ଲଗାଣ ବର୍ଷାରେ କ୍ଷତିଗ୍ରସ୍ତ ଚାଷ ଜମିରେ ବିଧାୟକ ରୂପେଶ ପାଣିଗ୍ରାହୀ

14

ଜଳମଗ୍ନ ଧାନ ଜମିରେ ପଶି କ୍ଷୟକ୍ଷତିର କଲେ ଅନୁଧ୍ୟାନ , ଜିଲ୍ଲାପାଳଙ୍କୁ ତୁରନ୍ତ ପଦକ୍ଷେପ ପାଇଁ ନିବେଦନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଲଗାଣ ବର୍ଷାର ପ୍ରକୋପରେ ଚାଷ ଜମି ଜଳମଗ୍ନ ହୋଇ ଚାଷୀଙ୍କ ଆଶା ଓ ଆକାଂକ୍ଷା ଉପରେ ଦେଖାଦେଇଛି ଗଭୀର ସଙ୍କଟ। ଅନେକ ଚାଷୀଙ୍କ ବର୍ଷକର ପରିଶ୍ରମ ଓ ଜୀବିକାର ଆଧାର ଧାନ ଫସଲ ନଷ୍ଟ ହେବା ଆଶଙ୍କା ମଧ୍ୟରେ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର ବିଭିନ୍ନ ଗ୍ରାମର କ୍ଷତିଗ୍ରସ୍ତ ଚାଷ ଜମି ପରିଦର୍ଶନ କରିଛନ୍ତି ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ।
ବିଧାୟକ ଗୋଷାଣୀ ବ୍ଲକ ଅନ୍ତର୍ଗତ ଅଗରଖଣ୍ଡି , ଭିନ୍ନଳା , ବାପୂଜିପେଣ୍ଠା , ବଡ଼ଗାଁ ସମେତ ବିଭିନ୍ନ ଗ୍ରାମକୁ ଗସ୍ତ କରି ଲଗାଣ ବର୍ଷା ଯୋଗୁଁ ଜଳମଗ୍ନ ହୋଇଥିବା ଚାଷ ଜମି ଓ କ୍ଷତିଗ୍ରସ୍ତ ଫସଲର ସ୍ଥିତି ନିଜେ ଅନୁଧ୍ୟାନ କରିଥିଲେ। ବିଶେଷ କରି ଅଗରଖଣ୍ଡି ଗ୍ରାମରେ ଚାଷ ଜମିରେ ଜମିଥିବା ପାଣି ମଧ୍ୟରେ ପଶି ନଷ୍ଟ ହୋଇଥିବା ଧାନ ଫସଲର ସ୍ଥିତି ଦେଖିଥିଲେ। ଚାଷୀଙ୍କ ଦୁଃଖ , ଯନ୍ତ୍ରଣା ଓ ଅସହାୟତାକୁ ନିକଟରୁ ଅନୁଭବ କରିବା ସହ କ୍ଷୟକ୍ଷତିର ଗମ୍ଭୀରତାକୁ ହୃଦୟଙ୍ଗମ କରିଥିଲେ।


ଏହି ଗସ୍ତ ସମୟରେ ବିଧାୟକ ରୂପେଶ ପାଣିଗ୍ରାହୀ କ୍ଷତିଗ୍ରସ୍ତ ଚାଷ ଜମିର ପରିସ୍ଥିତିକୁ ଭିଡିଓ କଲ୍ ମାଧ୍ୟମରେ ଗଜପତି ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କୁ ଅବଗତ କରାଇଥିଲେ। ଚାଷୀଙ୍କ ଜୀବନ ଓ ଜୀବିକା ସହ ଜଡ଼ିତ ଏହି ଗୁରୁତର ସମସ୍ୟା ପ୍ରତି ତୁରନ୍ତ ଦୃଷ୍ଟିଦେଇ କ୍ଷୟକ୍ଷତିର ଆକଳନ , ଆବଶ୍ୟକୀୟ ସହାୟତା ଓ ଉଚିତ ପଦକ୍ଷେପ ଶୀଘ୍ର କାର୍ଯ୍ୟକାରୀ କରିବାକୁ ନିବେଦନ କରିଥିଲେ।
ଚାଷୀଙ୍କ ଦୁଃଖରେ ସାମିଲ ହୋଇ ସେମାନଙ୍କ ପାଖରେ ଠିଆ ହେବା ଏବଂ କ୍ଷତିଗ୍ରସ୍ତ ଫସଲର ଯଥାର୍ଥ ଆକଳନ ସହ ଆବଶ୍ୟକ ସହାୟତା ପହଞ୍ଚାଇବା ଉପରେ ବିଧାୟକ ଗୁରୁତ୍ୱ ଦେଇଥିଲେ। ଚାଷୀଙ୍କ ଆଖିରେ ଥିବା ଚିନ୍ତା ଓ ମନରେ ଥିବା ଆଶାକୁ ସମ୍ମାନ ଦେଇ ସେମାନଙ୍କ ସମସ୍ୟାର ସମାଧାନ ଦିଗରେ ପ୍ରଶାସନ ତ୍ୱରିତ ପଦକ୍ଷେପ ନେବା ଆବଶ୍ୟକ ବୋଲି ଗୁରୁତ୍ୱାରୋପ କରିଥିଲେ।
ଏହି ପରିଦର୍ଶନ ସମୟରେ ବିଧାୟକଙ୍କ ସହ ଜିଲ୍ଲା ପରିଷଦ ସଭ୍ୟ ଏସ୍. ବାଲାରାଜୁ , ନୀଳମାଧବ ପାଣ୍ଡି , ବିଜୟ ଜେନା , ଜଗା ପ୍ରଧାନ , ବୁଡୁ ପ୍ରଧାନ , ନିରଞ୍ଜନ ପ୍ରଧାନଙ୍କ ସମେତ ଅନ୍ୟାନ୍ୟ ଜନପ୍ରତିନିଧି ଓ ସ୍ଥାନୀୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।
ବର୍ଷାରେ ଭିଜୁଥିବା ଚାଷ ଜମି, ଜଳମଗ୍ନ ଫସଲ ଓ ଚାଷୀଙ୍କ ମନରେ ଜମିଥିବା ଦୁଃଖ ମଧ୍ୟରେ ବିଧାୟକଙ୍କ ଏହି ଗସ୍ତ ଚାଷୀଙ୍କ ସମସ୍ୟା ପ୍ରତି ସମ୍ବେଦନଶୀଳତା ଓ ସହାୟତା ପାଇଁ ଆଶାର ଏକ ନୂଆ ଦିଗ ସୃଷ୍ଟି କରିଛି।

Leave A Reply

Your email address will not be published.