କେନ୍ଦ୍ରାପଡା:30,10(ପ୍ରଫୁଲ୍ଲ କୁମାର ମଲ୍ଲ) କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। କୁଦାନଗରୀ ଥାନା ଅନ୍ତର୍ଗତ ମାହାରାକୁଳ ନିକଟ ଲୁଣା ନଦୀ ବନ୍ଧରୁ ଜଣେ ଅଜଣା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର ହୋଇଛି। ମହିଳାଙ୍କ ବୟସ ପ୍ରାୟ ୪୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।ସୂଚନା ଅନୁଯାୟୀ, ମାହାରାକୁଳ ନିକଟ ଲୁଣା ନଦୀ ବନ୍ଧରେ ମହିଳାଙ୍କ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ କୁଦାନଗରୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ମୃତଦେହର ମୁଣ୍ଡ ନଥିବାରୁ ଏହା ଏକ ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ସନ୍ଦେହ ପ୍ରକାଶ ପାଇଛି। ଏଥିସହ ଘଟଣାସ୍ଥଳରେ ରକ୍ତ ଚିହ୍ନ ମିଳିଥିବାରୁ ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଚଳାଇଛି। ଅନ୍ୟପକ୍ଷରେ ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ନମୁନା ସଂଗ୍ରହ କରିଛି। ମୃତ ମହିଳାଙ୍କ ପରିଚୟ ଏଯାଏଁ ଜଣାପଡ଼ିନାହିଁ। ମହିଳାଙ୍କ ପରିଚୟ ଚିହ୍ନଟ କରିବା ସହ ଘଟଣା ପଛର ପ୍ରକୃତ କାରଣ ଖୋଜିବା ପୋଲିସ ପାଇଁ ଏବେ ବଡ଼ ଚ୍ୟାଲେଞ୍ଜ ପାଲଟିଛି।ତେବେ ମହିଳା ଜଣକ କିଏ? ତାଙ୍କର ମୃତ୍ୟୁ କେଉଁଠାରେ ଓ କେଉଁ ପରିସ୍ଥିତିରେ ଘଟିଛି? ମୃତଦେହକୁ ନଦୀବନ୍ଧ ନିକଟରେ କିଏ ଫିଙ୍ଗିଛି? ଏଭଳି ଅନେକ ପ୍ରଶ୍ନ ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ପୋଲିସର ତଦନ୍ତ ଓ ଫରେନସିକ୍ ରିପୋର୍ଟ ପରେ ହିଁ ଘଟଣାର ପ୍ରକୃତ ତଥ୍ୟ ସାମ୍ନାକୁ ଆସିପାରିବ।