ଓଡ଼ଗାଁ, ୧୮।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅଞ୍ଚଳର ନନ୍ଦିଘୋର ବରମୁଣ୍ଡା ଛକ ନିକଟରେ ଏକ ବାଇକ୍ ଧକ୍କାରେ ଜଣେ ୬୦ ବର୍ଷୀୟ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି। ଆହତ ବୃଦ୍ଧ ଜଣକ ଶରଣକୁଳ ଥାନା ଅନ୍ତର୍ଗତ ଅସୁରଠିପା ନିକଟସ୍ଥ ମୁଗୁପାଟଣା ଗ୍ରାମର ଜଗନ୍ନାଥ ପ୍ରଧାନ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ଜଗନ୍ନାଥ ଏକ ପଣ୍ଡା(ପୋଢୁଅ) ହଳ କିଣି ମୁଗୁପାଟଣା ଗାଁକୁ ଫେରୁଥିବା ସମୟରେ ନନ୍ଦିଘୋର ବରମୁଣ୍ଡା ଛକ ନିକଟରେ ଜଣେ ବାଇକ୍ ଆରୋହୀ ତାଙ୍କୁ ପଛପଟୁ ହଠାତ୍ ଧକ୍କା ଦେଇଥିଲେ। ଫଳରେ ସେ ରାସ୍ତାରେ ବେହୋସ୍ ଅବସ୍ଥାରେ ପଡ଼ି ରହିଥିଲେ। ଖବର ପାଇ ଓଡ଼ଗାଁ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଭାବେ ଆହତ ଜଗନ୍ନାଥଙ୍କୁ ଉଦ୍ଧାର କରି ଓଡ଼ଗାଁ ଡାକ୍ତରଖାନାକୁ ଆଣିଥିଲେ। ତାଙ୍କ ମୁଣ୍ଡର ପଛପାଖରେ ଗଭୀର କ୍ଷତ ହୋଇଥିବାରୁ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।