ଦ୍ୱାଦଶ ଭୀମପାହାଡ଼ ମହୋତ୍ସବର ଲୋଗୋ ଉନ୍ମୋଚିତ

12

ନଭେମ୍ବର ୮ରୁ ୧୨ ଯାଏଁ ପାଞ୍ଚଦିନ ଧରି ଚାଲିବ ମହୋତ୍ସବ; ୧୮ଟି ସାଂସ୍କୃତିକ ଦଳ ଯୋଗଦେବାର କାର୍ଯ୍ୟକ୍ରମ

ବଲାଙ୍ଗିର, ୨ ନଭେମ୍ବର:: ବଲାଙ୍ଗିର ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭୀମଡୁଙ୍ଗୁରୀଠାରେ ଆସନ୍ତା ନଭେମ୍ବର ୮ରୁ ୧୨ ତାରିଖ ପର୍ଯ୍ୟନ୍ତ ପାଞ୍ଚଦିନ ଧରି ଦ୍ୱାଦଶ ଭୀମପାହାଡ଼ ମହୋତ୍ସବ-୨୦୨୬ ଅନୁଷ୍ଠିତ ହେବ। ଏହି ମହୋତ୍ସବକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଥିବା ବେଳେ ସୋମବାର ବଲାଙ୍ଗିର ସାମ୍ବାଦିକ ଭବନଠାରେ ମହୋତ୍ସବର ଲୋଗୋ ଉନ୍ମୋଚନ କରାଯାଇଛି। ଏଥିସହ ମହୋତ୍ସବର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆୟୋଜକ କମିଟି ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି।

ଦେଓଗାଁ ବ୍ଲକ ଅନ୍ତର୍ଗତ ମକୁନ୍ଦପୁର ଗ୍ରାମପଞ୍ଚାୟତର ଭୀମଡୁଙ୍ଗୁରୀ ପର୍ଯ୍ୟଟନସ୍ଥଳୀଠାରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଭୀମପାହାଡ଼ ମହୋତ୍ସବ କମିଟି, ଗିରିଗୋବର୍ଦ୍ଧନ ପୂଜା କମିଟି ଓ ଅଞ୍ଚଳବାସୀଙ୍କ ମିଳିତ ଉଦ୍ୟମରେ ଏହି ମହୋତ୍ସବ ଆୟୋଜନ କରାଯାଉଛି। ମହୋତ୍ସବ କମିଟିର ଅଧ୍ୟକ୍ଷ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମଣ କୁମାର ମେହେରଙ୍କ ସଂଯୋଜନାରେ ଆୟୋଜିତ ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହୋତ୍ସବର ଲୋଗୋ ଉନ୍ମୋଚନ କରିଥିଲେ।

ଏହି ଅବସରରେ ଶ୍ରୀ ମେହେର କହିଥିଲେ ଯେ, ଭୀମପାହାଡ଼ ପର୍ଯ୍ୟଟନସ୍ଥଳୀର ପ୍ରଚାରପ୍ରସାର, ଅଞ୍ଚଳର ଐତିହ୍ୟ, ସଂସ୍କୃତି ଓ ପରମ୍ପରାର ସୁରକ୍ଷା ସହ ସ୍ଥାନୀୟ ଅଞ୍ଚଳର ବିକାଶକୁ ଗୁରୁତ୍ୱ ଦେଇ ଏହି ମହୋତ୍ସବ ଆୟୋଜନ କରାଯାଇଆସୁଛି। ଭୀମପାହାଡ଼ ପର୍ଯ୍ୟଟନସ୍ଥଳୀର ଉନ୍ନତିକରଣ ପାଇଁ ପୂର୍ବ ସରକାର ୮ କୋଟି ଟଙ୍କା ଅନୁଦାନ ଦେଇଥିବା ବେଳେ ଏହାର ପାରିପାର୍ଶ୍ୱିକ ବିକାଶ ପାଇଁ ବର୍ତ୍ତମାନର ବିଧାୟକ କଳିକେଶ ନାରାୟଣ ସିଂହଦେଓ ୧୫ କୋଟି ଟଙ୍କାର ଅନୁଦାନ ନିମନ୍ତେ ସରକାରଙ୍କୁ ଚିଠି ଲେଖିଥିବା ସେ ସୂଚନା ଦେଇଥିଲେ।

ପାଞ୍ଚଦିନ ଧରି ରହିବ ବିଭିନ୍ନ କାର୍ଯ୍ୟକ୍ରମ

ମହୋତ୍ସବର ପ୍ରଥମ ଦିନ ନଭେମ୍ବର ୮ ତାରିଖରେ ଅଞ୍ଚଳର ମହିଳାମାନଙ୍କ ପକ୍ଷରୁ କଳସ ଶୋଭାଯାତ୍ରା ସହ ମଶାଳ ଶୋଭାଯାତ୍ରା ଆୟୋଜନ କରାଯିବ। ନଭେମ୍ବର ୯ରୁ ୧୨ ତାରିଖ ପର୍ଯ୍ୟନ୍ତ ୨୪ ପ୍ରହର ନାମଯଜ୍ଞ, ପ୍ରତ୍ୟହ କଂସ ଦରବାର ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ।

