ବେଦାନ୍ତ ଆଲୁମିନିୟମ ମେଟାଲ ଲିମିଟେଡ ଏବଂ ସେଲ୍ ପକ୍ଷରୁ ଝାରସୁଗୁଡାରେ ଜ୍ଞାନ ଆଦାନପ୍ରଦାନ ମାଧ୍ୟମରେ ସୁରକ୍ଷା କ୍ଷେତ୍ରରେ ଉତ୍କର୍ଷତା ହାସଲ ପାଇଁ ମିଳିତ ପଦକ୍ଷେପ
ଝାରସୁଗୁଡ଼ା କାରଖାନାରେ ବେଦାନ୍ତ ଆଲୁମିନିୟମର ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା ଓ ଶ୍ରେଷ୍ଠ କାର୍ଯ୍ୟପଦ୍ଧତି ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି ସେଲ୍ର ୧୧ ଜଣ ବରିଷ୍ଠ ଅଧିକାରୀ ।
ଝାରସୁଗୁଡ଼ା, ୭ ନଭେମ୍ବର ୨୦୨୬: ଭାରତର ସର୍ବବୃହତ୍ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଝାରସୁଗୁଡ଼ାସ୍ଥିତ କାରଖାନାରେ ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ (ସେଲ୍)ର ବରିଷ୍ଠ ଅଧିକାରୀମାନଙ୍କ ଏକ ପ୍ରତିନିଧିମଣ୍ଡଳୀଙ୍କୁ ନେଇ ସୁରକ୍ଷା କ୍ଷେତ୍ରରେ ଶ୍ରେଷ୍ଠ କାର୍ଯ୍ୟପଦ୍ଧତି ଅନୁଧ୍ୟାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ୧୧ ଜଣିଆ ଏହି ପ୍ରତିନିଧିମଣ୍ଡଳୀ କମ୍ପାନୀର ପରିଚାଳନା ମଣ୍ଡଳୀ ସହ ସୁରକ୍ଷା ସଂସ୍କୃତି, ଡିଜିଟାଲ୍ ରୂପାନ୍ତରଣ ଓ କାର୍ଯ୍ୟକ୍ଷେତ୍ରର ଉତ୍କର୍ଷତା ସମ୍ପର୍କରେ ବ୍ୟାପକ ଭାବେ ମତ ବିନିମୟ କରିଥିଲେ।
ଏହି ଗସ୍ତ ଅବସରରେ ଝାରସୁଗୁଡ଼ାସ୍ଥିତ ବେଦାନ୍ତ ଆଲୁମିନିୟମର ବହୁସ୍ତରୀୟ ସୁରକ୍ଷା ପଦକ୍ଷେପଗୁଡ଼ିକ ସମ୍ପର୍କରେ ପ୍ରତିନିଧିମଣ୍ଡଳୀଙ୍କୁ ଅବଗତ କରାଯାଇଥିଲା। ସେମାନେ କାରଖାନାର ବିଭିନ୍ନ ବିଭାଗ ପରିଦର୍ଶନ କରିବା ସହ ସୁରକ୍ଷା ସମ୍ପର୍କିତ ପ୍ରମୁଖ ଧାରଣା ଓ ବ୍ୟବସ୍ଥାକୁ ପ୍ରଦର୍ଶିତ କରୁଥିବା ବିସ୍ତୃତ ସୁରକ୍ଷା ଗ୍ୟାଲାକ୍ସି ପାର୍କ ପରିଦର୍ଶନ କରିଥିଲେ। ଏହାସହ ଆଲୁମିନିୟମ ଉତ୍ପାଦନର ମୁଖ୍ୟ କେନ୍ଦ୍ର ପଟ୍ଲାଇନ୍ ଓ କାଷ୍ଟହାଉସ୍ ଅଞ୍ଚଳ ବୁଲି ସେଠାରେ ଅନୁସରଣ କରାଯାଉଥିବା ସୁରକ୍ଷା ପ୍ରକ୍ରିୟା ଓ ଶ୍ରେଷ୍ଠ କାର୍ଯ୍ୟପଦ୍ଧତି ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ବୃହତ୍ ଶିଳ୍ପାନୁଷ୍ଠାନଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାରେ ପ୍ରଯୁକ୍ତିବିଦ୍ୟା ଓ ନବସୃଜନର ଭୂମିକା ଉପରେ ମଧ୍ୟ ଝାରସୁଗୁଡ଼ା ପରିଚାଳନା ମଣ୍ଡଳୀ ସହ ଆଲୋଚନା ହୋଇଥିଲା।
