ଝାରସୁଗୁଡ଼ା ଟାଉନ୍ ୟୁନିଟ୍ ମେହେର ସମାଜ ପକ୍ଷରୁ ଶ୍ରଦ୍ଧାଞ୍ଜଳି
ଝାରସୁଗୁଡ଼ା, ୧୫/୧୦: ଚୌଜିଲ୍ଲା ମେହେର ସମାଜର ପୂର୍ବତନ ସଭାପତି ତଥା ବରିଷ୍ଠ ସମାଜସେବୀ ନୃପଲାଲ ମେହେରଙ୍କ ବିୟୋଗରେ ମେହେର (ଭୁଲିଆ) ସମାଜରେ ଶୋକର ଛାୟା ଖେଳିଯାଇଛି। ଲାଇକେରା ନିବାସୀ ସ୍ୱର୍ଗତ ମେହେର ଗତ ୯ ଅକ୍ଟୋବର ୨୦୨୬ ଅପରାହ୍ନ ୪ଟା ସମୟରେ ଇହଲୀଳା ସମ୍ବରଣ କରିଥିଲେ।
ସ୍ୱର୍ଗତ ନୃପଲାଲ ମେହେର ଦୀର୍ଘ ୧୫ ବର୍ଷ ଧରି ଚୌଜିଲ୍ଲା ମେହେର ସମାଜର ସଭାପତି ଭାବେ ଦାୟିତ୍ୱ ତୁଲାଇ ସମାଜର ଉନ୍ନତି ଓ ସଂଗଠନର ସୁଦୃଢ଼ୀକରଣ ପାଇଁ ନିଷ୍ଠାର ସହ କାର୍ଯ୍ୟ କରିଥିଲେ। ତାଙ୍କର ସମାଜସେବା ଓ ଅବଦାନକୁ ସ୍ମରଣ କରି ଝାରସୁଗୁଡ଼ା ଟାଉନ୍ ୟୁନିଟ୍ ମେହେର ସମାଜ ପକ୍ଷରୁ ଗୁରୁବାର ଅପରାହ୍ନରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା।
ଟାଉନ୍ ୟୁନିଟ୍ ମେହେର ସମାଜର ସଭାପତି ପ୍ରମୋଦ କୁମାର ମେହେରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ଚୌଜିଲ୍ଲା ମେହେର ସମାଜର ସଭାପତି ଚନ୍ଦ୍ରଶେଖର ମେହେର, କାର୍ଯ୍ୟକାରୀ ସଭାପତି ଶତ୍ରୁଘ୍ନ ମେହେର, କୋଷାଧ୍ୟକ୍ଷ ପ୍ରଦୀପ ମେହେର, ଟାଉନ୍ ୟୁନିଟ୍ର କୋଷାଧ୍ୟକ୍ଷ ରବୀନ୍ଦ୍ର ମେହେର, ସହସମ୍ପାଦକ ତପେଶ୍ୱର ମେହେରଙ୍କ ସମେତ ଗୋପାଳ ମେହେର, ମନୋରଞ୍ଜନ ମେହେର, ସୁଶାନ୍ତ ମେହେର, ବରିଷ୍ଠ ସଦସ୍ୟ ଭାଗିରଥୀ ମେହେର, ବିଶିକେଶନ ମେହେର, ମିତ୍ରଭାନୁ ମେହେର ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।
ଉପସ୍ଥିତ ସଦସ୍ୟମାନେ ସ୍ୱର୍ଗତ ନୃପଲାଲ ମେହେରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହାପରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇ ଦିବଙ୍ଗତ ଆତ୍ମାର ସଦ୍ଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଏହି ଦୁଃଖ ସହିବା ପାଇଁ ଈଶ୍ୱର ଶକ୍ତି ପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନା କରାଯାଇଥିଲା।