ସର୍ବ ପୁରାତନ ମଣ୍ଡପ ସହ ପୀଠ ହୋଇଛି ଉତ୍ସବମୁଖର,
ଓଡ଼ଗାଁ, ୧୮।୧୦ (ଶ୍ରୀକାନ୍ତ କୁମାର ମିଶ୍ର): ଶାରଦୀୟ ଦୁର୍ଗୋତ୍ସବ ଅବସରରେ ନୟାଗଡ଼ ଜିଲ୍ଲାର ଓଡ଼ଗାଁ ଏନ୍ଏସି ଓ ବ୍ଲକ ଅଞ୍ଚଳ ଉତ୍ସବମୁଖର ହୋଇଉଠିଛି। ବିଭିନ୍ନ ପୂଜାମଣ୍ଡପ ରଙ୍ଗବେରଙ୍ଗ ଆଲୋକମାଳାରେ ସୁସଜ୍ଜିତ ହୋଇଥିବା ବେଳେ ମା’ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି। ଦୀର୍ଘ ସାତ ଦଶନ୍ଧିରୁ ଊର୍ଦ୍ଧ୍ୱ ଅର୍ଥାତ୍ ୭୮ ବର୍ଷ ଧରି ଓଡ଼ଗାଁ ଏନ୍ଏସିର ବ୍ଲକ ଓ ଗ୍ୟାରେଜ ଅଞ୍ଚଳରେ ସାର୍ବଜନୀନ ଦୁର୍ଗାପୂଜା ଆୟୋଜିତ ହୋଇଆସୁଛି। ସାର୍ବଜନୀନ ଦୁର୍ଗାପୂଜା କମିଟିର ସଭାପତି ଦାମୋଦର ଖିଲାର ଓ ସମ୍ପାଦକ ଉମା ପଟ୍ଟନାୟକଙ୍କ ପରିଚାଳନାରେ ଗର୍ଭଣା ସଂକ୍ରାନ୍ତି ଶନିବାର ସପ୍ତମୀ ତିଥିଠାରୁ ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା ଧୁମଧାମରେ ଆରମ୍ଭ ହୋଇଛି। ଆଦ୍ୟାଶକ୍ତି ମା’ ଦୁର୍ଗାଙ୍କ ଆବାହନ ଓ ଆରାଧନା ପାଇଁ ପୂଜାମଣ୍ଡପରେ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି। ପୁରୋହିତଙ୍କ ମନ୍ତ୍ରୋଚ୍ଚାରଣ, ସ୍ତବ, ସ୍ତୁତି ଓ ପ୍ରାର୍ଥନାରେ ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି।
ଏହି ଅବସରରେ ସ୍ଥାନୀୟ ଶ୍ରୀରଘୁନାଥ ଜିଉ ମନ୍ଦିର ପରିସରରେ ଥିବା ମା’ ବିମଳା, ରାମସାଗର ନିକଟସ୍ଥ ରାମଚଣ୍ଡୀ ମନ୍ଦିର, ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଥିବା ମା’ ହେମାମାଳୀ ମନ୍ଦିର, ଦଲକ ଛକସ୍ଥିତ ମା’ ଗୟଳସିଂ ମନ୍ଦିର, ଗୌଡ଼ପୁଟ ନିକଟସ୍ଥ ବୁଢ଼ାବୁଢ଼ିଆଣୀ ମନ୍ଦିର ଏବଂ ରଙ୍ଗଣୀପାଟଣାସ୍ଥିତ ବାଗଦେବୀ ମନ୍ଦିରରେ ମଧ୍ୟ ଷୋଡ଼ଶ ଉପଚାର ବିଧିରେ ମା’ଙ୍କ ପୂଜାର୍ଚ୍ଚନା ଜାକଜମକରେ ଚାଲିଛି। ସନ୍ଧ୍ୟା ହେଲେ ପୂଜାମଣ୍ଡପରେ ଶ୍ରଦ୍ଧାଳୁ ଓ ଦର୍ଶକଙ୍କ ଭିଡ଼ ଜମୁଛି। ବିଧାନସଭା ପ୍ରାର୍ଥୀ ପ୍ରତ୍ୟୁଷା ରାଜେସ୍ବରୀ ସିଂ ମା’ଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରିବା ସହିତ ଆଶିର୍ବାଦ ଭିକ୍ଷା କରୁଥିଲେ। ଏହି ଅବସରରେ ଆୟୋଜିତ ପ୍ରଥମ ଜିଲ୍ଲାସ୍ତରୀୟ ଟ୍ରାକ୍ ସଙ୍ଗ୍ ପ୍ରତିଯୋଗିତା ଶୁଣିବା ପାଇଁ ମଧ୍ୟ ଦର୍ଶକଙ୍କ ଭିଡ଼ ଜମିଥିଲା। ସୁଶାନ୍ତ କୁମାର ପାତ୍ର ଓ ଇପ୍ସିତା ପ୍ରିୟଦର୍ଶିନୀଙ୍କ ମଞ୍ଚ ପରିଚାଳନାରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଦିବାକର ନାଏକ, ଦୁର୍ଗାପୂଜା କମିଟିର ସଭାପତି ଦାମୋଦର ଖିଲାର ଉପସ୍ଥିତରେ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ।
ଭକ୍ତି, ଆଧ୍ୟାତ୍ମିକତା ଓ ସାଂସ୍କୃତିକ ଆୟୋଜନର ସମନ୍ୱୟରେ ଓଡ଼ଗାଁ ଅଞ୍ଚଳରେ ଦୁର୍ଗୋତ୍ସବରେ ମହା ଉତ୍ସାହ ଦେଖିବାକୁ ମିଳିଛି।