ଜଗତସିଂହପୁର, ତା ୫/୧୧/୨୬: ଆଜି ପୂର୍ବାହ୍ନ ରେ ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ପୁରୋହିତପୁର, ଜଗତସିଂହପୁର ଠାରେ ଜିଲ୍ଲା ସ୍ତରୀୟ ‘ମାଣ୍ଡିଆ ଦିବସ-୨୦୨୬’ ମହାସମାରୋହରେ ପାଳିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ପ୍ରତିଷ୍ଠିତ ‘ଶ୍ରୀ ଅନ୍ନ ଅଭିଯାନ’ ଯୋଜନା ଅଧୀନରେ ଆୟୋଜିତ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଜିଲ୍ଲାରେ ମାଣ୍ଡିଆ ତଥା ପୋଷଣଯୁକ୍ତ କ୍ଷୁଦ୍ର ଶସ୍ୟର ଉତ୍ପାଦନ ବୃଦ୍ଧି କରିବା, ଏହାର ସଠିକ୍ ବଜାରୀକରଣ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ସାଧାରଣ ଲୋକଙ୍କ ଖାଦ୍ୟ ତାଲିକାରେ ଏହାର ବହୁଳ ବ୍ୟବହାରକୁ ପ୍ରୋତ୍ସାହିତ କରିବା।
ଏହି ଆଲୋଚନାଚକ୍ର ଓ ସମାରୋହରେ ଜଗତସିଂହପୁରର ମାନ୍ୟବର ସାଂସଦ ଶ୍ରୀଯୁକ୍ତ ବିଭୁ ପ୍ରସାଦ ତରାଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସେ ନିଜ ବକ୍ତବ୍ୟରେ ମାଣ୍ଡିଆର ପୋଷକ ତତ୍ତ୍ୱ ଏବଂ ଆଧୁନିକ ଯୁଗରେ ଏହାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ଜଗତସିଂହପୁର ଜିଲ୍ଲା ପରିଷଦ ସଭାପତି ଶ୍ରୀଯୁକ୍ତ ମନୋଜ କୁମାର ଭୋଇ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ଚାଷୀମାନଙ୍କ ଆର୍ଥିକ ଉନ୍ନତିରେ ମାଣ୍ଡିଆ ଚାଷର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜଗତସିଂହପୁର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀଯୁକ୍ତ ବିଭୁଦତ୍ତ ସାହୁ ଏବଂ କୃଷି ବିଜ୍ଞାନ କେନ୍ଦ୍ରର (KVK) ବୈଜ୍ଞାନିକ ଡ. ପ୍ରଦୀପ୍ତ କୁମାର ମାଝୀଙ୍କ ସମେତ କୃଷି ବିଭାଗର ବହୁ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଚାଷୀମାନଙ୍କୁ ବୈଷୟିକ ଜ୍ଞାନକୌଶଳ ବିଷୟରେ ଅବଗତ କରାଇଥିଲେ।
ଏହି ଦିବସ ପାଳନ ଅବସରରେ ଏକ ସ୍ୱତନ୍ତ୍ର ମାଣ୍ଡିଆ ଖାଦ୍ୟ ମହୋତ୍ସବ (ଫୁଡ୍ ଫେଷ୍ଟିଭାଲ୍) ଆୟୋଜିତ ହୋଇଥିଲା। ଏଥିରେ ଜିଲ୍ଲାର ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (SHG) ର ସଦସ୍ୟାମାନେ ଅଂଶଗ୍ରହଣ କରି ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ପ୍ରକାରର ପାରମ୍ପରିକ ଓ ଆଧୁନିକ ସ୍ୱାଦିଷ୍ଟ ଖାଦ୍ୟ ତଥା ପାନୀୟ ସାମଗ୍ରୀ ପ୍ରଦର୍ଶିତ କରିଥିଲେ। ସାଧାରଣ ଜନତାଙ୍କ ପାଇଁ ଏଠାରେ ଅନେକ ମିଲେଟ୍ ପ୍ରଡକ୍ଟସ ଷ୍ଟଲ୍ ମଧ୍ୟ ଖୋଲାଯାଇଥିଲା, ଯେଉଁଠାରୁ ଲୋକମାନେ ମାଣ୍ଡିଆରୁ ପ୍ରସ୍ତୁତ ସ୍ନାକ୍ସ ଓ ଅନ୍ୟାନ୍ୟ ସାମଗ୍ରୀ ଆଗ୍ରହର ସହ କ୍ରୟ କରିଥିଲେ।
ଏହି ସମାବେଶରେ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ୧୫୦ ରୁ ଅଧିକ ସଫଳ ଚାଷୀ ଏବଂ ଏସଏଚଜି ମହିଳାମାନେ ଯୋଗ ଦେଇଥିଲେ। ମାଣ୍ଡିଆ ଉତ୍ପାଦନ, ସଫଳ ପ୍ରକ୍ରିୟାକରଣ (Processing) ଏବଂ ବଜାରୀକରଣ କ୍ଷେତ୍ରରେ ଉଲ୍ଲେଖନୀୟ ତଥା ଆଦର୍ଶ ପ୍ରଦର୍ଶନ କରିଥିବାରୁ ଜିଲ୍ଲାର ୬ ଜଣ ପ୍ରଗତିଶୀଳ ଚାଷୀ ଏବଂ ୪ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଅତିଥିମାନଙ୍କ ଦ୍ୱାରା ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରି ଆନୁଷ୍ଠାନିକ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ କୃଷି ବିଭାଗ ପକ୍ଷରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇ ସଭା ସାଙ୍ଗ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.
Next Post