ବଲାଙ୍ଗିର ଜିଲ୍ଲାର ୬ଟି ସାଂସ୍କୃତିକ ଦଳ ସମେତ ସଂସ୍କୃତି ବିଭାଗ ଓ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର (ଇଜେଡ୍‌ସିସି) ପ୍ରାୟୋଜିତ ଦଳଗୁଡ଼ିକୁ ମିଶାଇ ପ୍ରାୟ ୧୮ଟି ସାଂସ୍କୃତିକ ଦଳ ଏଥିରେ ଯୋଗଦେବେ। ନଭେମ୍ବର ୧୧ ତାରିଖରେ ଏକ ଆଲୋଚନାଚକ୍ର ଆୟୋଜନ କରାଯିବ। ଏହା ସହିତ ପ୍ରତ୍ୟହ ଯୋଗ ଶିବିର ଅନୁଷ୍ଠିତ ହେବ। ମାହେଶ୍ୱରୀ ସେନା ପକ୍ଷରୁ ରକ୍ତଦାନ ଶିବିର ମଧ୍ୟ ଆୟୋଜନ କରାଯିବ।

ବିଭିନ୍ନ କ୍ଷେତ୍ରର ପ୍ରତିଭାଙ୍କୁ ମିଳିବ ଭୀମପାହାଡ଼ ସମ୍ମାନ

ମହୋତ୍ସବ ଅବସରରେ କଳା, ସଂସ୍କୃତି, କ୍ରୀଡ଼ା, ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ପ୍ରତିଭା ଓ ଅନୁଷ୍ଠାନକୁ ଭୀମପାହାଡ଼ ସମ୍ମାନ ପ୍ରଦାନ କରାଯିବ।

ଏହି ସମ୍ମାନ ପାଇଁ ବିଶିଷ୍ଟ କଣ୍ଠଶିଳ୍ପୀ ଦୁଃଖିଶ୍ୟାମ ତ୍ରିପାଠୀ, କଳାକାର ସୁରେନ୍ଦ୍ର ସାହୁ, କୋଶଲୀ ଟେଲିଫିଲ୍ମ ନିର୍ମାତା ଯୁଗଳ ସାହୁ, ଜାତୀୟସ୍ତରୀୟ ଫେନ୍ସିଂ ପ୍ରତିଯୋଗିତାରେ ପଦକ ହାସଲ କରିଥିବା ଝାନ୍ସିରାଣୀ ସୁନା ଓ ରୁକ୍ମଣୀ ସୁନା, ବିଜ୍ଞାନ ପ୍ରଦର୍ଶନୀରେ ପୁରସ୍କୃତ ହୋଇଥିବା ଲକ୍ଷ୍ମୀପ୍ରିୟା ବାରିକ, ଦେଓଗାଁ ବିଡିଓ ତଥା କଳାକାର ପ୍ରିୟରଞ୍ଜନ କୁମାର ଏବଂ ସୋନପୁର ମହାଦେବପାଲିର ରଘୁନାଥ ଯୁବକ ସଂଘକୁ ଚୟନ କରାଯାଇଥିବା କମିଟି ପକ୍ଷରୁ ସୂଚନା ମିଳିଛି।

କମିଟି ସଦସ୍ୟଙ୍କ ଉପସ୍ଥିତି

ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମରେ ଭୀମପାହାଡ଼ ମହୋତ୍ସବ କମିଟିର ସଭାପତି ପ୍ରମୋଦ କୁମାର ବହିଦାର, ସମ୍ପାଦକ ଗୋବର୍ଦ୍ଧନ ସାହୁ, କୋଷାଧ୍ୟକ୍ଷ ଅଭିମନ୍ୟୁ ମାଝୀ, ଉପଦେଷ୍ଟା ଶୈଳେନ୍ଦ୍ର ସାହୁ, ମକୁନ୍ଦପୁର ସରପଞ୍ଚ ଜାନକୀ ସାହୁଙ୍କ ସମେତ ଦୟା ମହାକୁର, ରାଜେଶ ନାଏକ, ନନ୍ଦକିଶୋର ନାଏକ, ପଙ୍କଜ ବଗର୍ତ୍ତି, ପୀତବାସ ବିଶି, ଜଗତ କୁଅଁର, ଜୟଚନ୍ଦ୍ର ନାଏକ, ଜତନ ବାରିକ, ଯୁବରାଜ ସାହୁ, ଝସକେତନ ଜାନୀ, ନିଗମ ନାଥ ଓ ସୁବଲ ମହାକୁର ପ୍ରମୁଖ ଉପସ୍ଥିତ ଥିଲେ।

ମହୋତ୍ସବ ମାଧ୍ୟମରେ ଭୀମଡୁଙ୍ଗୁରୀର ପର୍ଯ୍ୟଟନ ସମ୍ଭାବନାକୁ ଅଧିକ ଲୋକଲୋଚନକୁ ଆଣିବା ସହ ଅଞ୍ଚଳର କଳା, ସଂସ୍କୃତି ଓ ପରମ୍ପରାକୁ ନୂତନ ପରିଚୟ ଦେବାକୁ ଆୟୋଜକ କମିଟି ଲକ୍ଷ୍ୟ ରଖିଛି।

Leave A Reply

Your email address will not be published.