ବେଦାନ୍ତ ଆଲୁମିନିୟମର ଝାରସୁଗୁଡ଼ା ୟୁନିଟ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସି. ଚନ୍ଦ୍ରୁ କହିଛନ୍ତି, “କାର୍ଯ୍ୟକ୍ଷେତ୍ରରେ ଉତ୍କର୍ଷତା ହାସଲ ପାଇଁ ସୁରକ୍ଷା ହେଉଛି ମୌଳିକ ଆଧାର। ଝାରସୁଗୁଡ଼ାସ୍ଥିତ ବେଦାନ୍ତ ଆଲୁମିନିୟମରେ ଆମର ଲକ୍ଷ୍ୟ ହେଉଛି ଏଭଳି ଏକ କାର୍ଯ୍ୟପରିବେଶ ଗଠନ କରିବା, ଯେଉଁଠାରେ ସୁଦୃଢ଼ ବ୍ୟବସ୍ଥା, ପ୍ରଯୁକ୍ତିବିଦ୍ୟା ଓ ସ୍ପଷ୍ଟ ଉତ୍ତରଦାୟିତ୍ୱ ମାଧ୍ୟମରେ ସମ୍ଭାବ୍ୟ ବିପଦକୁ ଆଗୁଆ ଚିହ୍ନଟ କରି କର୍ମଚାରୀଙ୍କ ସୁରକ୍ଷା ସୁନିଶ୍ଚିତ କରାଯାଇପାରିବ। ନିରନ୍ତର ଉନ୍ନତି ଏକ ଅବିରତ ପ୍ରକ୍ରିୟା। ସେଲ୍ ଭଳି ଶିଳ୍ପ ସହଯୋଗୀଙ୍କ ସହ ଏଭଳି ମତ ବିନିମୟ ଆମକୁ ନୂତନ ଦୃଷ୍ଟିକୋଣ ହାସଲ କରିବା, ଶ୍ରେଷ୍ଠ କାର୍ଯ୍ୟପଦ୍ଧତି ଆଧାରରେ ନିଜକୁ ମୂଲ୍ୟାୟନ କରିବା ଏବଂ ଧାତୁ ଓ ଉତ୍ପାଦନ ଶିଳ୍ପରେ ସୁରକ୍ଷାର ମାନଦଣ୍ଡକୁ ଆହୁରି ଉଚ୍ଚତର କରିବାର ସୁଯୋଗ ଦେଇଥାଏ।”
ସେହିପରି ସେଲ୍ର ଏସ୍ଏସ୍ଓ ସୁରକ୍ଷା ବିଭାଗର ମହାପ୍ରବନ୍ଧକ ଇନ୍ଚାର୍ଜ ସୁରେଶ କୁମାର କହିଛନ୍ତି, “ସୁରକ୍ଷା ଏଭଳି ଏକ କ୍ଷେତ୍ର, ଯେଉଁଠାରେ ପାରସ୍ପରିକ ଜ୍ଞାନ ଆଦାନପ୍ରଦାନ ଓ ବିଭିନ୍ନ କାର୍ଯ୍ୟପଦ୍ଧତିର ଅନୁଭୂତିରୁ ଶିଳ୍ପଜଗତ ବ୍ୟାପକ ଭାବେ ଉପକୃତ ହୋଇଥାଏ। ବେଦାନ୍ତ ଆଲୁମିନିୟମର ଝାରସୁଗୁଡ଼ା କାରଖାନା ଗସ୍ତ ଆମକୁ ଏକ ବୃହତ୍ ଓ ଜଟିଳ ଆଧୁନିକ ଉତ୍ପାଦନ ବ୍ୟବସ୍ଥାରେ କିଭଳି ସୁରକ୍ଷାକୁ କାର୍ଯ୍ୟପ୍ରଣାଳୀର ଅବିଚ୍ଛେଦ୍ୟ ଅଙ୍ଗ କରାଯାଇଛି, ସେ ସମ୍ପର୍କରେ ଉପଯୋଗୀ ଧାରଣା ପ୍ରଦାନ କରିଛି। ଏଭଳି ଆଦାନପ୍ରଦାନ ବିଭିନ୍ନ ସଂସ୍ଥାକୁ ପ୍ରମାଣିତ କାର୍ଯ୍ୟପଦ୍ଧତିରୁ ଶିଖିବା, ନିଜସ୍ୱ ବ୍ୟବସ୍ଥାର ସମୀକ୍ଷା କରିବା ଏବଂ ଦେଶରେ ଅଧିକ ସୁରକ୍ଷିତ ଶିଳ୍ପ ପରିଚାଳନା ଦିଗରେ ସାମୂହିକ ଅବଦାନ ରଖିବାରେ ସହାୟକ ହୋଇଥାଏ।”
