ଭଞ୍ଜନଗରରେ ଜାତୀୟ ଆଇନ ସେବା ଦିବସ ପାଳିତ: ମାଗଣା ଆଇନ ସହାୟତା ଓ ସଚେତନତା ଉପରେ ଗୁରୁତ୍ୱ

10

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ଭଞ୍ଜନଗର ତାଲୁକ ଆଇନ ସେବା କମିଟି ପକ୍ଷରୁ ସୋମବାର ଅପରାହ୍ନ ପ୍ରାୟ ୪ ଘଣ୍ଟ ସମୟରେ ଭଞ୍ଜନଗର ବାର୍ ଆସୋସିଏସନ୍‌ର ଲାଇବ୍ରେରୀ ହଲ୍‌ଠାରେ ଜାତୀୟ ଆଇନ ସେବା ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ସଚେତନତା ସଭାରେ ଭଞ୍ଜନଗରର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ତାଲୁକ ଆଇନ ସେବା କମିଟିର ଅଧ୍ୟକ୍ଷ ଶ୍ରୀ ସେଖ୍ ମହମ୍ମଦ କଏସ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଇନ ସେବା ଦିବସର ମହତ୍ତ୍ୱ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।
​ଏହି କାର୍ଯ୍ୟକ୍ରମରେ ଉପଖଣ୍ଡ ସ୍ତରୀୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଶ୍ରୀ ସୌମ୍ୟ ରଞ୍ଜନ ପୃଷ୍ଟି, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଭିୟେନା ନାୟକ, ତାଲୁକ ଆଇନ ସେବା କମିଟିର ସଦସ୍ୟ ଡଃ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ସଦସ୍ୟା ତଥା ଆଇନଜୀବୀ ଶ୍ରୀମତୀ ଅଳକା ମଞ୍ଜରୀ ପଟ୍ଟନାୟକ, ଭଞ୍ଜନଗର ବାର୍ ଆସୋସିଏସନ୍‌ର ସମ୍ପାଦକ ତଥା ଭଞ୍ଜନଗର ସହରର ଏକମାତ୍ର ପଞ୍ଜିକୃତ ତ୍ରିରଙ୍ଗା ମିଡ଼ିଆ ଓ ସାମାଜିକ ଅନୁଷ୍ଠାନ ର ମୁଖ୍ୟ ଉପଦେଷ୍ଟା ଶ୍ରୀ ଧୀରେନ୍ ସ୍ୱାଇଁ ଏବଂ ବରିଷ୍ଠ ଆଇନଜୀବୀ ଶ୍ରୀ ରବୀନ୍ଦ୍ରନାଥ ଦାସ ଅନ୍ୟତମ ଅତିଥି ଭାବେ ଯୋଗଦେଇଥିଲେ।
​ବକ୍ତାମାନେ ନିଜ ନିଜ ବକ୍ତବ୍ୟରେ ଭାରତୀୟ ସମ୍ବିଧାନର ମୌଳିକ ଅଧିକାର, ନ୍ୟାୟ ପାଇବାର ଅଧିକାର ଏବଂ ସମାଜର ଆର୍ଥିକ ଓ ସାମାଜିକ ଦୁର୍ବଳ ବର୍ଗଙ୍କୁ ମାଗଣା ଆଇନ ସହାୟତା ପ୍ରଦାନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଆଇନ ସେବା ପ୍ରାଧିକରଣ ଆଇନ, ୧୯୮୭ ଅନୁଯାୟୀ ଯୋଗ୍ୟ ବ୍ୟକ୍ତିମାନେ କିପରି ନିଃଶୁଳ୍କ ଆଇନ ସହାୟତା ପାଇପାରିବେ, ସେ ସମ୍ପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରାଯାଇଥିଲା।
​ଏଥିସହ ଲୋକ ଅଦାଲତ, ମଧ୍ୟସ୍ଥତା ବା ଆପୋଷ ସମାଧାନ ପ୍ରକ୍ରିୟା, ସ୍ଥାୟୀ ଲୋକ ଅଦାଲତ (ଜନ ଉପଯୋଗୀ ସେବା), ‘ନ୍ୟାୟ ସହାୟକ’ ଏବଂ ଜାତୀୟ ଆଇନ ସେବା ପ୍ରାଧିକରଣ (NALSA)ର ଟୋଲ୍ ଫ୍ରି ହେଲ୍ପଲାଇନ୍ ନମ୍ବର ୧୫୧୦୦ ମାଧ୍ୟମରେ ଆଇନଗତ ସହାୟତା ପାଇବାର ପଦ୍ଧତି ସମ୍ପର୍କରେ ବିସ୍ତୃତ ସଚେତନତା ସୃଷ୍ଟି କରାଯାଇଥିଲା। ନ୍ୟାୟ ପାଇବା କୌଣସି ବ୍ୟକ୍ତିଙ୍କ ଆର୍ଥିକ ସ୍ଥିତି ଉପରେ ନିର୍ଭରଶୀଳ ହେବା ଉଚିତ୍ ନୁହେଁ ଏବଂ ସମାଜର ପ୍ରତ୍ୟେକ ବର୍ଗଙ୍କ ନିକଟରେ ନ୍ୟାୟ ବ୍ୟବସ୍ଥାର ସୁବିଧା ପହଞ୍ଚାଇବା ଆଇନ ସେବା ସଂସ୍ଥାଗୁଡ଼ିକର ପ୍ରମୁଖ ଲକ୍ଷ୍ୟ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ।
​ଏହି ସଭାରେ ବହୁ ଆଇନଜୀବୀ, ପ୍ୟାନେଲ୍ ଲୟର୍ସ, ପାରା ଲିଗାଲ୍ ଭଲ୍ୟୁଣ୍ଟିୟର୍ (PLVs) ଏବଂ ଅନ୍ୟାନ୍ୟ ଆଇନ ସେବା ସହ ଜଡ଼ିତ ବ୍ୟକ୍ତିବିଶେଷ ଯୋଗଦେଇଥିଲେ।
​ଆଇନ ସେବା ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ସାଧାରଣ ଲୋକଙ୍କ ମଧ୍ୟରେ ଆଇନଗତ ଅଧିକାର ଓ ନିଃଶୁଳ୍କ ଆଇନ ସହାୟତା ସମ୍ପର୍କରେ ସଚେତନତା ବୃଦ୍ଧି କରିବା ସହ ସମସ୍ତଙ୍କ ପାଇଁ ସୁଲଭ ନ୍ୟାୟ ସୁନିଶ୍ଚିତ କରିବା ବୋଲି ମତପ୍ରକାଶ ପାଇଥିଲା।

Leave A Reply

Your email address will not be published.