘ୍ର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପକ୍ଷରେ, ସାମ୍ପ୍ରତିକ ଅର୍ଣ୍ଣବ ବାତ୍ୟାର ପ୍ରଭାବରେ କ୍ଷତିଗ୍ରସ୍ତ ଧାନ ଓ ମକା ଫସଲକୁ ନେଇ ଚାଷୀମାନେ ନିଜର ଅଭିଯୋଗ ଓ ସମସ୍ୟା ଜିଲ୍ଲାପାଳଙ୍କ ନିକଟରେ ଉପସ୍ଥାପନ କରିଥିଲେ। ଫସଲ କ୍ଷୟକ୍ଷତିର ଆକଳନ ଓ ଚାଷୀଙ୍କ ସମସ୍ୟାର ସମାଧାନ ଦିଗରେ ପ୍ରଶାସନର ହସ୍ତକ୍ଷେପ ଲୋଡ଼ିଥିଲେ। ଜନସାଧାରଣଙ୍କ ଅଭିଯୋଗର ଶୀଘ୍ର ସମାଧାନ ଏବଂ ସରକାରୀ ସେବାକୁ ଲୋକଙ୍କ ନିକଟରେ ସୁଗମ କରିବା ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

Leave A Reply

Your email address will not be published.