- ନବରଙ୍ଗପୁର ଜିଲ୍ଲାରେ ୨୨୮ଜଣ ସେବକ, ସେବିକା ଓ ଜନଜାତି ଭାଷା ଶିକ୍ଷକଙ୍କୁ ନିଯୁକ୍ତିପତ୍ର ପ୍ରଦାନ
- ଶିକ୍ଷାର ଗୁଣାତ୍ମକ ବିକାଶ ଓ ଜନଜାତି ଅଞ୍ଚଳରେ ଶିକ୍ଷାର ପ୍ରସାର ଦିଗରେ ନିଷ୍ଠାର ସହ କାର୍ଯ୍ୟ କରନ୍ତୁ: ସାଂସଦ
ନବରଙ୍ଗପୁର, ୦୧.୧୧.୨୦୨୬:: ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ନିର୍ଦ୍ଦେଶକ୍ରମେ ଆଜି ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଆୟୋଜିତ ହୋଇଥିଲା। ଏହି ଅବସରରେ ଜିଲ୍ଲାର ନବନିଯୁକ୍ତ ସେବକ, ସେବିକା ଓ ଜନଜାତି ଭାଷା ଶିକ୍ଷକମାନଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ମାନ୍ୟବର ସାଂସଦ ଶ୍ରୀ ବଳଭଦ୍ର ମାଝୀ, ମାନ୍ୟବର ନବରଙ୍ଗପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଶ୍ରୀ ଗୌରୀଶଙ୍କର ମାଝୀ, ଜିଲ୍ଲାପାଳ ଶ୍ରୀମତୀ ମଧୁମିତା, ପ୍ରକଳ୍ପ ପ୍ରଶାସକ ଶ୍ରୀ ରାଜୀବ କୁମାର ସାହୁ, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ପାଲକା ରବୀନ୍ଦ୍ର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ଖୋସଲା ଏବଂ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ତଥା ଡିଆଇ ସୁଶ୍ରୀ ନିବେଦିତା ବିଶ୍ୱାଳ ଉପସ୍ଥିତ ଥିଲେ।
ଏହି ଅବସରରେ ମାନ୍ୟବର ସାଂସଦ ଓ ବିଧାୟକଙ୍କ ସମେତ ଉପସ୍ଥିତ ଅତିଥିମାନେ ନବନିଯୁକ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ନିଷ୍ଠା, ଦାୟିତ୍ୱବୋଧ ଓ ସମର୍ପଣ ଭାବନା ସହିତ ଶିକ୍ଷାଦାନ କରିବାକୁ ଉତ୍ସାହିତ କରିଥିଲେ। ବିଶେଷକରି ନବରଙ୍ଗପୁର ଜିଲ୍ଲାର ଶିକ୍ଷାର ଗୁଣାତ୍ମକ ବିକାଶ ଏବଂ ଜନଜାତି ଅଧ୍ୟୁଷିତ ଅଞ୍ଚଳରେ ଶିକ୍ଷାର ପ୍ରସାର ଦିଗରେ ନିଷ୍ଠାର ସହ କାର୍ଯ୍ୟ କରିବାକୁ ମାନ୍ୟବର ସାଂସଦ ଆହ୍ୱାନ ଦେଇଥିଲେ।
ସୂଚନାଯୋଗ୍ୟ ଯେ, ରାଜ୍ୟର ସମସ୍ତ ଜିଲ୍ଲା ପାଇଁ ସରକାର ମୋଟ ୨,୦୬୭ ଜଣ ନବନିଯୁକ୍ତ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଥିବାବେଳେ ନବରଙ୍ଗପୁର ଜିଲ୍ଲାରେ ସର୍ବାଧିକ ୨୨୮ ଜଣ ସେବକ ଓ ସେବିକା ନିଯୁକ୍ତି ପାଇଛନ୍ତି। ସେମାନଙ୍କ ମଧ୍ୟରୁ ୮୦ ଜଣ ରାଜ୍ୟସ୍ତରୀୟ ନିଯୁକ୍ତି ମେଳାରେ ନିଯୁକ୍ତିପତ୍ର ଗ୍ରହଣ କରିଥିବାବେଳେ ଅବଶିଷ୍ଟ ୧୪୮ ଜଣ ଆଜି ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳାରେ ଯୋଗଦେଇ ନିଯୁକ୍ତିପତ୍ର ଗ୍ରହଣ କରିଥିଲେ। ଜିଲ୍ଲାର ମୋଟ ୨୨୮ ଜଣ ନବନିଯୁକ୍ତଙ୍କ ମଧ୍ୟରୁ ୮୦ ଜଣ ମହିଳା ଅଟନ୍ତି।
ଏହି ନିଯୁକ୍ତି ମେଳା ନବରଙ୍ଗପୁର ଜିଲ୍ଲାର ଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ସହ ଗ୍ରାମାଞ୍ଚଳ ଓ ଜନଜାତି ଅଧ୍ୟୁଷିତ ଅଞ୍ଚଳରେ ଶିକ୍ଷାର ଗୁଣବତ୍ତା ବୃଦ୍ଧି ଏବଂ ଶିକ୍ଷାର ପ୍ରସାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଆଶା ପ୍ରକାଶ କରାଯାଇଛି।