ବାଲୁଗାଁ:(ସେକ୍ କୌସର):ବାଲୁଗାଁ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ-୨୦୨୬ରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ଐତିହାସିକ ବିଜୟ ହାସଲ କରିଛି। ସଭାପତି ପଦ ପାଇଁ ହୋଇଥିବା ସିଧାସଳଖ ଲଢେଇରେ ABVP ସମର୍ଥିତ ପ୍ରାର୍ଥୀନୀ ପୂଜା ଦିହୁଡ଼ି ୪୬୪ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି। ତାଙ୍କ ପ୍ରତିଦ୍ୱନ୍ଦ୍ୱୀ BCJD ସମର୍ଥିତ ପ୍ରାର୍ଥୀନୀ ରାଜଲକ୍ଷ୍ମୀ ସ୍ୱାଇଁ ୨୧୪ ଖଣ୍ଡ ଭୋଟ ପାଇଛନ୍ତି। ଫଳରେ ପୂଜା ୨୪୮ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜୟ ହାସଲ କରିଛନ୍ତି।ଏହି ନିର୍ବାଚନରେ ମୋଟ ୧୭ଟି ପଦ ମଧ୍ୟରୁ ୧୬ଟି ପଦରେ ABVP ସମର୍ଥିତ ପ୍ରାର୍ଥୀମାନେ ପୂର୍ବରୁ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇ ସାରିଥିଲେ।

କେବଳ ସଭାପତି ପଦ ପାଇଁ ନିର୍ବାଚନ ହୋଇଥିଲା, ଯେଉଁଥିରେ ABVP ଓ BCJD ମଧ୍ୟରେ କଡା ଟକ୍କର ହୋଇଥିଲା। ଶେଷରେ ଛାତ୍ରଛାତ୍ରୀମାନେ ABVP ଉପରେ ଭରସା ଦେଖାଇଛନ୍ତି।ବିଜୟ ପରେ କ୍ୟାମ୍ପସରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ABVP କର୍ମୀ ଓ ସମର୍ଥକମାନେ ବାଣ ଫୁଟାଇ, ମିଠା ବାଣ୍ଟି ଖୁସି ମନାଇଛନ୍ତି। ନବ ନିର୍ବାଚିତ ସଭାପତି ପୂଜା ଦିହୁଡ଼ି କହିଛନ୍ତି, “ଏହା ମୋର ନୁହେଁ, ସମସ୍ତ ଛାତ୍ରଛାତ୍ରୀଙ୍କ ବିଜୟ। ମହାବିଦ୍ୟାଳୟର ବିକାଶ ଓ ଛାତ୍ର ସ୍ୱାର୍ଥ ପାଇଁ କାମ କରିବି।”ଅଧ୍ୟକ୍ଷ ଓ ନିର୍ବାଚନ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଭୋଟ ଗଣନା ଶାନ୍ତିପୂର୍ଣ ଭାବେ ସମାପ୍ତ ହୋଇଛି। ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ବାଲୁଗାଁ ପୋଲିସ ପକ୍ଷରୁ ଦୁଇ ପ୍ଲାଟୁନ୍ ଫୋର୍ସ ମୃତୟନ ହୋଇଥିଲା।