ବ୍ଲକ୍ କାର୍ଯ୍ୟାଳୟ ପରିସରରେ ମଣ୍ଡଳ ସଭାପତିଙ୍କୁ ଆକ୍ରମଣ ଘଟଣା ଅଭିଯୁକ୍ତ ଅଜୁ ଓରଫ ଅଜୟ ଭୋଇ କୋର୍ଟ ଚାଲାଣ

9


କାକଟପୁର, ୯/୧୧: କାକଟପୁର ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଲତାହାରଣ ମଣ୍ଡଳ ବିଜେପି ସଭାପତି ରାକେଶ କୁମାର ବିଶ୍ୱାଳଙ୍କୁ ଆକ୍ରମଣ ଓ ଲୁଟ୍ ଅଭିଯୋଗ ଘଟଣାରେ କାକଟପୁର ପୁଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ କାକଟପୁର ଥାନା ଅନ୍ତର୍ଗତ ବଳରା ଗ୍ରାମର ସୁରେଶ ଚନ୍ଦ୍ର ଭୋଇଙ୍କ ପୁଅ ଅଜୁ ଓରଫ ଅଜୟ କୁମାର ଭୋଇ (୪୬)।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତ ୬ ତାରିଖରେ ରାକେଶ କୁମାର ବିଶ୍ୱାଳ ବିଭିନ୍ନ ଜନସମସ୍ୟା ସମ୍ପର୍କରେ ଅଭିଯୋଗ ଜଣାଇବା ପାଇଁ କାକଟପୁର ବ୍ଲକ୍ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରୁ ନିଜ ମୋଟରସାଇକେଲ ଯୋଗେ ଫେରିବାକୁ ବାହାରିବା ସମୟରେ କିଛି ବ୍ୟକ୍ତି ତାଙ୍କୁ ଅଟକାଇ ମାଡ଼ ମାରିଥିବା ନେଇ ସେ କାକଟପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଆକ୍ରମଣକାରୀମାନେ ତାଙ୍କୁ ମୁଥ ଓ ଗୋଇଠା ମାରିବା ସହ ପୁନର୍ବାର ବ୍ଲକ୍ କାର୍ଯ୍ୟାଳୟକୁ ଆସିଲେ ଗୁରୁତର ପରିଣାମ ଭୋଗିବାକୁ ପଡ଼ିବ ବୋଲି ଧମକ ଦେଇଥିବା ଅଭିଯୋଗରେ ଦର୍ଶାଯାଇଛି। ଏଥିରେ ତାଙ୍କ ଛାତି ଓ ମୁଣ୍ଡରେ ଆଘାତ ଲାଗିଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି।
ଏଥିସହ ଆକ୍ରମଣକାରୀମାନେ ତାଙ୍କ ହାତଘଣ୍ଟା, ପ୍ରାୟ ୨୦ ଗ୍ରାମ ଓଜନର ସୁନାଚେନ୍, ନଗଦ ୬ ହଜାର ଟଙ୍କା ଓ ପର୍ସରେ ଥିବା କେତେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଛଡ଼ାଇ ନେଇଥିବା ସେ ଅଭିଯୋଗ କରିଥିଲେ।
ଏହି ଅଭିଯୋଗ ଆଧାରରେ କାକଟପୁର ଥାନା ପୁଲିସ କେସ୍ ନଂ ୪୧୩, ତାରିଖ ୦୬.୧୧.୨୦୨୬ରେ ବିଏନ୍‌ଏସ୍‌ର ବିଭିନ୍ନ ଧାରାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତକାରୀ ଅଧିକାରୀ ଘଟଣାସ୍ଥଳ ପରିଦର୍ଶନ କରିବା ସହ ଅଭିଯୋଗକାରୀ ଓ ଅନ୍ୟ ସାକ୍ଷୀମାନଙ୍କ ବୟାନ ରେକର୍ଡ କରିଥିଲେ। ଆହତ ରାକେଶଙ୍କୁ ଚିକିତ୍ସା ଓ ଡାକ୍ତରୀ ପରୀକ୍ଷା ପାଇଁ ବାଙ୍ଗୁରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିଲା।
ତଦନ୍ତରେ ମିଳିଥିବା ପ୍ରାଥମିକ ତଥ୍ୟ ଓ ପ୍ରମାଣ ଆଧାରରେ ଅଭିଯୁକ୍ତ ଅଜୟ କୁମାର ଭୋଇଙ୍କୁ ଗିରଫ କରାଯାଇ କାକଟପୁର ଜେଏମ୍‌ଏଫ୍‌ସି ଅଦାଲତରେ ହାଜର କରିବା ପାଇଁ ପଠାଯାଇଛି। ଘଟଣାରେ ଅନ୍ୟ କେଉଁମାନଙ୍କ ସମ୍ପୃକ୍ତି ରହିଛି ଏବଂ ଅଭିଯୋଗ ହୋଇଥିବା ଲୁଟ୍ ସାମଗ୍ରୀ ଉଦ୍ଧାର ସମ୍ପର୍କରେ ପୁଲିସର ଅଧିକ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.