କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ପୁରୀ ହୋଟେଲ ସଂଘର ସଦସ୍ୟ 

0

ରଥଯାତ୍ରା ପୂର୍ବରୁ ହୋଟେଲ ଶିଳ୍ପର ପୁନରୁଦ୍ଧାର ପାଇଁ ସବୁ ଅଂଶୀଦାର ହାତ ବଢାନ୍ତୁ – ଧର୍ମେନ୍ଦ୍ର ପ୍ରଧାନ

 ହୋଟେଲ ଗୁଡିକର ପୁନରୁଦ୍ଧାର ପାଇଁ ଏକ ଆର୍ଥିକ ପ୍ୟାକେଜ ତଥା ଅନ୍ୟାନ୍ୟ ସହାୟତା ଯୋଗାଇ ଦେବାକୁ ଅନୁରୋଧ କଲା ସଂଘ

ପୁରୀ – ସାମୁଦ୍ରିକ ଝଡ ବାତ୍ୟା ‘ଫନୀ’ ପ୍ରଭାବରେ ପୁରୀରେ ଭାଙ୍ଗି ଯାଇଥିବା ସମସ୍ତ ହୋଟେଲ ଗୁଡିକର ପୁନରୁଦ୍ଧାର ପାଇଁ ନିଆଯାଇଥିବା ପଦକ୍ଷେପ ଗୁଡିକ ଉପରେ ରବିବାର ପୁରୀ ଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହୋଟେଲ ସଂଘର ଏକ ପ୍ରତିନିଧି ମଣ୍ଡଳିଙ୍କ ସହ ଆଲୋଚନା କରିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ରଥଯାତ୍ରା ପୂର୍ବରୁ ପୁରୀରେ ପର୍ଯ୍ୟଟନ ବିକାଶକୁ ତ୍ୱରାନ୍ୱିତ କରିବା ଦିଗରେ ବାତ୍ୟାରେ ଭାଙ୍ଗିଥିବା ହୋଟେଲ ଗୁଡିକର ପୁନରୁଦ୍ଧାର ପାଇଁ ସମସ୍ତ ଅଂଶୀଦାର ମିଶି ସାହାଯ୍ୟର ହାତ ବଢାଇବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ପୁରୀର ଅର୍ଥନୀତି ବିଶେଷତଃ ହୋଟେଲ ଶିଳ୍ପ ଉପରେ ନିର୍ଭର କରୁଥିବା ବେଳେ ଏହା ହଜାର ହଜାର ଲୋକଙ୍କ ଜୀବନଜୀବିକାକୁ ସାମର୍ଥ୍ୟ ଯୋଗାଇଥାଏ । ତେବେ ବାତ୍ୟାରେ ସହରରେ ଥିବା ପ୍ରାୟ ସବୁ ହୋଟେଲର ଅବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ଏହି ପରିପ୍ରେକ୍ଷୀରେ ହୋଟେଲ ସଂଘ ପକ୍ଷରୁ ଭାଙ୍ଗି ଯାଇଥିବା ହୋଟେଲ ଗୁଡିକର ପୁନରୁଦ୍ଧାର ପାଇଁ ଏକ ଆର୍ଥିକ ପ୍ୟାକେଜ ତଥା ଅନ୍ୟାନ୍ୟ ସହାୟତା ଯୋଗାଇ ଦେବାକୁ ସେମାନେ ଅନୁରୋଧ କରିଥିବା ଶ୍ରୀ ପ୍ରଧାନ କହିଛନ୍ତି ।

ଏତଦବ୍ୟତିତ ଟେଲିକମ ତଥା ଅନ୍ୟାନ୍ୟ ସେବା ଗୁଡିକୁ ମଧ୍ୟ ଯଥାଶୀଘ୍ର ସ୍ୱାଭାବିକ କରିବାକୁ ହୋଟେଲ ସଂଘର ସଦସ୍ୟ ମାନେ ଜଣାଇଛନ୍ତି । ଆସନ୍ତା ରଥଯାତ୍ରା ପାଇଁ ପର୍ଯ୍ୟଟକଙ୍କ ଦୃଷ୍ଟିରୁ ପୁରୀର ପୁନଃ ବ୍ରାଣ୍ଡିଂ ପାଇଁ କିଛି ପଦକ୍ଷେପ ନେବା ପାଇଁ ହୋଟେଲ ସଂଘ ପକ୍ଷରୁ ନିବେଦନ କରାଯାଇଛି । 

Leave A Reply

Your email address will not be published.