“ସୃଜନଶୀଳ କାର୍ଯ୍ୟକଳାପ ମାଧ୍ୟମରେ ପିଲାମାନଙ୍କ ବ୍ୟକ୍ତିତ୍ୱର ସର୍ବାଙ୍ଗୀଣ ବିକାଶ ହୋଇଥାଏ”
ବଲାଙ୍ଗୀର,ତା.୦୫/୧୧/୨୦୨୬:ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୬ ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲା ଶିକ୍ଷା ଅଧିକାରୀ ସୁଧାଂଶୁ ଶେଖର ମିଶ୍ର ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗୀର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲବାର ଯୋଗ ଦେଇ ଚଳିତ ବର୍ଷର ମୁଖ୍ୟ ବିଷୟବସ୍ତୁ ‘ସମୃଦ୍ଧ ଭାଷା ଓ ସମୃଦ୍ଧ ଓଡ଼ିଶା’ ଉପରେ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିବା ସହ ଶିକ୍ଷା କେବଳ ପାଠ୍ୟ ପୁସ୍ତକ ମଧ୍ୟରେ ସୀମିତ ନୁହେଁ।ଗୀତ,ନୃତ୍ୟ,ଚିତ୍ରାଙ୍କନ,ବକ୍ତୃତା, କୁଇଜ,ନାଟକ ଓ ବିଭିନ୍ନ ସୃଜନଶୀଳ କାର୍ଯ୍ୟକଳାପ ମାଧ୍ୟମରେ ପିଲାମାନଙ୍କ ବ୍ୟକ୍ତିତ୍ୱର ସର୍ବାଙ୍ଗୀଣ ବିକାଶ ହୋଇଥାଏ ବୋଲି ନିଜ ବକ୍ତବ୍ୟରେ କହିଥିଲେ।ସମ୍ମାନୀତ ଅତିଥି ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରବୀର ପଣ୍ଡା, ସୁଶ୍ରୀ ରୀନା କୁମାରୀ ବେହେରା,ସେବାଶ୍ରୀ ଭୋଇ, ସ୍ଥାନୀୟ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ସ୍ୱରୂପା ମଞ୍ଜରୀ ସାମନ୍ତରା ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ଙ୍କୁ ମାର୍ଗଦର୍ଶନ କରିଥିଲେ।ଜିଲ୍ଲାର ୧୪ଗୋଟି ବ୍ଲକ ରୁ ୫୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କ ସହ ବହୁ ସଂଖ୍ୟାରେ ଗାଇଡ଼ ଶିକ୍ଷକ ଓ ଗାଇଡ଼ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ।ଏହି ଅବସରରେ ପ୍ରବନ୍ଧ,ସୁନ୍ଦର ହସ୍ତାକ୍ଷର,ତର୍କ, ଚିତ୍ରାଙ୍କନ,କୁଇଜ୍,ବକ୍ତୃତା,ପିଏମ ପୋଷଣ ଚିତ୍ରକଳା,ଶିଳ୍ପକଳା, ସଙ୍ଗୀତ ଓ ଦଳଗତ ସାଂସ୍କୃତିକ ପ୍ରତିଯୋଗିତାରେ ଛାତ୍ରଛାତ୍ରୀ ଭାଗନେଇ ନିଜର ପ୍ରତିଭା ଓ ସୃଜନଶୀଳତା ପ୍ରଦର୍ଶନ କରିଥିଲେ।ଦ୍ଵିତୀୟ ଅଧିବେଶନ ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା ଯୋଗଦେଇ ନିଜ ବକ୍ତବ୍ୟରେ ଭଲ ମଣିଷ ହେବା ପାଇଁ ଜ୍ଞାନ ସହିତ ଶୃଙ୍ଖଳା, ସୃଜନଶୀଳତା,ନୈତିକତା, ସହଯୋଗ ଓ ନେତୃତ୍ୱ ଗୁଣ ର ଆବଶ୍ୟକତା ରହିଛି।ଏହି ସବୁ ଗୁଣ ର ବିକାଶ ପାଇଁ ସୁରଭି ଏକ ଉପଯୁକ୍ତ ମଞ୍ଚ ବୋଲି କହିଥିଲେ।ବିଶିଷ୍ଟ ଅତିଥି ଭାବେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତରଣୀ ସୁନା ଯୋଗଦେଇ ନିଜ ବକ୍ତବ୍ୟରେ ପ୍ରତ୍ୟେକ ଶିଶୁ ର ପ୍ରତିଭାକୁ ଚି଼ହ୍ନଟ କରି ତାକୁ ଉପଯୁକ୍ତ ସୁଯୋଗ ଓ ମାର୍ଗଦର୍ଶନ ଦେଲେ ପ୍ରତ୍ୟେକ ଶିଶୁ ନିଜର ସ୍ବପ୍ନକୁ ସାକାର କରିବାର ସୁଯୋଗ ପାଇବେ ବୋଲି କହିଥିଲେ।କାର୍ଯ୍ୟକ୍ରମ ର ସଂଯୋଜନା ଅଳକା ଦାଶ ଓ ଶୈଳେନ୍ଦ୍ରି ପରିଡା କରିଥିବା ବେଳେ ପ୍ରଧାନ ଶିକ୍ଷକ ନବଘନ ସାହୁ ଧନ୍ୟବାଦ ଦେଇଥିଲେ।ଏହି ଜିଲ୍ଲା ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ର ପ୍ରତ୍ୟେକ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଥିଲା।।ଏହି କାର୍ଯ୍ୟକ୍ରମ ରେ ସମସ୍ତ ସିଆରସିସି,ଶିକ୍ଷକ ଶିକ୍ଷୟତ୍ରୀ ଓ ଶିକ୍ଷା କର୍ମଚାରୀଙ୍କ ସହ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।