ପ୍ରଶାସନ ପକ୍ଷରୁ ବନ୍ୟା ବିପନ୍ନଙ୍କୁ ରିଲିଫ୍ ବଣ୍ଟନ;ଘରକୁ ଘର ବୁଲି ଶୁଖିଲା ଖାଦ୍ୟ ବଣ୍ଟନ, ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ଉପରେ ଗୁରୁତ୍ୱ
ବେଲଗୁଣ୍ଠା,୦୪/୧୧,-(ଶିବରାମ ଚୌଧୁରୀ )-ବାତ୍ୟା ଅର୍ଣ୍ଣବ ପ୍ରଭାବରେ ସୃଷ୍ଟି ହୋଇଥିବା ବନ୍ୟାରେ ବେଲଗୁଣ୍ଠା ବ୍ଲକ୍ ଇଙ୍ଗିନାଠି ପଞ୍ଚାୟତର ବିଭିନ୍ନ ଗ୍ରାମ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି।ଲୋହରାଖଣ୍ଡି ନଦୀ ଓ ବଡ଼ନଦୀ ମଧ୍ୟବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ଏହି ପଞ୍ଚାୟତର ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ରିଲିଫ୍ ବଣ୍ଟନ ସହ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି।
ସୋରଡ଼ା ବିଧାୟକ ନୀଳମଣି ବିଷୋୟୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତଥା ବିଧାୟକ ପ୍ରତିନିଧି ଜିତେନ୍ଦ୍ର କୁମାର ନାୟକଙ୍କ ନେତୃତ୍ୱରେ ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀମାନେ ରିଲିଫ୍ ବଣ୍ଟନରେ ସାମିଲ ହୋଇଥିଲେ। ବିଡିଓ ସିଙ୍ଗାପୁରମ୍ ହରି, ତହସିଲଦାର କଳାକୃଷ୍ଣ ପ୍ରଧାନ, ଇଙ୍ଗିନାଠି ସରପଞ୍ଚ ଶୁକଦେବ ସ୍ୱାଇଁ, ସମିତି ସଭ୍ୟ ପ୍ରତିନିଧି ରାଜେଶ ସ୍ୱାଇଁଙ୍କ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟମାନେ ଘରକୁ ଘର ବୁଲି ରତଙ୍ଗ, ଇଙ୍ଗିନାଠି, ସାରିଆପଲ୍ଲୀ, ଉସ୍ତପଲ୍ଲୀ, ମନ୍ଦାର ଓ ବଲାଡ଼ି ଗ୍ରାମର ବିପନ୍ନ ପରିବାରଙ୍କୁ ଚୁଡ଼ା, ଛତୁଆ, ଗୁଡ଼ ଓ ବିସ୍କୁଟ ବଣ୍ଟନ କରିଥିଲେ।ଅନ୍ୟପକ୍ଷରେ ବନ୍ୟାଜଳ ଧୀରେ ଧୀରେ ହ୍ରାସ ପାଉଥିବାରୁ ପ୍ରଭାବିତ ଅଞ୍ଚଳର ପୁନରୁଦ୍ଧାର କାର୍ଯ୍ୟ ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସିଏଚ୍ଓ ତପସ୍ୱିନୀ ମହାନ୍ତି, ଏଏନ୍ଏମ୍ ମଞ୍ଜରୀ ବିଶ୍ୱାସ, ସ୍ଥାନୀୟ ଆଶାକର୍ମୀ ଓ ଅଙ୍ଗନବାଡ଼ି କର୍ମୀମାନେ ଗ୍ରାମଗୁଡ଼ିକରେ କୂଅ ଓ ପୋଖରୀରେ ବ୍ଲିଚିଂ ପାଉଡର ପକାଇବା ସହ ବିଶୁଦ୍ଧ ପାନୀୟ ଜଳ ପାଇଁ ହାଲୋଜେନ୍ ବଟିକା ବଣ୍ଟନ କରିଥିଲେ।
ସେହିପରି ବେଲଗୁଣ୍ଠା ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ନଳିନୀ ମହାରଣା ଓ ଅଞ୍ଚଳ ପରିଦର୍ଶିକା ସଂଯୁକ୍ତା ଦାସ ଇଙ୍ଗିନାଠି ପଞ୍ଚାୟତର ବିଭିନ୍ନ ଗ୍ରାମ ପରିଦର୍ଶନ କରି କିଶୋରୀ ଓ ପ୍ରାପ୍ତବୟସ୍କା ମହିଳାଙ୍କୁ ସାନିଟାରି ନାପକିନ୍ ବଣ୍ଟନ କରିଥିଲେ। ଏଥିସହ ଛୋଟ ଛୋଟ ଶିଶୁଙ୍କ ସ୍ୱାସ୍ଥ୍ୟ ଓ ଆବଶ୍ୟକ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ। ବନ୍ୟା ପରବର୍ତ୍ତୀ ସମୟରେ ଖାଦ୍ୟ, ସ୍ୱାସ୍ଥ୍ୟ, ପାନୀୟ ଜଳ ଓ ସ୍ୱଚ୍ଛତା ଉପରେ ପ୍ରଶାସନର ଏହି ସମନ୍ୱିତ ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳବାସୀ ସ୍ୱାଗତ କରିଛନ୍ତି।