ମାଗଣା ଆଇନ ସେବା ସମ୍ପର୍କରେ ସଚେତନତା ପଦଯାତ୍ରା
ଓଡ଼ଗାଁ, ୦୯।୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅଦାଲତର ତାଲୁକ ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ସୋମବାର ଜାତୀୟ ଆଇନ ସହାୟତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମାଗଣା ଆଇନ ସେବା ଓ ଆଇନଗତ ଅଧିକାର ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏକ ପଦଯାତ୍ରା ଆୟୋଜିତ ହୋଇଥିଲା।
ତାଲୁକ ଆଇନ ସେବା ପ୍ରାଧିକରଣର ସଚିବ ତଥା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ସଂଘମିତ୍ରା ଶର୍ମାଙ୍କ ନେତୃତ୍ୱରେ ଓଡ଼ଗାଁ ରଘୁନାଥ ଜିଉ ମନ୍ଦିରଠାରୁ ଏହି ସଚେତନତା ପଦଯାତ୍ରା ବାହାରି ଓଡ଼ଗାଁ ଆଦର୍ଶ ଥାନାଠାରେ ପହଞ୍ଚିଥିଲା। ଏଥିରେ ସ୍ଥାନୀୟ ଘରୋଇ ମହାବିଦ୍ୟାଳୟର ୩୦ ଜଣ ଛାତ୍ରଛାତ୍ରୀଙ୍କ ସମେତ ଆଇନ ସେବା ସହ ଜଡ଼ିତ ସ୍ୱେଚ୍ଛାସେବୀମାନେ ଯୋଗଦେଇଥିଲେ। ସେମାନେ ବରିଷ୍ଠ ନାଗରିକ, ଗରିବ, ଅସହାୟ ମହିଳା ଓ ପୁରୁଷଙ୍କୁ ମାଗଣା ଆଇନ ସହାୟତା ଯୋଗାଇଦେବା ସମ୍ପର୍କିତ ବାର୍ତ୍ତା ଥିବା ପ୍ଲାକାର୍ଡ ଧରି ସାଧାରଣ ଲୋକଙ୍କ ମଧ୍ୟରେ ଆଇନ ସଚେତନତା ସୃଷ୍ଟି କରିଥିଲେ। ଏହି ପଦଯାତ୍ରାରେ ଗ୍ରାମ ନ୍ୟାୟାଳୟର ବିଚାରପତି ଏସ୍.ଆର୍. ତୋଷାଳୀ, ବରିଷ୍ଠ ଆଇନଜୀବୀ ଗୋବିନ୍ଦ ଚନ୍ଦ୍ର ସାହୁ, ଇନ୍ଦୁଭୂଷଣ ମିଶ୍ର, ପବିତ୍ର ମୋହନ ସାହୁଙ୍କ ସମେତ ଅନ୍ୟ ଆଇନଜୀବୀ ମାନେ ଯୋଗଦେଇଥିଲେ। ସେହିପରି ସରକାରୀ ଆଇନଜୀବୀ ମନୋଜ କୁମାର ପଟ୍ଟନାୟକ, ବସନ୍ତ କୁମାର ମହାନ୍ତି, କିଶୋର ଚନ୍ଦ୍ର ସାହୁ ଓ ଚିରଞ୍ଜିବୀ ଦାଶ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମର ସଂଯୋଜିକା ଶ୍ରଦ୍ଧାଞ୍ଜଳି ରଥ ସମଗ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।