ବେଦାନ୍ତ ଆଲୁମିନିୟମର କାର୍ଯ୍ୟପରିଚାଳନାରେ ଜରୁରିକାଳୀନ ପରିସ୍ଥିତିର ମୁକାବିଲା ପ୍ରସ୍ତୁତି ଓ ସମ୍ଭାବ୍ୟ ବିପଦର ଆଗୁଆ ପରିଚାଳନାକୁ ବିଶେଷ ଗୁରୁତ୍ୱ ଦିଆଯାଏ। ଝାରସୁଗୁଡ଼ା କାରଖାନାରେ ଏଥିପାଇଁ ପ୍ରାୟ ୩୩ କିଲୋମିଟର ଦୀର୍ଘ ସ୍ୱତନ୍ତ୍ର ପଦଚଲା ପଥ ନିର୍ମାଣ କରାଯାଇଛି, ଯାହା ଦ୍ୱାରା ପାଦଚାରୀ ଓ ଯାନବାହନ ଚଳାଚଳକୁ ପୃଥକ୍ ରଖାଯାଇପାରୁଛି। ଏହାସହ ଭାରୀଯାନ ଚାଳକଙ୍କ ପାଇଁ ଆଧୁନିକ ଅନୁକରଣ ଭିତ୍ତିକ ପ୍ରଶିକ୍ଷଣ ବ୍ୟବସ୍ଥା ଏବଂ କର୍ମଚାରୀମାନଙ୍କୁ ଅସୁରକ୍ଷିତ ପରିସ୍ଥିତି ଓ କାର୍ଯ୍ୟପ୍ରକ୍ରିୟାରେ ବିଚ୍ୟୁତି ସମ୍ପର୍କରେ ତଥ୍ୟ ଦାଖଲ କରିବାକୁ ସକ୍ଷମ କରୁଥିବା ସ୍ୱତନ୍ତ୍ର ଡିଜିଟାଲ୍ ପ୍ରୟୋଗ ବ୍ୟବସ୍ଥା ରହିଛି।
ଏଥିସହ ସମସ୍ତ କାର୍ଯ୍ୟକ୍ଷେତ୍ର ଓ ଆବାସିକ ଅଞ୍ଚଳରେ ନିୟମିତ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ, ଜରୁରିକାଳୀନ ମୁକାବିଲା ପ୍ରଶିକ୍ଷଣ ଓ ସୁରକ୍ଷା ଯାଞ୍ଚ କରାଯାଉଛି। ଏହାଦ୍ୱାରା କର୍ମଚାରୀଙ୍କ ପ୍ରସ୍ତୁତିକୁ ସୁଦୃଢ଼ କରିବା, ସୁରକ୍ଷା ନିୟମାବଳୀର ଅନୁପାଳନ ନିଶ୍ଚିତ କରିବା ଏବଂ ଯେକୌଣସି ଅଘଟଣର ତ୍ୱରିତ ମୁକାବିଲା କରିବା ସମ୍ଭବ ହେଉଛି। ନିରନ୍ତର ସଚେତନତା କାର୍ଯ୍ୟକ୍ରମ, ଆଚରଣଭିତ୍ତିକ ସୁରକ୍ଷା ପଦକ୍ଷେପ ଓ ନେତୃତ୍ୱସ୍ତରର ସକ୍ରିୟ ଅଂଶଗ୍ରହଣ ଏହି ପ୍ରୟାସକୁ ଆହୁରି ଶକ୍ତିଶାଳୀ କରୁଛି।
ଏହି ପଦକ୍ଷେପଗୁଡ଼ିକର ସଫଳତା ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ସ୍ୱୀକୃତି ଲାଭ କରିଛି। ନିକଟରେ ବେଦାନ୍ତ ଆଲୁମିନିୟମର ଝାରସୁଗୁଡ଼ା କାରଖାନା ବ୍ରିଟିଶ୍ ସେଫ୍ଟି କାଉନସିଲ୍ର ପଞ୍ଚତାରକା ବୃତ୍ତିଗତ ସ୍ୱାସ୍ଥ୍ୟ ଓ ସୁରକ୍ଷା ଅଡିଟ୍ ପୁରସ୍କାର ହାସଲ କରିଛି। ବିଶ୍ୱସ୍ତରରେ ସମ୍ମାନଜନକ ଏହି ସ୍ୱୀକୃତି କର୍ମଚାରୀଙ୍କ ସ୍ୱାସ୍ଥ୍ୟ, ସୁରକ୍ଷା ଓ ସାମଗ୍ରିକ କଲ୍ୟାଣ ସୁନିଶ୍ଚିତ କରିବା ଦିଗରେ କାରଖାନାର ଉଚ୍ଚମାନର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।