ସାମ୍ବିଧାନିକ ବିଧିବ୍ୟବସ୍ଥାର ସୁରକ୍ଷା ପାଇଁ କାର୍ଯ୍ୟ କରିବାକୁ ଆହ୍ବାନ
‘ରାଜ୍ୟ ରାଜକୋଷର ଉପଯୁକ୍ତ ବିନିଯୋଗ ରାଜ୍ୟପାଳଙ୍କ ଧ୍ୟେୟ ହେଉ’
ଓଡ଼ିଶାର ନୂତନ ରାଜ୍ୟପାଳ ବ୍ରଜମୋହନ ରାମଙ୍କୁ ପିସିସି ସଭାପତି ସ୍ବାଗତ କରିବା ସହ ଅଭିନନ୍ଦନ ଜଣାଇଛନ୍ତି। ରବିବାର ଶ୍ରୀ ରାମ ଓଡ଼ିଶାର ୨୮ତମ ରାଜ୍ୟପାଳ ଭାବେ ଶପଥ ନେବା ପ୍ରସଙ୍ଗରେ ଗଣମାଧ୍ୟମକୁ ଶ୍ରୀ ଦାସ କହିଛନ୍ତି, ଆମେ ଓଡ଼ିଶା ମାଟିକୁ ଶ୍ରୀ ରାମଙ୍କୁ ସ୍ବାଗତ କରୁଛୁ। ଆଶା କରୁଛୁ, ଶ୍ରୀ ରାମ ଦଳମତ ଊର୍ଦ୍ଧ୍ବରେ ରହି ନିଜର ଦାୟିତ୍ବ ନିର୍ବାହ କରିବେ ଓ ରାଜ୍ୟର ସାମ୍ବିଧାନିକ ବିଧିବ୍ୟବସ୍ଥାର ସୁରକ୍ଷା ଦିଗରେ ବ୍ରତୀ ହେବେ। ରାଜ୍ୟପାଳ ମନୋନୀତ ହେବା ପରେ ନିଜର ପ୍ରାରମ୍ଭିକ ପ୍ରତିକ୍ରିୟାରେ ସେ ‘ବିଜେପିର ଭୋଟ୍ ବୃଦ୍ଧି ଓ ରାଜ୍ୟ ଦଳିତ ମୋର୍ଚ୍ଚାର ସାଂଗଠନିକ ଶକ୍ତିବୃଦ୍ଧି ପାଇଁ କାମ କରିବେ’ ବୋଲି ଦେଇଥିବା ମନ୍ତବ୍ୟ ବିଷୟରେ ଶ୍ରୀ ଦାସ କହିଲେ, ଆମେ ଆଶା କରୁଛୁ, ସେହି ବିଚାରକୁ ସେ ଝାଡ଼ଖଣ୍ଡରେ ହିଁ ଛାଡ଼ିଦେଇ ଆସିଥିବେ।
ନୂଆ ରାଜ୍ୟପାଳ ନିଜ ସାଙ୍ଗରେ ଆଣିଥିବା ପ୍ରାୟ ୩୦୦ ଅତିଥି ଅଭ୍ୟାଗତଙ୍କ ବାବଦରେ ରାଜ୍ୟ ରାଜକୋଷରୁ ଅପଚୟ ପ୍ରସଙ୍ଗରେ ପ୍ରଶ୍ନ ହେବାରୁ ଶ୍ରୀ ଦାସ କହିଥିଲେ, ମୂଳରୁ ଏ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ସେ ଇତିମଧ୍ୟରେ ସଚେତନ ଓ ସତର୍କ ହୋଇସାରିଥିବେ ବୋଲି ଆାଶା। ଆଗକୁ କିପରି ମିତବ୍ୟୟିତାକୁ ଧ୍ୟାନରେ ରଖି ରାଜ୍ୟ ରାଜକୋଷକୁ ଜନାଭିମୁଖୀ ଓ କଲ୍ୟାଣକର କାର୍ଯ୍ୟକ୍ରମ ପାଇଁ ସରକାର ସଦୁପଯୋଗ କରିବେ ସେ ଦିଗରେ ମଧ୍ୟ ରାଜ୍ୟପାଳ ମହୋଦୟ କାର୍ଯ୍ୟ କରିବାକୁ ଶ୍ରୀ ଦାସ ପରାମର୍ଶ ଦେଇଥିଲେ।