କାକଟପୁର ବ୍ଲକ୍ ପରିସରରେ ମଣ୍ଡଳ ସଭାପତିଙ୍କୁ ଆକ୍ରମଣ ଅଭିଯୋଗ, ଅଭିଯୁକ୍ତ କୋର୍ଟ ଚାଲାଣ

10


କାକଟପୁର, ୭/୧୧ :
କାକଟପୁର ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଲତାହାରଣ ମଣ୍ଡଳ ସଭାପତି ରାକେଶ କୁମାର ବିଶ୍ୱାଳଙ୍କୁ ଆକ୍ରମଣ ଓ ଲୁଟ୍ ଅଭିଯୋଗ ଘଟଣାରେ କାକଟପୁର ପୁଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ ଗୋକୁଳପୁର ଗ୍ରାମର ଅଭି ଓରଫ ଅଭିରାମ ବିଶ୍ୱାଳ (୨୫)।
ପୁଲିସ ସୂଚନା ଅନୁଯାୟୀ, ଲତାହାରଣ ଗ୍ରାମର ରାକେଶ କୁମାର ବିଶ୍ୱାଳ (୩୬) ଗତ ୬ ତାରିଖରେ ବିଭିନ୍ନ ଜନସମସ୍ୟା ନେଇ କାକଟପୁର ବ୍ଲକ୍ କାର୍ଯ୍ୟାଳୟକୁ ଯାଇଥିଲେ। କାର୍ଯ୍ୟାଳୟରୁ ଫେରିବା ସମୟରେ ମୋଟରସାଇକେଲ ଷ୍ଟାର୍ଟ କରୁଥିବା ବେଳେ ଏକ ଗୋଷ୍ଠୀର କିଛି ବ୍ୟକ୍ତି ତାଙ୍କ ନିକଟକୁ ଆସି ମାଡ଼ ମାରିଥିବା ଏବଂ ଭବିଷ୍ୟତରେ ବ୍ଲକ୍ କାର୍ଯ୍ୟାଳୟକୁ ନ ଆସିବା ପାଇଁ ଧମକ ଦେଇଥିବା ସେ ଥାନାରେ ଦେଇଥିବା ଅଭିଯୋଗରେ ଦର୍ଶାଇଛନ୍ତି। ଏହି ଆକ୍ରମଣରେ ତାଙ୍କ ଛାତି ଓ ମୁଣ୍ଡରେ ଆଘାତ ଲାଗିଥିବା ମଧ୍ୟ ଅଭିଯୋଗ ହୋଇଛି।
ଏଥିସହ ଆକ୍ରମଣକାରୀମାନେ ତାଙ୍କ ହାତଘଣ୍ଟା, ପ୍ରାୟ ୨୦ ଗ୍ରାମ ଓଜନର ସୁନାଚେନ୍, ନଗଦ ୬ ହଜାର ଟଙ୍କା ଏବଂ ପର୍ସରେ ଥିବା କେତେକ କାଗଜପତ୍ର ଜୋରଜବରଦସ୍ତ ନେଇଯାଇଥିବା ସେ ଅଭିଯୋଗ କରିଛନ୍ତି।
ଏନେଇ କାକଟପୁର ଥାନା ପୁଲିସ କେସ୍ ନଂ ୪୧୩, ତାରିଖ ୦୬.୧୧.୨୦୨୬ରେ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଦଫାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୁଲିସ ଘଟଣାସ୍ଥଳ ପରିଦର୍ଶନ କରିବା ସହ ଅଭିଯୋଗକାରୀ ଓ ଅନ୍ୟ ସାକ୍ଷୀମାନଙ୍କ ବୟାନ ରେକର୍ଡ କରିଥିଲା। ଆହତ ରାକେଶଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ବାଙ୍ଗୁରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିବା ବେଳେ ଡାକ୍ତରୀ ରିପୋର୍ଟ ଅପେକ୍ଷାରେ ରହିଛି।
ଏହି ମାମଲାରେ ଅଭିଯୁକ୍ତ ଅଭି ଓରଫ ଅଭିରାମ ବିଶ୍ୱାଳଙ୍କୁ ଗିରଫ କରାଯାଇ କାକଟପୁର ଜେଏମ୍‌ଏଫ୍‌ସି ଅଦାଲତକୁ ବିଚାର ପାଇଁ ପଠାଯାଇଛି। ଘଟଣାର ଅନ୍ୟ ଦିଗ ଓ ଅଭିଯୋଗର ସତ୍ୟାସତ୍ୟ ନେଇ ପୁଲିସର ଅଧିକ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.