ଓପିଜିସିର ସ୍ୱାସ୍ଥ୍ୟ ଶିବିରରେ ୧୨ଟି ଗ୍ରାମର ୨୪୯ ଜଣ ରୋଗୀ ଉପକୃତ

13

ଝାରସୁଗୁଡ଼ା: ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଉଦ୍ଦେଶ୍ୟରେ ଓଡ଼ିଶା ପାୱାର ଜେନେରେସନ କର୍ପୋରେସନ ଲିମିଟେଡ୍ (ଓପିଜିସି) ପକ୍ଷରୁ ଶୁକ୍ରବାର ଦିନ ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକ ଅନ୍ତର୍ଗତ ତିଲିଆ ଗ୍ରାମ ପଞ୍ଚାୟତଠାରେ ଏକ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ କରାଯାଇଥିଲା । ତିଲିଆ ଗ୍ରାମ ପଞ୍ଚାୟତର ସରପଞ୍ଚ ପୁଷ୍ପାଞ୍ଜଳି ପ୍ରଧାନ ଏହି ଶିବିରର ଉଦ୍‌ଘାଟନ କରିଥିଲେ। ଏହି ଶିବିରରେ ୧୨ଟି ଗ୍ରାମର ମୋଟ ୨୪୯ ଜଣ ରୋଗୀ ଚିକିତ୍ସା ପରାମର୍ଶ ଓ ସ୍ୱାସ୍ଥ୍ୟସେବାର ସୁଯୋଗ ନେଇଥିଲେ ।

ଏହି ଶିବିରରେ ଇବଥର୍ମାଲ ହସ୍ପିଟାଲର ନିଜସ୍ୱ ଡାକ୍ତର ଯଥା ଓପିଜିସିର ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସଙ୍ଗୀତା ପଣ୍ଡା, ଡାକ୍ତର ମାନସ ରଞ୍ଜନ ପାଣିଗ୍ରାହୀ ଏବଂ ଡାକ୍ତର ସୁରଞ୍ଜୀବ ବେହେରା ଯୋଗଦେଇଥିଲେ । ଏଥିସହ ଓପିଜିସି ପକ୍ଷରୁ ଦୁଇଜଣ ବିଶେଷଜ୍ଞ ଡାକ୍ତର ଡ଼ାଃ ବଳରାମ ଖମାରୀ (ମେଡିସିନ୍ ବିଶେଷଜ୍ଞ) ଏବଂ ଡ଼ାଃ ବି.ଏନ୍. କଶ୍ୟପ (ଶିଶୁ ରୋଗ ବିଶେଷଜ୍ଞ)ଙ୍କୁ ମଧ୍ୟ ଏହି ଶିବିର ପାଇଁ ଆମନ୍ତ୍ରଣ କରାଯାଇଥିଲା । ଡାକ୍ତରମାନେ ରୋଗୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ବିଭିନ୍ନ ରୋଗ ପାଇଁ ଚିକିତ୍ସା ପରାମର୍ଶ ଓ ଔଷଧ ପ୍ରଦାନ କରିଥିଲେ ।

ତିଲିଆ, ନୂଆପଡ଼ା, ଥୁରୋପାଲି, ଫଟାପାଲି, ଚରମାଲ, ସିଙ୍ଗେଇପାଲି, ବଡ଼ସୁରୁଆ, କୋଲଟିକିରା, ଭଗବାନପାଲି, ପୁଡ଼ିପାଲି, ତେତେଲକୁଦୂଲି ଏବଂ ଝାରମୁଣ୍ଡା ଗ୍ରାମର ଲୋକମାନେ ଏହି ଶିବିରରୁ ଉପକୃତ ହୋଇଥିଲେ । ଶିବିରରେ ଉଚ୍ଚ ରକ୍ତଚାପ, ମଧୁମେହ, ସାଧାରଣ ଦୁର୍ବଳତା, ଅଣ୍ଟା ବ୍ୟଥା, ଚର୍ମ ରୋଗ, ପେଟଜନିତ ରୋଗ, ଦାନ୍ତ କ୍ଷୟ ଓ ଦାନ୍ତ ବ୍ୟଥା, କାଶ, ଆଣ୍ଠୁ ଯନ୍ତ୍ରଣା, ଶରୀର ପୀଡ଼ା, ଜ୍ୱର, ଶ୍ୱାସନଳୀ ସଂକ୍ରମଣ, ପେଟ ଯନ୍ତ୍ରଣା ଏବଂ ମୁଣ୍ଡବ୍ୟଥା ଆଦି ରୋଗରେ ପୀଡ଼ିତ ରୋଗୀମାନେ ଚିକିତ୍ସା ପରାମର୍ଶ ନେଇଥିଲେ । ଏହା ବ୍ୟତୀତ ଶିବିରରେ ୪୦ଟି ରକ୍ତ ଶର୍କରା (ଆରବିଏସ୍) ପରୀକ୍ଷା ଏବଂ ୨୮ଟି ହିମୋଗ୍ଲୋବିନ୍ (ଏଚ୍‌ବି) ପରୀକ୍ଷା କରାଯାଇଥିଲା ।

ଇବଥର୍ମାଲ ହସ୍ପିଟାଲ ଏବଂ ଓପିଜିସିର ସିଏସ୍‌ଆର୍ ବିଭାଗର ମିଳିତ ସହଯୋଗରେ ଏହି ଶିବିର ପରିଚାଳିତ ହୋଇଥିଲା। ଏଥିରେ ଇବଥର୍ମାଲ ହସ୍ପିଟାଲର କର୍ମଚାରୀ ସୁଜାତା ନାୟକ, ସଞ୍ଜୁକ୍ତା ମହାନନ୍ଦ, ସବିତା ନାୟକ, ପ୍ରଭାତ କୁମାର ବାରିକ, ସୁମିତ କୁମାର ଶତପଥୀ, ଦିଲୀପ ଦୀପ, ଅଭିମନ୍ୟୁ ଭୋଇ, ପ୍ରବୀଣ କୁମାର ପାଢ଼ୀ ଏବଂ କର୍ଣ୍ଣ ବାଗ ସହଯୋଗ କରିଥିଲେ।

Leave A Reply

Your email address will not be published.