ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାର ବିଭିନ୍ନ ପୂଜାପୀଠରେ ମା’ ଦୁର୍ଗାଙ୍କ ଦର୍ଶନ କଲେ ସାଂସଦ

47

ମା’ ଦୁର୍ଗା ହେଉଛନ୍ତି ଶକ୍ତି, ଭକ୍ତି ଓ ବିଶ୍ୱାସର ପ୍ରତୀକ – ଧର୍ମେନ୍ଦ୍ର ପ୍ରଧାନ

• ମହାଷ୍ଟମୀ ଅବସରରେ ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା କରିବା ସହ ଜଗତର କଲ୍ୟାଣ କାମନା କଲେ
• ମା’ଙ୍କ କୃପାରୁ ହିଁ ମାନବ ସମାଜରେ ଉଦାରତା ଓ ସଦ୍ଭାବ ପ୍ରତିଷ୍ଠିତ ହୋଇଥାଏ

ଅନୁଗୋଳ/ଢେଙ୍କାନାଳ, ୧୮ ଅକ୍ଟୋବର ୨୦୨୬ – ପବିତ୍ର ମହାଷ୍ଟମୀ ତଥା ଦୁର୍ଗାପୂଜାର ମଙ୍ଗଳମୟ ଅବସରରେ ସମ୍ବଲପୁର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଢେଙ୍କାନାଳ ଏବଂ ଅନୁଗୋଳ ଜିଲ୍ଲାର ବିଭିନ୍ନ ପୂଜାପୀଠ ଓ ପୂଜା ମଣ୍ଡପ ପରିଦର୍ଶନ କରି ଜଗଜ୍ଜନନୀ ମା’ ଦୁର୍ଗାଙ୍କ ଦିବ୍ୟ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିଛନ୍ତି ।

ଶ୍ରୀ ପ୍ରଧାନ ଆଜି ପ୍ରଥମେ ଢେଙ୍କାନାଳ ଜିଲ୍ଲା ଆମ୍ବିଠି ସ୍ଥିତ ପ୍ରସିଦ୍ଧ ମା’ ବନଦୁର୍ଗା ମନ୍ଦିରରେ ଉପସ୍ଥିତ ହୋଇ ଭକ୍ତିମୟ ପରିବେଶ ମଧ୍ୟରେ ମା’ଙ୍କ ପୂଜାର୍ଚ୍ଚନା କରିବାର ସୌଭାଗ୍ୟ ଲାଭ କରିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ମତପ୍ରକାଶ କରି କହିଛନ୍ତି ଯେ, “ଜଗଜ୍ଜନନୀ ମା’ ଦୁର୍ଗା ହେଉଛନ୍ତି ଅଧର୍ମ ଓ ନକରାତ୍ମକତା ଉପରେ ସତ୍ୟ ଓ ଧର୍ମର ବିଜୟର ପ୍ରତୀକ। ମା’ ସମସ୍ତ ଶକ୍ତି, କରୁଣା, ଆସ୍ଥା ଓ ବିଶ୍ୱାସର ନିରନ୍ତର ସ୍ରୋତ । ମା’ଙ୍କ କୃପାରୁ ହିଁ ମାନବ ସମାଜରେ ଉଦାରତା ଓ ସଦ୍ଭାବ ପ୍ରତିଷ୍ଠିତ ହୋଇଥାଏ।”

ଶ୍ରୀ ପ୍ରଧାନ ଅନୁଗୋଳ ଜିଲ୍ଲାର ଜରପଡ଼ା ସ୍ଥିତ ବାର୍ଷିକ ଦୁର୍ଗାପୂଜା ଉତ୍ସବ, ବଇଣ୍ଡା ସ୍ଥିତ ମଣ୍ଡପ, ଆଠମଲ୍ଲିକର ଡେବରାପାଲି ଏବଂ ବାମୁର ସ୍ଥିତ ବିଭିନ୍ନ ପୂଜାମଣ୍ଡପରେ ଦର୍ଶନ କରିଥିଲେ । ମା’ଙ୍କ ଅହେତୁକ କୃପା ସମାଜରେ ଶାନ୍ତି, ସମରସତା ଏବଂ ଆଧ୍ୟାତ୍ମିକତାର ଏକ ନୂତନ ଚେତନା ଓ ସକରାତ୍ମକ ପରିବେଶ ସୃଷ୍ଟି କରିଛି ବୋଲି ସେ ପ୍ରକାଶ କରିଛନ୍ତି । ଶ୍ରୀ ପ୍ରଧାନ ମା’ଙ୍କ ପାଖରେ ଜଗତର କଲ୍ୟାଣ କାମନା କରିଛନ୍ତି ।

Leave A Reply

Your email address will not be published.