ଗଣତନ୍ତ୍ରର ସୁରକ୍ଷା ଓ ଏହାର ସୁଦୃଢ଼ୀକରଣରେ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ: ବିଧାୟକ ସନତ କୁମାର ଗଡ଼ତିୟା
ବରଗଡ଼/ଗାଇସିଲେଟ: ଗଣତନ୍ତ୍ରର ସୁରକ୍ଷା ଓ ଏହାର ସୁଦୃଢ଼ୀକରଣରେ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଦେଶ ଓ ଗଣତନ୍ତ୍ରର ସୁରକ୍ଷା କରିବା ସମସ୍ତଙ୍କ ଦାୟିତ୍ୱ ହୋଇଥିବା ବେଳେ ଏଥିରେ ସାମ୍ବାଦିକମାନଙ୍କ ଭୂମିକା ଅଧିକ ଗୁରୁତ୍ୱ ବହନ କରେ ବୋଲି କହିଛନ୍ତି ବିଜେପୁର ବିଧାୟକ ସନତ ଗଡ଼ତିଆ।
ଗାଇସିଲେଟ ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷରେ ଗାଇସିଲେଟ ସାମ୍ବାଦିକ ସଂଘ ଆନୁକୂଲ୍ୟରେ ଜର୍ନାଲିଷ୍ଟ ଏସୋସିଏସନ୍ ଅଫ୍ ବରଗଡ଼ (ଜାବ)ର ସାଧାରଣ ପରିଷଦ ବୈଠକ ଓ ଦ୍ୱିବାର୍ଷିକ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଧାୟକ ଶ୍ରୀ ଗଡ଼ତିଆ ସାମ୍ବାଦିକମାନଙ୍କ ସାମାଜିକ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ। ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ, ଜୀବନ ବୀମା ରାଶି ୫ ଲକ୍ଷରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି ଏବଂ ଅବସର ପରେ ପେନସନ୍ ପ୍ରଦାନ ଭଳି ଦାବି ସରକାରଙ୍କ ନିକଟରେ ଉପସ୍ଥାପନ କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ।
ଏହି ଅବସରରେ ଓୟୁଜେ ପର୍ଯ୍ୟବେକ୍ଷକ ତଥା ବଲାଙ୍ଗୀର ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ପ୍ରଦୀପ୍ତ ମିଶ୍ର, ଗାଇସିଲେଟ ବ୍ଲକ ଅଧ୍ୟକ୍ଷ ପ୍ରଣୟ ସାହୁ, ବିଡିଓ ଲକ୍ଷ୍ମଣ ମାଝୀ, ବିଧାୟକ ପ୍ରତିନିଧି ଆନନ୍ଦ ମଟାରୀ, ଜାବର ଜିଲ୍ଲା ସଂଯୋଜକ ରଞ୍ଜନ ଦେବତା ଓ ସାଧାରଣ ସମ୍ପାଦକ ବଦ୍ରୀ ପ୍ରସାଦ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ। ଗାଇସିଲେଟ ୟୁନିଟ୍ର ବରିଷ୍ଠ ସଦସ୍ୟ ସଞ୍ଜୀବ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ।

