ନୂତନ ସୃଜନଶୀଳତାର ଅନ୍ତୁଡ଼ିଶାଳ ‘ସୁରଭି’
ଦଳଗତ ନୃତ୍ୟ ସଙ୍ଗୀତରେ ପ୍ରଥମ ହୋଇ ଜିଲ୍ଲାସ୍ତରକୁ ଉନ୍ନୀତ ହେଲେ ପିଏମ୍ଶ୍ରୀ ରାଧାକାନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ
ଓଡ଼ଗାଁ, ୨।୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୂତନ ସୃଜନଶୀଳତା, ପ୍ରତିଭାର ବିକାଶ ଓ ଲୁକ୍କାୟିତ କଳାକୁ ପରିପ୍ରକାଶ କରିବାର ଅନ୍ତୁଡ଼ିଶାଳ ସାଜିଛି ଶିଶୁ ମହୋତ୍ସବ ‘ସୁରଭି’। ଏହି ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ମଣ୍ଡଳସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ସୋମବାର ଶରଣକୁଳ ଥାନା ଅନ୍ତର୍ଗତ ଗୋଡ଼ିପଡ଼ାସ୍ଥିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। ଲୋକକଳା ସହିତ ‘ସମୃଦ୍ଧ ଭାଷା, ସମୃଦ୍ଧ ଓଡ଼ିଶା’ ବିଷୟବସ୍ତୁକୁ ଆଧାର କରି ଆୟୋଜିତ ଏହି ମହୋତ୍ସବରେ ଓଡ଼ଗାଁ ମଣ୍ଡଳର ୧୫ଟି ଆଞ୍ଚଳିକ ସାଧନ କେନ୍ଦ୍ରରୁ ବରିଷ୍ଠ ଓ କନିଷ୍ଠ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରି ଆସିଥିବା ୫୦୦ରୁ ଊର୍ଦ୍ଧ୍ୱ ପ୍ରତିଭାବାନ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଗୋଷ୍ଠୀ ନୃତ୍ୟ, ସଙ୍ଗୀତ, ପ୍ରବନ୍ଧ, ବକ୍ତୃତା, ତର୍କ, ସୃଜନଶୀଳ ଲିଖନ, ସୁନ୍ଦର ହସ୍ତାକ୍ଷର, ଶ୍ରୁତଲିଖନ, ଚିତ୍ରାଙ୍କନ, ଚିତ୍ରକଳା, ମଧ୍ୟାହ୍ନଭୋଜନ ଶିଳ୍ପକଳା, ଦିବ୍ୟାଙ୍ଗ ବର୍ଗର ସଙ୍ଗୀତ ଓ ଚିତ୍ରାଙ୍କନ, ପିଏମ୍ ପୋଷଣ କଳା, ପିଏମ୍ ଶିଳ୍ପକଳା ଆଦି ବିଭିନ୍ନ ବିଭାଗରେ ପ୍ରତିଯୋଗିତା ହୋଇଥିଲା। ପ୍ରତ୍ୟେକ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା କୃତୀ ପ୍ରତିଯୋଗୀମାନେ ଜିଲ୍ଲାସ୍ତରୀୟ ‘ସୁରଭି’ ମହୋତ୍ସବକୁ ଉନ୍ନୀତ ହୋଇଛନ୍ତି। ଏଥିମଧ୍ୟରେ ପିଏମ୍ଶ୍ରୀ ରାଧାକାନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଓଡ଼ଗାଁର ଛାତ୍ରୀମାନେ ଦଳଗତ ନୃତ୍ୟ ସଙ୍ଗୀତ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରି ବିଦ୍ୟାଳୟ ପାଇଁ ଗୌରବ ଆଣିବା ସହ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାକୁ ମନୋନୀତ ହୋଇଛନ୍ତି। ମଣ୍ଡଳ ଶିକ୍ଷା ଅଧିକାରୀ ପିଣ୍ଟୁ ପ୍ରଧାନ ଉଦ୍ଘାଟନୀ ଓ ଉଦ୍ଯାପନୀ ଉତ୍ସବରେ ସଭାପତିତ୍ୱ କରିଥିଲେ। ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସମ୍ପାଦକ ଭକ୍ତରଞ୍ଜନ ମିଶ୍ର, ଗୋଡ଼ିପଡ଼ା ସରପଞ୍ଚ ଅନ୍ତର୍ଯ୍ୟାମୀ ସାହୁ ଓ ଆୟୋଜକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଘନଶ୍ୟାମ ସାହୁ ଅତିଥି ଭାବେ ଯୋଗଦେଇଥିଲେ। ପ୍ରଥମ ପର୍ଯ୍ୟାୟ ସଭାରେ ଓଡ଼ିଶା ବିଧାନସଭାର ବାଚସ୍ପତି ତଥା ରଣପୁର ବିଧାୟିକା ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଓଡ଼ଗାଁ ବ୍ଲକ୍ ଅଧ୍ୟକ୍ଷ ଲୋକନାଥ ସାହୁ ଓ ଜିଲ୍ଲା ପରିଷଦ ସଦସ୍ୟା ବିରଜାଲକ୍ଷ୍ମୀ ସାହୁ ମୁଖ୍ୟବକ୍ତା ଓ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଜିଲ୍ଲା ପରିଷଦ ସଭ୍ୟା ଚିନ୍ମୟୀ ଦାଶ ଓ ସଂଯୁକ୍ତା ପଢ଼ିଆରୀ, ଅତିରିକ୍ତ ଶିକ୍ଷା ଅଧିକାରୀ ରାଜକିଶୋର ସାହୁ ଓ ସନ୍ତୋଷ କୁମାର କର ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ। ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିଜୟ କୁମାର ପୃଷ୍ଟି, ନରେଶ ପାଣିଗ୍ରାହୀ, ଯଶୋବନ୍ତ ପଟ୍ଟନାୟକଙ୍କ ସମେତ ସମସ୍ତ ୧୫ ଜଣ ସଂଯୋଜକ କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସହଯୋଗ କରିଥିଲେ। ସଂଯୋଜକ ରାଜେଶ କୁମାର ଷଢ଼ଙ୍ଗୀ ଓ ଶ୍ରୀଧର ପରିଡ଼ା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।