ଡ୍ୟୁଜ୍ ବଲ୍ରେ ଖେଳାଯିବ ମ୍ୟାଚ୍, ୟୁଟ୍ୟୁବ୍ରେ ହେବ ସିଧା ପ୍ରସାରଣ,
ଓଡ଼ଗାଁ, ୧୮।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁଠାରେ ରଘୁନାଥ ଆଥଲେଟିକ୍ ଆସୋସିଏସନ୍ ପକ୍ଷରୁ ଦ୍ୱିତୀୟ ଡେଭିଡ୍ ମେମୋରିଆଲ ସର୍ବଭାରତୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ-୨୦୨୬ ଆୟୋଜିତ ହେବ। ଅକ୍ଟୋବର ୧୯ରୁ ୨୫ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ପ୍ରତିଯୋଗିତାରେ ବିଭିନ୍ନ ଜିଲ୍ଲା ଓ ଅଞ୍ଚଳର କ୍ରିକେଟ୍ ଦଳ ଅଂଶଗ୍ରହଣ କରିବେ। ମ୍ୟାଚ୍ ଡ୍ୟୁଜ୍ ବଲ୍ରେ ଖେଳାଯିବା ସହ ଦର୍ଶକମାନେ ୟୁଟ୍ୟୁବ୍ ଲାଇଭ୍ ମାଧ୍ୟମରେ ମ୍ୟାଚ୍ଗୁଡ଼ିକର ସିଧା ପ୍ରସାରଣ ଦେଖିପାରିବେ। ଆୟୋଜକଙ୍କ ପକ୍ଷରୁ ପ୍ରକାଶିତ ଖେଳସୂଚୀ ଅନୁଯାୟୀ, ଅକ୍ଟୋବର ୧୯ ତାରିଖ ସକାଳ ୧୦ଟା ୩୦ରେ ଗ୍ରୁପ୍-ଏ’ର ପ୍ରଥମ ଲିଗ୍ ମ୍ୟାଚ୍ରେ ଖୋର୍ଦ୍ଧା ଜିଲ୍ଲାର ସୁନ୍ଦରପଡ଼ା ଓ କନ୍ଧମାଳର କେ.କେ.-୧୧ ମୁହାଁମୁହିଁ ହେବେ। ମଧ୍ୟାହ୍ନ ୧୨ଟା ୩୦ରେ ଦ୍ୱିତୀୟ ଲିଗ୍ ମ୍ୟାଚ୍ରେ ଖୋର୍ଦ୍ଧା ଜିଲ୍ଲାର ଜଟଣୀ ଓ ଭୁବନେଶ୍ୱରର ବରମୁଣ୍ଡା ଦଳ ମଧ୍ୟରେ ଲଢ଼େଇ ହେବ। ଅପରାହ୍ନ ୩ଟାରେ ପ୍ରଥମ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଅକ୍ଟୋବର ୨୦ରେ ଗ୍ରୁପ୍-ବି’ର ତୃତୀୟ ଲିଗ୍ ମ୍ୟାଚ୍ରେ ଭୁବନେଶ୍ୱରର ସହିଦନଗର ଓ କଳାହାଣ୍ଡିର ଭବାନୀପାଟଣା ଦଳ ପରସ୍ପରକୁ ଭେଟିବେ। ମଧ୍ୟାହ୍ନ ୧୨ଟା ୩୦ରେ ନୟାଗଡ଼ର ଜ୍ୟୋତି-୧୧ ଓ ଗଞ୍ଜାମର ପାଢ଼ୀ-୧୧ ମଧ୍ୟରେ ଚତୁର୍ଥ ଲିଗ୍ ମ୍ୟାଚ୍ ହେବ। ଅପରାହ୍ନ ୩ଟାରେ ଦ୍ୱିତୀୟ କ୍ୱାର୍ଟର ଫାଇନାଲ୍ ଅନୁଷ୍ଠିତ ହେବ। ସେହିପରି ଅକ୍ଟୋବର ୨୧ ତାରିଖ ସକାଳ ୧୦ଟା ୩୦ରେ ଗ୍ରୁପ୍-ସି’ର ପଞ୍ଚମ ଲିଗ୍ ମ୍ୟାଚ୍ରେ କନ୍ଧମାଳ ଏକାଦଶ ଓ କେନ୍ଦୁଝର ଏକାଦଶ ଏବଂ ମଧ୍ୟାହ୍ନ ୧୨ଟା ୩୦ରେ ଷଷ୍ଠ ଲିଗ୍ ମ୍ୟାଚ୍ରେ ଭୁବନେଶ୍ୱରର ଜେଏମ୍ଡି ଓ ପୁରୀ ଏକାଦଶ ମଧ୍ୟରେ ମୁକାବିଲା ହେବ। ଅପରାହ୍ନ ୩ଟାରେ ତୃତୀୟ କ୍ୱାର୍ଟର ଫାଇନାଲ୍ ଖେଳାଯିବ। ଅକ୍ଟୋବର ୨୪ରେ ଗ୍ରୁପ୍-ଡି’ର ସପ୍ତମ ଲିଗ୍ ମ୍ୟାଚ୍ ସକାଳ ୧୦ଟା ୩୦ରେ କୋଲକାତା ଏକାଦଶ ଓ ସମ୍ବଲପୁରର ଏମ୍ଏମ୍ସିସି ମଧ୍ୟରେ ହେବ। ମଧ୍ୟାହ୍ନ ୧୨ଟା ୩୦ରେ ଅଷ୍ଟମ ଲିଗ୍ ମ୍ୟାଚ୍ରେ ଭୁବନେଶ୍ୱରର ସମରସେଟ୍ ଓ ଓଡ଼ଗାଁ ଏକାଦଶ ପରସ୍ପରକୁ ଭେଟିବେ। ଅପରାହ୍ନ ୩ଟାରେ ଚତୁର୍ଥ କ୍ୱାର୍ଟର ଫାଇନାଲ୍ ଅନୁଷ୍ଠିତ ହେବ। ପ୍ରତିଯୋଗିତାର ସେମିଫାଇନାଲ୍ ଓ ଫାଇନାଲ୍ ମ୍ୟାଚ୍କୁ ନେଇ ମଧ୍ୟ ଆକର୍ଷଣ ରହିଛି। ଅକ୍ଟୋବର ୨୨ ତାରିଖ ମଧ୍ୟାହ୍ନ ୧୨ଟାରେ ପ୍ରଥମ ଓ ତୃତୀୟ କ୍ୱାର୍ଟର ଫାଇନାଲ୍ର ବିଜେତାଙ୍କ ମଧ୍ୟରେ ପ୍ରଥମ ସେମିଫାଇନାଲ୍ ଖେଳାଯିବ। ଅକ୍ଟୋବର ୨୫ ତାରିଖ ସକାଳ ୧୦ଟା ୩୦ରେ ଦ୍ୱିତୀୟ ଓ ଚତୁର୍ଥ କ୍ୱାର୍ଟର ଫାଇନାଲ୍ର ବିଜେତାଙ୍କ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ୍ ଅନୁଷ୍ଠିତ ହେବ। ସେହିଦିନ ଅପରାହ୍ନ ୧ଟାରେ ଦୁଇ ସେମିଫାଇନାଲ୍ର ବିଜେତା ଦଳ ଟାଇଟଲ୍ ପାଇଁ ଗ୍ରାଣ୍ଡ ଫାଇନାଲ୍ରେ ମୁହାଁମୁହିଁ ହେବେ। ଏହି ଟୁର୍ଣ୍ଣାମେଣ୍ଟ ଅବସରରେ ଅକ୍ଟୋବର ୨୩ ତାରିଖ ପୂର୍ବାହ୍ନ ୧୧ଟାରେ ଗଞ୍ଜାମ ଓ ପୁରୀ ଜିଲ୍ଲାର ମହିଳା କ୍ରିକେଟ୍ ଖେଳାଳିଙ୍କ ମଧ୍ୟରେ ଏକ ଟି-୨୦ ମ୍ୟାଚ୍ ମଧ୍ୟ ଆୟୋଜିତ ହେବ। ଏହା ମହିଳା କ୍ରିକେଟ୍କୁ ପ୍ରୋତ୍ସାହନ ଦେବା ସହ ଦର୍ଶକଙ୍କ ପାଇଁ ଅନ୍ୟତମ ଆକର୍ଷଣ ହେବ ବୋଲି ଆଶା କରାଯାଉଛି।
ଟୁର୍ଣ୍ଣାମେଣ୍ଟ ସମ୍ପର୍କରେ ଆୟୋଜକ ରଘୁନାଥ ଆଥଲେଟିକ୍ ଆସୋସିଏସନ୍ର ସମ୍ପାଦକ ଦିବାକର ନାୟକ ସୂଚନା ଦେଇଛନ୍ତି।