ବନ୍ୟା ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ଓ ଗୋଖାଦ୍ୟ ବାଣ୍ଟିଲା ପୋଲିସ ବିଭାଗ;ପୋଲିସର ଜନହିତକର କାର୍ଯ୍ୟକୁ ଚାଷୀଙ୍କ ପ୍ରଶଂସା

3

ବେଲଗୁଣ୍ଠା,୦୪/୧୧,-(ଶିବରାମ ଚୌଧୁରୀ )-ବାତ୍ୟା ଅର୍ଣ୍ଣବ ପ୍ରଭାବରେ ସୃଷ୍ଟି ହୋଇଥିବା ବନ୍ୟାରେ ବେଲଗୁଣ୍ଠା ବ୍ଲକ୍ ଇଙ୍ଗିନାଠି ପଞ୍ଚାୟତର ବିଭିନ୍ନ ଗ୍ରାମ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ଲୋହରାଖଣ୍ଡି ନଦୀ ଓ ବଡ଼ନଦୀ ମଧ୍ୟବର୍ତ୍ତୀ ଅଞ୍ଚଳରେ ଥିବା ଏହି ପଞ୍ଚାୟତର ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶାକୁ ଦୃଷ୍ଟିରେ ରଖି ପୋଲିସ ବିଭାଗ ପକ୍ଷରୁ ମାନବିକତାର ପରିଚୟ ଦିଆଯାଇଛି।ବୁଧବାର ଭଞ୍ଜନଗର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରଞ୍ଜନ କୁମାର ଦେ, ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଡକ୍ଟର ଦୀପକ କୁମାର ମିଶ୍ର ଏବଂ ବେଲଗୁଣ୍ଠା ଥାନା ଅଧିକାରୀ ରେବତୀ ଶବର ପୋଲିସ ଟିମ୍ ସହ ଇଙ୍ଗିନାଠି ପଞ୍ଚାୟତର ରତଙ୍ଗ, ଇଙ୍ଗିନାଠି, ସାରିଆପଲ୍ଲୀ, ଉସ୍ତପଲ୍ଲୀ ଓ ମନ୍ଦାର ଗ୍ରାମ ପରିଦର୍ଶନ କରିଥିଲେ। ଏହି ଅବସରରେ ବନ୍ୟା ପ୍ରଭାବିତ ପରିବାରଗୁଡ଼ିକୁ ପାଉଁରୁଟି ଓ ବିସ୍କୁଟ ଭଳି ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା।ଅନ୍ୟପକ୍ଷରେ ବନ୍ୟା ଯୋଗୁଁ ଗୃହପାଳିତ ପଶୁଙ୍କ ପାଇଁ ଗୋଖାଦ୍ୟର ଅଭାବ ଦେଖାଦେଇଥିବା ଜାଣି ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରଞ୍ଜନ କୁମାର ଦେ ଦୁଇଟି ଗାଡ଼ିରେ ଗୋଖାଦ୍ୟ ନେଇ ଗୋପାଳକ ଓ ଚାଷୀମାନଙ୍କୁ ବଣ୍ଟନ କରିଥିଲେ।ପୋଲିସ ବିଭାଗର ଏଭଳି ମାନବିକତାପୂର୍ଣ୍ଣ ଓ ଜନହିତକର ପଦକ୍ଷେପକୁ ସ୍ଥାନୀୟ ଚାଷୀ ଓ ଗ୍ରାମବାସୀ ଉଚ୍ଚ ପ୍ରଶଂସା କରିବା ସହ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ କୃତଜ୍ଞତା ଜଣାଇଥିଲେ। ବିପଦ ସମୟରେ ଜନସାଧାରଣଙ୍କ ପାଖରେ ପୋଲିସର ଏଭଳି ସହଯୋଗ ଓ ସମ୍ବେଦନଶୀଳତା ଏକ ପ୍ରଶଂସନୀୟ ଉଦାହରଣ ସୃଷ୍ଟି କରିଛି।

Leave A Reply

Your email address will not be published.