ବଲାଙ୍ଗୀର ଜିଲ୍ଲା ହକି ସଂଘର ନୂତନ କର୍ମକର୍ତ୍ତା ନିର୍ବାଚିତ

8

ନ୍ୟାସନାଲ୍ ସ୍ପୋର୍ଟ୍ସ କୋଡ୍ ଅନୁଯାୟୀ ନିର୍ବାଚନ ସମ୍ପନ୍ନ, ନୂତନ ନେତୃତ୍ୱରେ ହକିର ବିକାଶ ନେଇ ଆଶା


ବଲାଙ୍ଗୀର: ଭାରତ ସରକାରଙ୍କ କ୍ରୀଡ଼ା ବିଭାଗ ପକ୍ଷରୁ ପ୍ରଣୀତ ନ୍ୟାସନାଲ୍ ସ୍ପୋର୍ଟ୍ସ କୋଡ୍‌ର ନିୟମାବଳୀ ଅନୁଯାୟୀ ବଲାଙ୍ଗୀର ଜିଲ୍ଲା ହକି ସଂଘର ନିର୍ବାଚନ ସମ୍ପନ୍ନ ହୋଇଛି। ଜିଲ୍ଲାର କ୍ରୀଡ଼ା ସଂଗଠନକୁ ଅଧିକ ସୁସଂଗଠିତ, ସ୍ୱଚ୍ଛ ଓ ନିୟମାନୁବର୍ତ୍ତୀ କରିବା ଦିଗରେ ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ।
ନିର୍ବାଚନ ପ୍ରକ୍ରିୟାକୁ ସଫଳ ଓ ସୁଚାରୁ ରୂପେ ସମ୍ପନ୍ନ କରିବାରେ ସହଯୋଗ ଏବଂ ମାର୍ଗଦର୍ଶନ ପ୍ରଦାନ କରିଥିବା ବଲାଙ୍ଗୀର ଜିଲ୍ଲା ପ୍ରଶାସନ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଓ ରାଜ୍ୟ ହକି ସଂଘକୁ ଆୟୋଜକଙ୍କ ପକ୍ଷରୁ ହୃଦୟରୁ ଧନ୍ୟବାଦ ଓ କୃତଜ୍ଞତା ଜଣାଯାଇଛି।
ନିର୍ବାଚନରେ ନୂତନ କର୍ମକର୍ତ୍ତା ଭାବେ ସଭାପତି ପଦରେ ସୁଧାଂଶୁ ସେଠ୍ (ନାଟୁ), ସମ୍ପାଦକ ପଦରେ ନିଶାର କାନ୍ତ ନାଗ (ଟିକିରି) ଏବଂ କୋଷାଧ୍ୟକ୍ଷ ପଦରେ ଶ୍ରୀମତୀ କସ୍ତୁରୀ ରଥ ନିର୍ବାଚିତ ହୋଇଛନ୍ତି।
ନବନିର୍ବାଚିତ କର୍ମକର୍ତ୍ତାମାନଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଯାଇଛି। ସେମାନଙ୍କ ନୂତନ ନେତୃତ୍ୱରେ ବଲାଙ୍ଗୀର ଜିଲ୍ଲାରେ ହକି ଖେଳର ପ୍ରଚାର, ପ୍ରସାର ଓ ବିକାଶ ନୂତନ ଦିଗ ପାଇବା ସହ ଗ୍ରାମାଞ୍ଚଳ ଓ ସହରାଞ୍ଚଳରୁ ନୂତନ ପ୍ରତିଭାବାନ ଖେଳାଳି ସୃଷ୍ଟି ହେବେ ବୋଲି କ୍ରୀଡ଼ାପ୍ରେମୀମାନେ ଆଶା ପ୍ରକାଶ କରିଛନ୍ତି।
କ୍ରୀଡ଼ା ସଂଗଠନର ପ୍ରକୃତ ସଫଳତା କେବଳ ପଦପଦବୀରେ ସୀମିତ ନ ରହି ଖେଳାଳିଙ୍କ ଦକ୍ଷତା ବୃଦ୍ଧି, ଉନ୍ନତ ପ୍ରଶିକ୍ଷଣ ଓ ନୂତନ ପ୍ରତିଭାଙ୍କୁ ସୁଯୋଗ ପ୍ରଦାନରେ ପ୍ରତିଫଳିତ ହେବା ଆବଶ୍ୟକ। ଏହି ଦିଗରେ ନୂତନ କର୍ମକର୍ତ୍ତାମାନେ ଗୁରୁତ୍ୱ ଦେବେ ବୋଲି ଆଶା ରହିଛି।
ଖେଳାଳିଙ୍କ ଉନ୍ନତି ହିଁ ହେଉ ହକି ସଂଘର ମୂଳ ଲକ୍ଷ୍ୟ।

Leave A Reply

Your email address will not be published.