ଟିକିରି ପୋଲିସକୁ ବଡ଼ ସଫଳତା: ଚୋରି ବାଇକ୍ ଉଦ୍ଧାର, ଦୁଇ ଅଭିଯୁକ୍ତ ଗିରଫ

16

କାଶୀପୁର ରୁ ବୈକୁଣ୍ଠ ଦୁରିଆ – ଚୋରି ମାମଲାରେ ଟିକିରି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଏକ ବାଇକ୍ ଚୋରି ଘଟଣାର ତଦନ୍ତ କରି ପୋଲିସ ଚୋରି ହୋଇଥିବା ବାଇକ୍‌କୁ ଉଦ୍ଧାର କରିବା ସହ ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ କରିଛି। ଟିକିରି ଥାନା ଆଇଆଇସି ପ୍ରଶାନ୍ତ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ପୋଲିସ ଏହି ସଫଳତା ହାସଲ କରିଛି।

ଗିରଫ ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ କୋରାପୁଟ ଜିଲ୍ଲାର କାକିରିଗୁମା ଥାନା ଅନ୍ତର୍ଗତ କାକିରିଗୁମା ଗ୍ରାମର ବିରେନ୍ଦ୍ର କରକରିଆ ହୋଇଥିବା ବେଳେ ଅନ୍ୟ ଜଣକ ରାୟଗଡ଼ା ଜିଲ୍ଲାର ଟିକିରି ଥାନା ଅନ୍ତର୍ଗତ ମେଦିରିସାହିର ମହାଦେବ ମେଦ୍ରି ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଟିକିରିର ବ୍ୟବସାୟୀ କେ. ପବନ କୁମାରଙ୍କ ବାଇକ୍ ଚୋରି ହୋଇଥିବା ନେଇ ଟିକିରି ଥାନାରେ ଅଭିଯୋଗ ହୋଇଥିଲା। ଏହାକୁ ଆଧାର କରି ପୋଲିସ ଥାନା କେସ୍ ନମ୍ବର ୨୧୨/୨୦୨୬ରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌)ର ଧାରା ୩୦୫, ୩୩୧(୪) ଓ ୩(୫) ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ତଦନ୍ତ ସମୟରେ ପୋଲିସ ଚୋରି ହୋଇଥିବା ସୁଜୁକି ଜିକ୍ସର ବାଇକ୍‌ (ନମ୍ବର: ଓଡି-୧୦-ଜି-୧୭୬୫)କୁ ଉଦ୍ଧାର କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିବା ସୂଚନା ମିଳିଛି।

ଏହି ଘଟଣାରେ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି। ଚୋରି ଘଟଣାରେ ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ରହିଛି କି ନାହିଁ, ସେ ନେଇ ତଦନ୍ତ ପରେ ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.