ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟର ସେବା ସଂଘ, ମାଲକାନଗିରି ଶାଖାର ସାଧାରଣ ସଭା ଓ ନିର୍ବାଚନ ଅନୁଷ୍ଠିତ

9

ପୁନର୍ବାର ସଭାପତି ଭାବେ ନିର୍ବାଚିତ ହେଲେ ଇଂ. ପ୍ରଶାନ୍ତ କୁମାର ବେହେରା (ସାଇ)

ମାଲକାନଗିରି,(ସୁରେନ୍ଦ୍ର କୁମାର ବେମାଳ) ୧ ନଭେମ୍ବର: ମାଲକାନଗିରିସ୍ଥିତ ସଂଘ ଭବନଠାରେ ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟର ସେବା ସଂଘ, ମାଲକାନଗିରି ଶାଖାର ସାଧାରଣ ସଭା ସହିତ ୨୦୨୬ ବର୍ଷ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ସଂଘର କେନ୍ଦ୍ରୀୟ କର୍ମକର୍ତ୍ତା ତଥା ଇଂ. ମହେନ୍ଦ୍ର ପ୍ରଧାନ ଯୋଗଦେଇଥିବା ବେଳେ ମାଲକାନଗିରି ଶାଖାର ମଣ୍ଡଳ ସଭାପତି ଇଂ. କୃତିବାସ ନାୟକ ସଭାର ପରିଚାଳନା କରିଥିଲେ।

ସାଧାରଣ ସଭାରେ ୨୦୨୬ ମସିହାରେ ନୂତନ ଭାବେ ନିଯୁକ୍ତି ପାଇଥିବା ଡିପ୍ଲୋମା ଇଞ୍ଜିନିୟରମାନଙ୍କୁ ସଂଘର ଉଦ୍ଦେଶ୍ୟ, ଗୁରୁତ୍ୱ, କାର୍ଯ୍ୟଧାରା ଓ ସଂଗଠନର ଶୃଙ୍ଖଳା ସମ୍ପର୍କରେ ଅବଗତ କରାଯାଇଥିଲା। ସଂଘକୁ ଅଧିକ ସୁଦୃଢ଼ ଓ ଏକତ୍ରିତ କରିବା ଦିଗରେ ନୂତନ ଇଞ୍ଜିନିୟରମାନଙ୍କର ଭୂମିକା ଉପରେ ଆଲୋଚନା ହେବା ସହ ସେମାନଙ୍କୁ ସଂଘର ସଦସ୍ୟତା ପ୍ରଦାନ କରାଯାଇଥିଲା।

ଡିପ୍ଲୋମା ଇଞ୍ଜିନିୟରମାନଙ୍କ ବିଭିନ୍ନ ନ୍ୟାୟୋଚିତ ଦାବି ଉପରେ ଆଲୋଚନା

ସଭାରେ ଡିପ୍ଲୋମା ଇଞ୍ଜିନିୟରମାନଙ୍କ ଦୀର୍ଘଦିନର ବିଭିନ୍ନ ସମସ୍ୟା ଓ ନ୍ୟାୟୋଚିତ ଦାବି ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ବିଶେଷକରି କନିଷ୍ଠ ଯନ୍ତ୍ରୀ (JE) ଠାରୁ ସହକାରୀ ଯନ୍ତ୍ରୀ (AE) ପଦବୀକୁ ପଦୋନ୍ନତିରେ ହେଉଥିବା ବିଳମ୍ବର ସମାଧାନ, ନିର୍ଦ୍ଦିଷ୍ଟ ସେବା ଅବଧି ପରେ ପଦୋନ୍ନତିର ସୁଯୋଗ, ବିଭିନ୍ନ ବିଭାଗରେ ଡିପ୍ଲୋମା ଇଞ୍ଜିନିୟରମାନଙ୍କ ପଦୋନ୍ନତି କ୍ଷେତ୍ରରେ ଉପଯୁକ୍ତ କୋଟା ନିର୍ଦ୍ଧାରଣ ଓ ପୁନର୍ବିଚାର ଆଦି ଦାବି ଉପସ୍ଥାପନ କରାଯାଇଥିଲା।

ଏଥିସହିତ ଠିକା ଭିତ୍ତିରେ ନିଯୁକ୍ତି ପାଇଥିବା କନିଷ୍ଠ ଯନ୍ତ୍ରୀମାନଙ୍କ ଠିକା ସେବା ଅବଧିକୁ ଚାକିରିରେ ଗଣନା କରି ସେବାଗତ ସୁବିଧା ପ୍ରଦାନ, ସମସ୍ତ ବିଭାଗର ଡିପ୍ଲୋମା ଇଞ୍ଜିନିୟରମାନଙ୍କ ପାଇଁ ଏକକ Uniform Cadre Rule ପ୍ରଚଳନ, କ୍ୟାଡରରେ ସମାନତା ଓ ପଦୋନ୍ନତି ସୁବିଧା ପ୍ରଦାନ ଭଳି ଗୁରୁତ୍ୱପୂର୍ଣ୍ଣ ଦାବି ଉପରେ ମତବିନିମୟ ହୋଇଥିଲା।

