ଅଲତାଫ୍ ରାଜାଙ୍କ ସଙ୍ଗୀତରେ ଝୁମିବେ ଦର୍ଶକ
ପୁରୀ, ୯/୧୧: ଶ୍ରୀକ୍ଷେତ୍ରର ସାଂସ୍କୃତିକ ମାହୋଲକୁ ଆହୁରି ରଙ୍ଗିନ କରିବାକୁ ଆସନ୍ତାକାଲିଠାରୁ ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚରେ ଆରମ୍ଭ ହେବ ୫୯ତମ କୁମାର ଉତ୍ସବ-୨୦୨୬। ନଭେମ୍ବର ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଚାଲିବ ଏହି ମହୋତ୍ସବ। ଚଳିତବର୍ଷ ଭବେଶ ରୋଶନ ସ୍ୱାଇଁଙ୍କୁ ଶ୍ରୀକ୍ଷେତ୍ର କୁମାର ଏବଂ ଶ୍ୱେତପଦ୍ମା ଦାଶଙ୍କୁ ଶ୍ରୀକ୍ଷେତ୍ର କୁମାରୀ ଭାବେ ସମ୍ମାନିତ କରାଯିବ।
ଉତ୍ସବର ମୁଖ୍ୟ ଆକର୍ଷଣ ହେବ ସହିଦ ଭଗତ ସିଂହଙ୍କ ଜୀବନୀ ଓ ଦେଶପ୍ରେମ ଉପରେ ଆଧାରିତ ନାଟକ ‘ଇନକିଲାବ ଜିନ୍ଦାବାଦ୍’। ଯୁବ ନାଟ୍ୟ ନିର୍ଦ୍ଦେଶକ ସନ୍ତୋଷ କୁମାର ମହାନ୍ତି ଏହାର ନିର୍ଦ୍ଦେଶନା ଦେବେ। ସେହିପରି ବଲିଉଡ୍ର ଲୋକପ୍ରିୟ କଣ୍ଠଶିଳ୍ପୀ ଅଲତାଫ୍ ରାଜାଙ୍କ ସଙ୍ଗୀତ ପରିବେଷଣ ଦର୍ଶକଙ୍କ ପାଇଁ ବିଶେଷ ଆକର୍ଷଣ ସାଜିବ।
ତିନିଦିନିଆ ଏହି ଉତ୍ସବରେ ଓଡ଼ିଶୀ, ମାହାରୀ, ସମ୍ବଲପୁରୀ, ଆଦିବାସୀ, ରାଜସ୍ଥାନୀ, ବଙ୍ଗଳା ଲୋକନୃତ୍ୟ ସମେତ ବିଭିନ୍ନ ରାଜ୍ୟର କଳା ଓ ସଂସ୍କୃତିର ଝଲକ ଦେଖିବାକୁ ମିଳିବ। ଉଦ୍ଘାଟନୀ ସନ୍ଧ୍ୟାରେ ‘କୁଆଁର ପୁନେଇଁ ଜହ୍ନ’ ସଙ୍ଗୀତ ରୂପକ ସହ ବିଭିନ୍ନ ନୃତ୍ୟାନୁଷ୍ଠାନର କଳାକାରମାନେ ମଞ୍ଚରେ ନିଜ ପ୍ରତିଭା ପ୍ରଦର୍ଶନ କରିବେ।
ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ର ଉତ୍ସବକୁ ଉଦ୍ଘାଟନ କରିବେ। ଏଥିସହ ସମାଜ ପ୍ରତି ଉଲ୍ଲେଖନୀୟ ଅବଦାନ ରଖିଥିବା ବିଭିନ୍ନ ବ୍ୟକ୍ତିତ୍ୱଙ୍କୁ ସ୍ମୃତି ସମ୍ମାନ ଓ ସମାଜସେବା ସମ୍ମାନରେ ସମ୍ମାନିତ କରାଯିବ।
ଭୂଦାନ ଛକସ୍ଥିତ ପୂଜାପଣ୍ଡା କନଭେନସନ୍ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ଚକ୍ରଧର ମହାପାତ୍ର ଅଧ୍ୟକ୍ଷତା କରିଥିବାବେଳେ ସାଧାରଣ ସମ୍ପାଦକ ସ୍ୱାଧୀନ କୁମାର ପଣ୍ଡା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। କାର୍ଯ୍ୟକାରୀ ସଭାପତି ରାଜେଶ ମିଶ୍ରଙ୍କ ସମେତ ସମିତିର ବହୁ ସଦସ୍ୟ ଉପସ୍ଥିତ ଥିଲେ।