ବୈଠକର ପ୍ରଥମ ପର୍ଯ୍ୟାୟରେ ଜାବ ସଭାପତି ରବି ପଣ୍ଡାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ୟୁନିଟ୍ର ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ସମ୍ପର୍କରେ ଆଲୋଚନା ହୋଇଥିଲା। ପରେ ଓୟୁଜେ ପର୍ଯ୍ୟବେକ୍ଷକ ପ୍ରଦୀପ୍ତ ମିଶ୍ରଙ୍କ ଉପସ୍ଥିତିରେ ନିର୍ବାଚନ ଅଧିକାରୀ ହେମନ୍ତ ପ୍ରଧାନ ନିର୍ବାଚନ ପରିଚାଳନା କରିଥିଲେ। ସର୍ବସମ୍ମତିକ୍ରମେ ରବି ପଣ୍ଡା ଅଷ୍ଟମ ଥର ପାଇଁ ସଭାପତି ଏବଂ ବଦ୍ରୀ ପ୍ରସାଦ ସାହୁ ଦ୍ୱିତୀୟ ଥର ପାଇଁ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲେ।
ଅନ୍ୟ କର୍ମକର୍ତ୍ତାଙ୍କ ମଧ୍ୟରେ ଉପସଭାପତି ଭାବେ ପ୍ରଭୁ ଚରଣ ମହାନ୍ତି, ସତ୍ୟଜିତ୍ ପ୍ରଧାନ, ଯୁଧିଷ୍ଠିର ମହାପାତ୍ର ଓ ନୀଳକଣ୍ଠ ଦୀପ; ଯୁଗ୍ମ ସମ୍ପାଦକ ଭାବେ ଜ୍ୟୋତି ରଞ୍ଜନ ମହାପାତ୍ର, ସରୋଜ ଷଡ଼ଙ୍ଗୀ, ଅଶ୍ୱିନୀ ପାତ୍ର ଓ ଧୀରେନ ମହାନ୍ତି ନିର୍ବାଚିତ ହୋଇଛନ୍ତି। ସେହିପରି ବ୍ୟୋମକେଶ କର କୋଷାଧ୍ୟକ୍ଷ, ରଞ୍ଜନ ଦେବତା ଜିଲ୍ଲା ସଂଯୋଜକ, ହେମନ୍ତ ପ୍ରଧାନ ସାମ୍ବାଦିକ କଲ୍ୟାଣ ପାଣ୍ଠି ଅଧ୍ୟକ୍ଷ, କ୍ଷମାନିଧି ନାୟକ ଟ୍ରିବ୍ୟୁନାଲ କମିଟି ଅଧ୍ୟକ୍ଷ, ରଞ୍ଜିତ ଦାଶ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ନରେନ୍ଦ୍ର ଦାଶ ଅଫିସ ସମ୍ପାଦକ ଏବଂ ସୁବ୍ରତ ସାହୁ ସାମାଜିକ ଗଣମାଧ୍ୟମ ସଂଯୋଜକ ଭାବେ ମନୋନୀତ ହୋଇଛନ୍ତି।
ଏଥିସହ ଜିଲ୍ଲାର ୧୨ଟି ବ୍ଲକ ପାଇଁ ବ୍ଲକ ସଂଯୋଜକ ମନୋନୀତ ହୋଇଛନ୍ତି। ସେମାନେ ହେଲେ ଅତାବିରାରୁ କୀର୍ତ୍ତନ ବିଶ୍ୱାଳ, ବିଜେପୁରରୁ ସୁନୀଲ ମିଶ୍ର, ବରଗଡ଼ରୁ ନେପାଳ ପ୍ରଧାନ, ଭଟଲିରୁ ରାଜେଶ ମିଶ୍ର, ଭେଡ଼େନରୁ ମୁକୁନ୍ଦ ଷଡ଼ଙ୍ଗୀ, ଅମ୍ବାଭୋନାରୁ ପ୍ରକାଶ ରଥ, ବରପାଲିରୁ ପଦ୍ମଲୋଚନ ସାହୁ, ପଦ୍ମପୁରରୁ ସୁଦାମ ପ୍ରଧାନ, ଝାରବନ୍ଧରୁ ଦେବେନ୍ଦ୍ର ସାହୁ, ପାଇକମାଳରୁ ଧୀରେନ୍ଦ୍ର ମହାନ୍ତି, ଗାଇସିଲେଟରୁ ଝସକେତନ ସାହୁ ଏବଂ ସୋହେଲାରୁ ଅଶ୍ୱିନୀ ପାତ୍ର।
ନବନିର୍ବାଚିତ କର୍ମକର୍ତ୍ତାମାନେ ସାମ୍ବାଦିକଙ୍କ ସ୍ୱାର୍ଥ, ସୁରକ୍ଷା ଓ ସାମ୍ବାଦିକତାର ମାନ ବୃଦ୍ଧି ଦିଗରେ କାର୍ଯ୍ୟ କରିବେ ବୋଲି ଆଶା ପ୍ରକାଶ ପାଇଛି।