ଟିକିରି ବାସନ୍ତୀ କ୍ଲିନିକ୍‌ରେ ଡ୍ରଗ୍ସ ବିଭାଗର ଚଢ଼ାଉ, ୧ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଔଷଧ ଜବତ

13

କାଶୀପୁର ରୁ ବୈକୁଣ୍ଠ ଦୁରିଆ -ନିଶାମୁକ୍ତ ଭାରତ ଗଠନ ଦିଗରେ ସ୍ୱତନ୍ତ୍ର ପ୍ରବର୍ତ୍ତନ ଅଭିଯାନକୁ ଜୋରଦାର କରିଛି ଡ୍ରଗ୍ସ ବିଭାଗ। ଏହି କ୍ରମରେ ରାୟଗଡ଼ା ଜିଲ୍ଲା ଡ୍ରଗ୍ସ ବିଭାଗ ଓ ଟିକିରି ପୋଲିସର ମିଳିତ ଉଦ୍ୟମରେ ଟିକିରି ମୁଖ୍ୟ ବଜାରସ୍ଥିତ ବାସନ୍ତୀ କ୍ଲିନିକ୍‌ରେ ଚଢ଼ାଉ କରାଯାଇଛି। ଚଢ଼ାଉ ସମୟରେ ବେଆଇନ ଭାବେ ଗଚ୍ଛିତ ରଖାଯାଇଥିବା ଅଭିଯୋଗରେ ପ୍ରାୟ ୧ ଲକ୍ଷ ୨ ହଜାର ୩୫୯ ଟଙ୍କା ମୂଲ୍ୟର ଔଷଧ ଜବତ କରାଯାଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଗୁରୁବାର ପୂର୍ବାହ୍ନ ପ୍ରାୟ ୧୧ଟା ୩୪ ମିନିଟ୍‌ ସମୟରେ ଏହି ଚଢ଼ାଉ କରାଯାଇଥିଲା। ଚଢ଼ାଉ ପରେ ଜବତ ଔଷଧଗୁଡ଼ିକୁ ସିଲ୍‌ କରାଯାଇ ଘଟଣାର ଅଧିକ ତଦନ୍ତ ଆରମ୍ଭ କରାଯାଇଛି।

ଏହି ମିଳିତ ଚଢ଼ାଉରେ ରାୟଗଡ଼ା ଜିଲ୍ଲା ଡ୍ରଗ୍ସ ଅଧିକାରିଣୀ ସାରଳା ନାୟକ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଟିକିରି ଥାନା ଅଧିକାରୀ ପି.କେ. ସ୍ୱାଇଁଙ୍କ ସମେତ ପୋଲିସ କର୍ମଚାରୀମାନେ ସାମିଲ ହୋଇଥିଲେ।

ଔଷଧର ବେଆଇନ ଗଚ୍ଛିତକରଣ ଓ ବିକ୍ରି ଉପରେ ନିୟନ୍ତ୍ରଣ ଆଣିବା ସହ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଗୁରୁତ୍ୱ ଦେଇ ବିଭାଗ ପକ୍ଷରୁ ଏଭଳି ଚଢ଼ାଉ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ସୂଚନା ମିଳିଛି। ତେବେ ଘଟଣାର ତଦନ୍ତ ପରେ ଔଷଧ ଗଚ୍ଛିତ ରଖିବା ସମ୍ପର୍କିତ ନିୟମ ଉଲ୍ଲଂଘନର ପ୍ରକୃତ ସ୍ଥିତି ସ୍ପଷ୍ଟ ହେବ।

Leave A Reply

Your email address will not be published.