ନଭେମ୍ବର ୧୪ରେ ଭୁବନେଶ୍ୱରରେ ବିଶାଳ ପ୍ରତିରୋଧ ସଭା

ଏହି ଅବସରରେ କେନ୍ଦ୍ରୀୟ କର୍ମକର୍ତ୍ତା ଇଂ. ମହେନ୍ଦ୍ର ପ୍ରଧାନ ତାଙ୍କ ଉଦ୍‌ବୋଧନରେ ସଂଘର ବିଭିନ୍ନ ଦାବି ପୂରଣ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି କହିଥିଲେ। ଏଥିସହିତ ଆଗାମୀ ନଭେମ୍ବର ୧୪ ତାରିଖରେ ଭୁବନେଶ୍ୱରଠାରେ ଏକ ବିଶାଳ ପ୍ରତିରୋଧ ସଭା ଆୟୋଜନ କରାଯିବ ବୋଲି ଘୋଷଣା କରିଥିଲେ।

ଏହି ପ୍ରତିରୋଧ ସଭାରେ ଓଡ଼ିଶାର ସମସ୍ତ ଜିଲ୍ଲାର ଡିପ୍ଲୋମା ଇଞ୍ଜିନିୟରମାନେ ଯୋଗଦେବା ସହିତ ଅଲ୍ ଇଣ୍ଡିଆ ଫେଡେରେସନ୍ ଅଫ୍ ଡିପ୍ଲୋମା ଇଞ୍ଜିନିୟର୍ସର ସଭାପତି ମଧ୍ୟ ଯୋଗଦେବେ ବୋଲି ସେ ସୂଚନା ଦେଇଥିଲେ। ସଂଘର ନ୍ୟାୟୋଚିତ ଦାବିଗୁଡ଼ିକୁ ସରକାରଙ୍କ ନିକଟରେ ଦୃଢ଼ ଭାବରେ ଉପସ୍ଥାପନ କରିବା ପାଇଁ ସମସ୍ତ ଡିପ୍ଲୋମା ଇଞ୍ଜିନିୟରଙ୍କ ଏକତା, ସହଯୋଗ ଓ ସକ୍ରିୟ ଅଂଶଗ୍ରହଣ ଅତ୍ୟନ୍ତ ଆବଶ୍ୟକ ବୋଲି ସେ ଆହ୍ୱାନ ଦେଇଥିଲେ।

ନୂତନ କର୍ମକର୍ତ୍ତା ନିର୍ବାଚିତ

ସଭାରେ ଅନୁଷ୍ଠିତ ନିର୍ବାଚନରେ ପୁନର୍ବାର ଇଂ. ପ୍ରଶାନ୍ତ କୁମାର ବେହେରା (ସାଇ) ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ଅନ୍ୟାନ୍ୟ ପଦବୀ ପାଇଁ ନିମ୍ନଲିଖିତ କର୍ମକର୍ତ୍ତାମାନେ ନିର୍ବାଚିତ ହୋଇଥିଲେ।

  • ସଭାପତି – ଇଂ. ପ୍ରଶାନ୍ତ କୁମାର ବେହେରା (ସାଇ)
  • ସମ୍ପାଦକ – ଇଂ. ସୁଦୀପ୍ତା ସାହୁ
  • ଉପଦେଷ୍ଟା – ଇଂ. କାର୍ତ୍ତିକ ନାୟକ
  • ଅତିରିକ୍ତ ମଣ୍ଡଳ ସମ୍ପାଦକ – ଇଂ. ମଳୟ ମିସ୍ତ୍ରୀ
  • ଉପସଭାପତି – ଇଂ. ପିଥା ସୋରେନ
  • ନିରୀକ୍ଷକ – ଇଂ. ଚୈତନ୍ୟ ସାଗର
  • କୋଷାଧ୍ୟକ୍ଷ – ଇଂ. ଦୀନବନ୍ଧୁ ସାମନ୍ତ
  • ଅତିରିକ୍ତ ସଂଗଠନ ସମ୍ପାଦକ – ଇଂ. ନୁନାରାମ ବାସ୍କେ

ଏହି ସଭାରେ ଜିଲ୍ଲାର ଗ୍ରାମ୍ୟ ଉନ୍ନୟନ ବିଭାଗ, ପୂର୍ତ୍ତ ବିଭାଗ, ପଞ୍ଚାୟତିରାଜ ବିଭାଗ, ଜଳଯୋଗାଣ ବିଭାଗ, ଜଳସେଚନ ବିଭାଗ ଓ ITDA ସମେତ ବିଭିନ୍ନ ବିଭାଗର ବହୁ ଡିପ୍ଲୋମା ଇଞ୍ଜିନିୟର ଯୋଗଦେଇଥିଲେ।

ଶେଷରେ ଇଂ. ମଳୟ ମିସ୍ତ୍ରୀ ଧନ୍ୟବାଦ ଅର୍ପଣ କରିବା ପରେ ସଭାର ସମାପ୍ତି ହୋଇଥିଲା।

Leave A Reply

Your email address will not be published.